ଚାଲିଥିଲା ଚାଉଁରିଆ ଯାତ୍ରା, ପୁଲିସ ଚଢ଼ଉ ପରେ ଛତ୍ରଭଙ୍ଗ ଦେଲେ ଗ୍ରାମବାସୀ

ଡାବୁଗାଁ: କରୋନାର ଦ୍ଵିତୀୟ ଲହର ଯୋଗୁ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ପ୍ରଶାସନ ଏଥି ନିମନ୍ତେ ଲକଡାଉନ୍ ସହ ଲୋକଙ୍କୁ ବାରମ୍ବାର କରୋନା ନେଇ ସଚେତନ କରୁଛନ୍ତି। ଏଭଳି ସ୍ଥିତିରେ ଯାତ୍ରା, ପର୍ବ ପର୍ବାଣୀ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ତେବେ ଏସବୁ କଟକଣାକୁ ଫୁ କରି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡ୍ରି ଗୁଡ଼ା ଗ୍ରାମରେ ଆଜି ଚାଲିଥିଲା

ଆଦିବାସୀଙ୍କ ପାରମ୍ପାରିକ ଚାଉଁରିଆ ଯାତ୍ରା। ଭୋଜି ଭାତର ଆସର ସହ ଶତାଧିକ ଲୋକ ଏକତ୍ରିତ ହୋଇ ଯାତ୍ରା ଚାଲିଥିଲା। କୌଣସି ସୂତ୍ରରୁ ଡାବୁଗାଁ ତହସିଲଦାର ସନ୍ଧ୍ୟା ସୋମରଥ ଏ ନେଇ ଖବର ପାଇବା ପରେ ପୁଲିସକୁ ଯାତ୍ରା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟ ସମୟରେ ଡାବୁଗାଁ ପୋଲିସ ପକ୍ଷରୁ ମେଣ୍ଡ୍ରି ଗୁଡ଼ା ଗ୍ରାମରେ ଚଢ଼ାଉ କରି ଏହି ଯାତ୍ରାକୁ ବନ୍ଦ କରିଥିଲେ। ପୁଲିସକୁ ଦେଖି ଲୋକେ ସେହି ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ। ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡ୍ରି ଗୁଡା, ଖୁତୁଗୁଡ଼ା ଓ ନୁଆଗୁଡ଼ା ଗ୍ରାମରେ ଗୋଟିଏ ଦେବତା ଥିବା ବେଳେ ଏହି ତିନୋଟି ଗ୍ରାମର ଲୋକଙ୍କ ସୁଖ ଶାନ୍ତି ତଥା ରୋଗବ୍ୟାଧିରୁ ଦୂର ନିମନ୍ତେ ଆଦିବାସୀ ପରମ୍ପରାରେ ଚାଉଁରିଆ ଯାତ୍ରା ହୋଇଥାଏ।

Sambad

ଆଜି ଗ୍ରାମ ଦେବତା ତିନୋଟି ଗ୍ରାମ ରେ ପରିକ୍ରମା କରିବା ପରେ ମୁଖ୍ୟ ପୁଜାସ୍ତଳ ରେ ଯାତ୍ରା ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ତିନୋଟି ଗ୍ରାମର ଶତାଧିକ ପୁରୁଷ ମହିଳା ଓ ଶିଶୁ ଏଥି ନିମନ୍ତେ ଏକତ୍ରିତ ହୋଇଥିଲେ। ତେବେ ପୋଲିସର ଚଢ଼ାଉ ପରେ ଚାଉଁରିଆ ଯାତ୍ରାକୁ ଗ୍ରାମବାସୀ ସ୍ତଗିତ ରଖିଥିଲେ। ଏହି ଯାତ୍ରା ସ୍ଥଳରେ ଶତାଧିକ ଲୋକେ ଏକତ୍ରିତ ହୋଇଥିବା ବେଳେ ସେମାନଙ୍କ ମନରେ କରୋନାର କୌଣସି ଭୟ ରହି ନ ଥିଲା, ସାମାଜିକ ଦୂରତା ନାହିଁ, ମୁହଁରେ ମାସ୍କ ମଧ୍ୟ ନ ଥିଲା। ଡାବୁଗାଁ ରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଦିନକୁ ଦିନ କରୋନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଆଜି ଡାବୁଗାଁ ମୁଖ୍ୟ ରାଜପଥ ପାର୍ଶ୍ଵରେ ଥିବା ମା ତାରିଣୀ ମନ୍ଦିରରେ କରୋନରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁ ଓ ପୂଜକ ଅଖଣ୍ଡ ଦ୍ଵିପ ପ୍ରଜ୍ବଳନ କରିଥିଲେ।

ସମ୍ବନ୍ଧିତ ଖବର