କଟକରେ ନକଲି ଔଷଧ ଠାବ ଘଟଣା: ଧର୍ମଗଡ଼ ଓ କେସିଙ୍ଗାରେ ପୁଲିସର ଚଢ଼ଉ

ଔଷଧ ଜବତ, ବିଭାଗୀୟ ଯାଞ୍ଚ ପାଇଁ ଯିବ

କେସିଙ୍ଗା: କଟକରେ ନକଲି ଔଷଧ ଠାବ ପରେ ଏହାର କଳାହାଣ୍ଡି ଲିଙ୍କ୍‌ ଥିବା ଜଣାପଡ଼ିଛି। ଏଥିପାଇଁ ରବିବାର ଧର୍ମଗଡ଼ର ଜୟହିନ୍ଦ ଟ୍ରେଡର୍ସ ଓ କେସିଙ୍ଗାର ବିଜୟ ଫାର୍ମାସ୍ୟୁଟିକାଲ୍‌ସରେ ସ୍ଥାନୀୟ ପୁଲିସ ଚଢ଼ଉ କରିଛି। ଉଭୟ ସ୍ଥାନରୁ ଔଷଧ ଓ କାଗଜପତ୍ର ଜବତ କରାଯାଇଛି। କେସିଙ୍ଗାରୁ ୧୪୦ ଷ୍ଟ୍ରିପ ସ୍ନିଜ ଓ ୧୦ ଷ୍ଟ୍ରିପ୍‌ ମେଡିଟିବିଆର୍‌ ଔଷଧ ଜବତ ହୋଇଛି।

ସେହିପରି ଧର୍ମଗଡ଼ରୁ ୪୭ ପ୍ୟାକେଟ ସ୍ନିଜ ଔଷଧ ଜବତ ହୋଇଛି। ଏହି ଔଷଧ ଆଣ୍ଟିବାୟୋଟିକ୍‌ ଓ ଆଣ୍ଟିକୋଭିଡ କେୟାର ଭାବରେ ବ୍ୟବହାର ହେଉଥିଲା। କଟକର ସ୍ବାଗତ ଏଣ୍ଟରପ୍ରାଇଜେସରୁ ଏହି ଔଷଧ ଆସିଥିଲା। ଏହି ଔଷଧ ବିକ୍ରି ପାଇଁ ଫ୍ରି ସ୍କିମ୍‌ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରାଜ୍ୟରୁ ନିର୍ଦେଶ ପରେ ଏସ୍‌ପି ଶ୍ରବଣା ବିବେକଙ୍କ ନିର୍ଦେଶକ୍ରମେ ନୂତନ  ଆଇଆଇସି ସତ୍ୟ କୁମାର ନନ୍ଦ, ମାଜିଷ୍ଟ୍ରେଟ ବିଡିଓ ପ୍ରଫୁଲ୍ଲ ଓଡୁଙ୍କ ଉପସ୍ଥିତରେ ଚଢ଼ଉ ହୋଇଥିଲା। ଏସ୍‌ଡିପିଓ ଏସ୍‌. ସୁଶ୍ରୀ ତଦାରଖ କରିଥିଲେ। ତଦନ୍ତ ବେଳେ ବିଜୟ ଫାର୍ମାସ୍ୟୁଟିକାଲସ୍‌ ସ୍ନିଜ ୫୦୦ ଏମଜିକୁ ରୁପ୍ରା ଓ ରୁପ୍ରାରୋଡ଼ର କିଛି ଦୋକାନକୁ ୨୪୦ ଷ୍ଟ୍ରିପ୍‌ ବିକ୍ରି କରିଥିବା ଜଣାପଡ଼ିଛି।

ଔଷଧକୁ ଜବତ କରି ଡ୍ରଗ ଯାଞ୍ଚ ବିଭାଗକୁ ଦିଆଯିବ ଏବଂ ରିପୋର୍ଟ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ଆଇଆଇସି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ଗତ ଜାନୁଆରି ମାସରୁ ଏହି ଔଷଧ ଆସିଥିଲା। ସମ୍ପୃକ୍ତ ଔଷଧ ଟ୍ରେଡର୍ସ ଧରପଗଡ଼ ପରେ ଏହି ଔଷଧ ବିକ୍ରି ନକରିବାକୁ ମେଲ୍‌ ଦେଇଥିବା ଜଣାପଡ଼ିଛି। ସେହିଭଳି ଧର୍ମଗଡ଼ରେ ଏସ୍‌ଡିପିଓ ଧୀରଜ ଚୋପଦାରଙ୍କ ତତ୍ତ୍ୱାବଧାନରେ ଓ ମାଜିଷ୍ଟ୍ରେଟ ତହସିଲଦାର ହରେକୃଷ୍ଣ ବରିହାଙ୍କ ଉପସ୍ଥିତରେ ଚଢ଼ଉ ହୋଇଥିଲା। ଧର୍ମଗଡ଼ରେ ଜବତ ହୋଇଥିବା ୪୭ ପ୍ୟାକେଟ ଔଷଧ ସିଲ୍‌ ହୋଇ ଔଷଧ ଆଣିଥିବା ଟ୍ରେଡର୍ସକୁ ଫେରାଇବା ପାଇଁ ଥିଲା ବୋଲି ପୁଲିସ କହିଛି। ତେବେ କୋରନା ସମୟରେ ଏହିଭଳି ନକଲି ଔଷଧ ଦେଇ ଲୋକଙ୍କ ଜୀବନ ସହ ଖେଳୁଥିବା ରାକେଟର ପର୍ଦାଫାସ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର