ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ଥାନାରେ ଏକ ଲୁଟ ଘଟଣା ଘଟିଥିଲା। ଏହି ଲୁଟ ଘଟଣାରେ ଉମରକୋଟ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ଠାରୁ ୧ ଲକ୍ଷ୍ୟ ୮୪ ହଜାର ଟଙ୍କା ଉଦ୍ଧାର କରିବା ସହ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ କରିଛି। ସୂଚନା ଅନୁଯାୟୀ, ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମର ନିଧନ ଗୌଡ଼ ଜାମପାଣୀ ଗ୍ରାମର ଧନୁର୍ଜୟ ଗୌଡ଼ ଓ ତାଙ୍କ ଦୁଇ ପୁଅ ଠାରୁ ଏକ ଜମି ବନ୍ଧକ ବାବଦକୁ ଦେଇଥିବା ୨ ଲକ୍ଷ ୧୦ ହଜାର ଟଙ୍କା ଫେରି ପାଇ ଥିଲେ। କିନ୍ତୁ ଉକ୍ତ ଟଙ୍କା ନିଧନ ନିଜେ ଗଣି ନ ପାରିବାରୁ ନିକଟସ୍ଥ ଗାଁ କେରି ପଦର ନିଜ ସମ୍ପର୍କୀୟ ଭାଇ ଅଗାଧୁ ଗୌଡ଼ ପାଖକୁ ଯାଇଥିଲେ। ଟଙ୍କା ଗଣିବା ପରେ ନିଧନ ଗୌଡ଼ ଉକ୍ତ ଟଙ୍କାକୁ ଏକ ରୁମାଲରେ ଗୁଡ଼ାଇ ଚାଲି ଚାଲି ଜାମପାଣୀ ଓ ଫୁଣ୍ଡେଲ ଧୋଡ଼ି ଗ୍ରାମ ଦେଇ ଘରକୁ ଫେରୁଥିଲେ। ରାସ୍ତାରେ ନିଧନ ଗୌଡ଼ ଫେରୁଥିବା ସମୟରେ ବାଟରେ ଜାମପାଣୀ ଗ୍ରାମର ପଦ୍ମନ ଗୌଡ଼ (୨୧), କେଶବ ଗୌଡ଼ (୨୬) ଓ ଜଗନ୍ନାଥ ଗୌଡ (୨୧) ତାଙ୍କୁ ଆକ୍ରମଣ କରିଥିଲେ।
ପଦ୍ମନ ଏକ ବାଉଁଶ ଠେଙ୍ଗାରେ ନିଧନଙ୍କ ମୁଣ୍ଡ ପଛ ପଟକୁ ବାଡେଇଥିଲେ। ଫଳରେ ନିଧନ ସେଠାରେ ତଳେ ପଡ଼ି ଯାଇଥିଲେ। ପରେ ତିନିଜଣ ଉକ୍ତ ୨ଲକ୍ଷ ୧୦ ହଜାର ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ତଦନ୍ତରେ ଉମରକୋଟ ପୁଲିସ ସାଇବର ୟୁନିଟର ସହାୟତା ନେଇ ତିନି ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲାର କୁମୁଲି କାମତାଗ୍ରାମ ନିକଟରୁ ଧରିବାରେ ସଫଳ ହୋଇଥିଲା ଉମରକୋଟ ପୁଲିସ। ତିନି ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ମୋଟ ୧ ଲକ୍ଷ ୮୪ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଥିଲେ। ଆଜି ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ନିଧନଙ୍କ ଲୁଟ ହୋଇଥିବା ୧ ଲକ୍ଷ ୮୪ ହଜାର ଟଙ୍କା ଫେରସ୍ତ କରିଛନ୍ତି। ଟଙ୍କା ପାଇ ଉମରକୋଟ ଥାନା ଅଧିକାରୀ ଓ ସବ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ସାଧୁବାଦ ଜଣାଇଛନ୍ତି ନିଧନ।