ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ

ଚମ୍ପୁଆ: ନାବାଳିକା ଅପହରଣ ଘଟଣାରେ ଚମ୍ପୁଆ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚମ୍ପୁଆ ଥାନା ଘେରାଉ କରାଯାଇଛି। ଚମ୍ପୁଆ ବ୍ଲକ୍‌ କୁଟାରିପଶି ପଞ୍ଚାୟତର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଝାଡ଼ଖଣ୍ଡ ମଝିଗାଁର ଜଣେ କାଠମାଫିଆ ଫେବ୍ରୁଆରି ୪ ତାରିଖରେ ଅପହରଣ କରିଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା। ନାବାଳିକା ଜଣଙ୍କ ରାତିରେ ଶୌଚ ପାଇଁ ଯାଇଥିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଘଟଣାକୁ ୪୫ ଦିନ ବିତିଥିଲେ ମଧ୍ୟ ପୁଲିସ ଏଯାଏ ନାବାଳିକାକୁ ଉଦ୍ଧାର କରିନାହିଁ।

ଏନେଇ ପୂର୍ବରୁ ଏସ୍‌ପିଙ୍କଠାରେ ଅଭିଯୋଗ କରାଯାଇଥିଲା। ନାବାଳିକାଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ଉପସଭାନେତ୍ରୀ ସୁକେଶୀ ଓରାମ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ମନୋହର ଶର୍ମା, ବିଜେପି ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର, ଉପସଭାପତି ସ୍ବପ୍ନା ସାହୁ, ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, କରଞ୍ଜିଆ ମଣ୍ଡଳ ସଭାପତି ସରୋଜ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ସିଂହ, ଜର୍ମାନି ମହାନ୍ତ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ମହତାବ, ଏସ୍‌ସି ମୋର୍ଚ୍ଚା ସଭାପତି ରାଜବଲ୍ଲଭ ଦାସ, ବଡ଼ବିଲ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ଭୌମିକ, ମିତ୍ରଭାନୁ ମହାକୁଡ଼, ରମେଶ ପ୍ରଧାନ, ସନ୍ତୋଷ ସାହୁ, ମିଡିଆ ପ୍ରମୁଖ ଶାନ୍ତନୁ ଦାସଙ୍କ ନେତୃତ୍ବରେ ଶତାଧିକ ଲୋକେ ଏକ ଶୋଭାଯାତ୍ରାରେ ଆସି ଚମ୍ପୁଆ ଥାନା ଘେରାଉ କରିଥିଲେ। ଗୃହ ସଚିବଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ନାବାଳିକାଙ୍କୁୁ ଉଦ୍ଧାର କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର