ମାନବବାଦୀ ସଂଗଠନ ଦ୍ୱାରା ବିତାଡ଼ିତ ୬ ପରିବାରକୁ ଭେଟିଲେ ପୁଲିସ ଟିମ୍

ଖୋର୍ଦ୍ଧା : ଗତକାଲି ୨୦୧୪ ମସିହାରୁ ନିଆଁମୁହଁରୁ ମାନବାଦୀ ସଂଗଠନ ଦ୍ୱାରା ବିତାଡ଼ିତ ହୋଇ ଡାଳତୋଳା ଜଙ୍ଗଲରେ ୬ ସଅର ପରିବାର ରହୁଥିବା ଖବର ପ୍ରକାଶିତ ହୋଇଥିଲା । ଆଜି ଖୋର୍ଦ୍ଧା ଏସ୍ଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ପରିବାର ସଦସ୍ୟଙ୍କୁ ଭେଟି ପଚରାଉଚୁରା କରିଛନ୍ତି । ପଚରାଉଚୁରାରେ ସେମାନଙ୍କ ବିତାଡ଼ନ ଓ ନିର୍ଯାତନା ପଛରେ ମାନସ ଦାସର ପ୍ରତ୍ୟକ୍ଷ ସମ୍ପୃକ୍ତି ଅଛିକି ନାହିଁ ଜାଣିବାକୁ ଚାହିଁଥିଲେ ।
ଆଜି ସକାଳେ ଖୋର୍ଦ୍ଧା ଏସ୍ଡିପିଓ ସୁଶୀଲ ମିଶ୍ର, ସଦର ଥାନା ଅଧିକାରୀ ଅନୀତା ସାହୁ ଓ ଅନ୍ୟ ୫ଜଣ ପୁଲିସ ଅଧିକାରୀ ଡାଳତୋଳା ଗ୍ରାମରେ ପହଂଚିଥିଲେ । ସେଠାରେ ପରିବାର ସଦସ୍ୟଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ପଚରାଉଚୁରାରେ, ସେମାନଙ୍କ ଉପରେ କେଉଁ ପରିସ୍ଥିତିରେ ଆକ୍ରମଣ ହୋଇଥିଲା, ଆକ୍ରମଣ ପଛରେ କିଏ ଥିଲା, ମାନସ ଦାସ ସେଠାରେ ଉପସ୍ଥିତ ଥିଲେ କି ନାହିଁ ଆଦି ପ୍ରଶ୍ନ ପଚାରିଥିଲେ । ବିସ୍ଥାପିତ ହୋଇଥିବା ପରିବାର ମାନସ ଦାସ ସେମାନଙ୍କ ଉପରେ ଆକ୍ରମଣ ଦିନ ଉପସ୍ଥିତ ନଥିଲେ କିନ୍ତୁ ଏହା ପୂର୍ବରୁ କାଜୁ ଜଙ୍ଗଲ ନିଲାମକୁ ନେଇ ଉଠିଥିବା ବିବାଦ ଓ ତତ୍ସମ୍ପର୍କିତ ବୈଠକରେ ମାନସ ଦାସ ଉପସ୍ଥିତ ଥିବା କଥା କହିଥିଲେ । ସେମାନେ କହିଥିଲେ ଯେ ସେମାନେ ମାନସ ଦାସ ଯେଉଁମାନଙ୍କୁ କାଜୁ ଜଙ୍ଗଲ ନିଲାମରେ ସହାୟତା କରିବାକୁ କହିଥିଲା ତା’ର ପ୍ରତିପକ୍ଷକୁ ସମର୍ଥନ କରିଥିଲେ । ଏଥିରେ ମାନବବାଦ ସଂଗଠନର ସଦସ୍ୟମାନେ ସେମାନଙ୍କୁ ଆକ୍ରମଣ କରିବା ସହ ଗାଁରୁ ବିତାଡ଼ିତ କରିଥିଲେ । ଏପରିକି ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ମଧ୍ୟ ଦିଆଯାଇଥିଲା । ଦୀର୍ଘ ଦିନ ଗାଁରୁ ଦୂରେଇ ରହିବା ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରି ଜାମିନ ପାଇଥିଲେ । ଏହାପରେ ସେମାନେ ଏଠାରେ ଆସି ଜଙ୍ଗଲ ସଫା କରି ରହିଛନ୍ତି । ଗାଁରେ ସେମାନଙ୍କ ଘର ଥିଲେ ମଧ୍ୟ ମାନବବାଦ ସଂଗଠନ ଯୋଗୁଁ ଫେରି ପାରୁନାହାନ୍ତି ।
ତେବେ ଏନେଇ ସୂଚନାଦେଇ ଏସ୍ଡିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ ବିତାଡିତ ପରିବାର ଗାଁ ଗଣ୍ଡଗୋଳ ଯୋଗୁଁ ଅଲଗା ଅଛନ୍ତି । କୌଣସି ଜଙ୍ଗଲରେ ନୁହେଁ ରାସ୍ତାକଡ଼ରେ ଅଛନ୍ତି ।

ସମ୍ବନ୍ଧିତ ଖବର