ଭଞ୍ଜନଗର: ରକ୍ତଦାନ ଜୀବନ ଦାନ। ଏଭଳି ଉକ୍ତିକୁ ସାର୍ଥକ କରିଛନ୍ତି ଭଞ୍ଜନଗର ଥାନାରେ କାର୍ଯ୍ୟରତ ଜଣେ ସବଇନ୍ସପେକ୍ଟର ସମୀର କୁମାର ବେହେରା। ଅସମୟରେ ଅସହାୟର ସାଥି ହୋଇଛନ୍ତି ସମୀର। ସେ ଜଣେ ରକ୍ତ ଶିକୁଳି ରୋଗରେ ପୀଡ଼ିତ ଯୁବକଙ୍କୁ ରକ୍ତଦାନ କରି ନିଜର ନିଆରା ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ କରୋନା ପାଇଁ ସ୍ବାସ୍ଥକର୍ମୀଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ନିଜକୁ ଯୋଦ୍ଧା ଭାବେ ପରିଗଣିତ କରିଥିବା ବେଳେ ପୁଲିସ୍ କର୍ମଚାରୀମାନେ ମଧ୍ୟ ଜନସାଧାରଣଙ୍କୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ଆଗ ଧାଡିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଛନ୍ତି। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଜାଗ ରହି ଲୋକଙ୍କ ପାଇଁ କାମ କରୁଥିବା ପୁଲିସ୍ କର୍ମଚାରୀ ରକ୍ତଦାନ ଭଳି ମହାନ କାର୍ଯ୍ୟକରି ନିଜର ମହାନ ପଣିଆର ପରିଚୟ ପ୍ରଦାନ କରିଛନ୍ତି।
ସୋରଡା ଗ୍ରାମର ସୀର ମଲ୍ଲିକ୍ଙ୍କ ୧୮ ବର୍ଷର ପୁଅ ଭଜ ମଲ୍ଲିକ୍ ରକ୍ତ ଶିକୁଳି ରୋଗରେ ପୀଡ଼ିତ ଥିବା ବେଳେ ନିୟମିତ ତାକୁ ରକ୍ତ ଦେବାକୁ ପଡୁଛି। ତେବେ କିଛି ଦନ ତଳେ ତାର ଦେହ ଅସୁସ୍ଥ ହେବାରୁ ତାକୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତୁରନ୍ତ ତାକୁ ତିନୋଟି ୟୁନିଟ୍ ‘ଏ’ ପଜିଟିଭ ରକ୍ତ ଦେବା ପାଇଁ ପରାମର୍ଶ କରିଥିଲେ। ଯେନତେନ ପ୍ରକାରେ ଦୁଇ ୟୁନିଟ୍ ରକ୍ତ ଦିଆଯାଇଥିବା ବେଳେ ଆହୁରି ଗୋଟିଏ ୟୁନିଟ୍ ଦେବା ପାଇଁ ଡକ୍ତର କହିବାରୁ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ। ଏହି ଖବର ପାଇବା ପରେ ଏସ୍ଆଇ ସୀମର ବେହେରା ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଥିଲେ।
ଭଜର ପରିବାର ଲୋକେ ସମୀରଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଜଣେ ଅପରଚିତ ପିଲାର ଜୀବନ ବଞ୍ଚାଇ ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପୂର୍ବରୁ ମଧ୍ୟ ସମୀର ବହୁବାର ରକ୍ତଦାନ କରିଥିବା ବେଳେ ରକ୍ତଦାନ ହେଉଛି ମହତ୍ ଦାନ ଏବଂ ଏହାଦ୍ବାରା ଆତ୍ମ ସନ୍ତୋଷ ମିଳିଥାଏ ବୋଲି ସମୀର ପ୍ରକାଶ କରିଛନ୍ତି। ତାଙ୍କର ଏହି ମହତ୍ କାମକୁ ସମର୍ଥନ ଜଣାଇ ଭଞ୍ଜନଗର ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଏବଂ ଏସ୍ଆଇ ଲିତାରାଣି ପରିଡା ପାଖରେ ଉପସ୍ଥିତ ଥିଲେ।