ଦେଓଗାଁ: ଗତ ୬ ତାରିଖ ଦିନରୁ ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ କୌଣସି ଖୋଜଖବର ମିଳୁ ନାହିଁ। ଏହାକୁ ନେଇ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗୁପ୍ତଧନ ପାଇଁ ଗଜାନନଙ୍କୁ ଅପହରଣ କରାଯାଇଥିବା ଅଞ୍ଚଳରେ ସନ୍ଦେହ କରାଯାଉଛି। ଅନ୍ୟପଟେ ଦେଓଗାଁ ପୁଲିସ ଏକ କୂଅ ଭିତରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ତନା ଘନା ଚଳାଇଛି। ବୁଧବାର ମଧ୍ୟାହ୍ନରେ ଦେଓଗାଁ ବହଲି ଛକ ଜାତୀୟ ରାଜପଥ ୨୬ରୁ ୫ଶହ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ମୃତଦେହ ପଡ଼ିଥିବା ଦେଓଗାଁ ଅଞ୍ଚଳରେ ଆଲୋଚନା ହୋଇଥିଲା। ଏହାକୁ ଭିତ୍ତିକରି ଦେଓଗାଁ ଥାନା ଓଆଇସି ରଞ୍ଜନ ବରିହା ଏବଂ ଦମକଳ ବାହିନୀ କୂଅ ନିକଟରେ ପହଞ୍ଚି ପାଣି ଶୁଖାଇ ଖୋଜିବା ଆରମ୍ଭ କରିଥିଲେ।
ତିନିଘଣ୍ଟାର କରସତ ପରେ ମଧ୍ୟ ପୁଲିସକୁ କୌଣସି ସୁରାକ ମିଳି ନାହିଁ। ଅନ୍ୟପକ୍ଷରେ ସୁନା ବ୍ୟବସାୟୀ ଗଜାନନ ନିଖୋଜ ହେବା ଦିନରୁ ଦେଓଗାଁ ଅଞ୍ଚଳରେ ଗୁପ୍ତଧନ ଖୋଜୁଥିବା କିଛି ଲୋକଙ୍କ ମଧ୍ୟ ପତ୍ତା ମିଳୁ ନଥିବାରୁ ଏହି ଘଟଣାରେ ଅଧିକ ରହସ୍ୟ ଯୋଡ଼ି ହୋଇଥିବା ଚର୍ଚ୍ଚା ହେଉଛି। ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଜେରା କଲେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ନିଖୋଜ ହୋଇଥିବା ଯୁବକ ଜଣକ ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏଣୁ ପୁଲିସ ଅଧିକ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ୍ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ଗତ ଶୁକ୍ରବାର ସକାଳ ସାଢ଼େ ୮ଟାରୁ ବ୍ୟବସାୟ କାମରେ ଯାଉଥିବା ଘରେ ତାଙ୍କ ମା’ଙ୍କୁ କହି ଯାଇଥିଲେ।
ସନ୍ଧ୍ୟା ସୁଦ୍ଧା ନଫେରିବାରୁ ଶନିବାର ଦେଓଗାଁ ଥାନାରେ ତାଙ୍କ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ। ରବିବାର ପରିବାର ଲୋକଙ୍କ ସହ ଦେଓଗାଁ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଖୋଜିବା ପରେ କୌଣସି ପତ୍ତା ପାଇ ନଥିଲା। ସୋମବାର ଗଜାନନଙ୍କ ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶିର ରଣା ଅପହରଣ କରିଥିବା ବିଷୟରେ ଅଭିଯୋଗ କରିଥିଲେ। ନିଖୋଜ ଯୁବକଙ୍କୁ ଶୀଘ୍ର ଖୋଜି ବାହାର ନକଲେ ଦେଓଗାଁ ଥାନା ଆଗରେ ଧାରଣା ଦିଆଯିବ ବୋଲି ହାତୀସରା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Deogaon-1.jpg)