‘ଖୋର୍ଦ୍ଧାରେ ଅପରାଧିକ କାର୍ଯ୍ୟ ପଛରେ ପୁଲିସର ପ୍ରୋତ୍ସାହନ’

ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର, ଜମି ଜବରଦଖଲ, ବେଆଇନ ଖଣି, ଗୋ ଚାଲାଣ ଆଦି ସମସ୍ତ ବେଆଇନ କାର୍ଯ୍ୟ ପଛରେ ​ପୁଲିସର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହନ ରହିଛି । ପ୍ରତ୍ୟେକ ମାମଲାରେ ପୁଲିସ ଠିକଣା ସମୟରେ ଚାର୍ଜସିଟ୍‌ ଦାଖଲ କରୁନଥିବା ଓ ଦୁର୍ବଳ ଦଫା ଲଗାଉଥିବାରୁ ଗିରଫ ଅଭିଯୁକ୍ତମାନେ ସହଜରେ ଖସିଯାଉଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଓକିଲ ସଂଘର ପୂର୍ବତନ ସଭାପତି ଅଜିତ କୁମାର ପଟ୍ଟନାୟକ ଓ ଶକ୍ତି ଶଙ୍କର ମିଶ୍ର, ଏବଂ ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ଦାସ ଅଭିଯୋଗ କରିଛନ୍ତି।

ଆଜି ପୂର୍ବାହ୍ଣରେ ସ୍ଥାନୀୟ ଗୀତା ଭବନ ଠାରେ ସଂଗଠିତ ହିନ୍ଦୁ ସମାଜ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେମାନେ କହିଛନ୍ତି ଯେ ଗତ ବର୍ଷ –ଅଢ଼େଇ ବର୍ଷ ହେଲା ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର, ବେଆଇନ ଗୋ ଚାଲାଣ, ହତ୍ୟା ଆଦି ବୃଦ୍ଧି ପାଇଛି। ଫଳରେ ହିନ୍ଦୁ-ମୁସଲିମ ଭାଇଚାରାର ସହରରେ ବର୍ତମାନ ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ୁଛି। ବେଆଇନ ପଥର, ମୋରମ ଖଣି ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଧର୍ମକୁ ଆଖିଠାର ଭାବେ ଯେଉଁ ଧରପଗଡ଼ କରାଯାଉଛି ସେଥିରେ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ବଳ ଦଫା ଲଗାଯାଉଛି।

ଦୁଇଦିନ ପୂର୍ବେ ଗୋହତ୍ୟାକୁ ନେଇ ମୁକୁନ୍ଦପ୍ରସାଦରେ ଘଟିଥିବା ଗଣ୍ଡଗୋଳରେ ପୁଲିସର ନିଷ୍କ୍ରିୟତା ହିଁ ପ୍ରମୁଖ ଦାୟୀ। ଗୋ ରକ୍ଷକମାନେ ଗୋହତ୍ୟା କରାଯାଉଥିବା ନେଇ ୧୧୨କୁ ଫୋନ୍‌ କରିଥିଲେ, ଟାଉନ ଥାନାର ଅଧିକାରୀଙ୍କୁ ଫୋନ୍‌ କରିଥିଲେ ମଧ୍ୟ କେହି ପହଂଚିନଥିଲେ। ପରେ ରାସ୍ତାରୋକ କରିବା ପରେ ଯାଇ ପୁଲିସ ପହଂଚିଥିଲା। ପୁଲିସ ଏଭଳି ପ୍ରତ୍ୟେକ ଘଟଣାରେ ଜାଣିଶୁଣି ଗୋ ମାଫିଆଙ୍କୁ ସୁରକ୍ଷା ଦେଉଛି। ପୂର୍ବର ଆରକ୍ଷୀ ଅଧୀକ୍ଷକ, ଥାନା ଅଧିକାରୀମାନେ ଥିବା ବେଳେ ଗୋଚାଲାଣକାରୀଙ୍କ ଉପରେ ସୂଚନା ମିଳିବା କ୍ଷଣି ପଦକ୍ଷେପ ନେଉଥିଲେ। ବର୍ତମାନ ପ୍ରତିଦିନ ଖୋର୍ଦ୍ଧା ଉପକଣ୍ଠ କୁଶପଲ୍ଲା, ଜାମୁସାହି, ସରଧାପୁର, ମୁକୁନ୍ଦପ୍ରସାଦ, ବେଣାପଂଜରୀ, ତରତୁଆ, ଯଦୁପୁରରୁ ୫ରୁ ୧୦ଟି ଗୋରୁ ବୋଝେଇ ଟ୍ରକ ଖୋର୍ଦ୍ଧା ଦେଇ ଯାଉଛି। ପୁଲିସ ସମସ୍ତ କଥା ଜାଣିଥିଲେ ମଧ୍ୟ ପଦକ୍ଷେପ ନେଉନାହିଁ, କିନ୍ତୁ ଓଲଟି ଗୋ ସୁରକ୍ଷାକାରୀଙ୍କ ଡରାଇ ଧମକାଇ, ବେଆଇନ ଭାବେ ଥାନାରେ ଅଟକ ରଖୁଛି ବୋଲି ଅଭିଯୋଗ କରିଥିଲେ। ଆଗାମୀ ଦିନରେ ଯଦି ପୁଲିସ ନିଜର ଆଭିମୁଖ୍ୟ ପରିବର୍ତନ ନକରେ​ ତେବେ ଖୋର୍ଦ୍ଧାରେ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସଂଗଠିତ ହିନ୍ଦୁ ସମାଜ ପକ୍ଷରୁ ଏକ ଲିଖିତ ବିବୃତିରେ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର