ରାୟଗଡ଼ା: ବଢ଼ୁଛି ରୋଡ୍ ରୋମିଓଙ୍କ ପାର୍ଦୁଭାବ। ରାୟଗଡ଼ା ସହରର ରିଂ ରୋଡ୍, କଲେଜ, ବଜାର ଅଞ୍ଚଳରେ ବାଇକ୍ ଧରି ଚକ୍କର କାଟିବା ସହ ସ୍କୁଲ୍, କଲେଜ ଛାତ୍ରୀଙ୍କୁ ମାରୁଛନ୍ତି କମେଣ୍ଟ୍। ବେପାରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ମଧ୍ୟ ବଢ଼ୁଥିବାରୁ ରୋଡ୍ ରୋମିଓଙ୍କୁ ସାବାଡ୍ କରିବାକୁ ଗଠନ ହେବ ସିଭିଲ୍ ସ୍କ୍ବାର୍ଡ। ସାଧା ପୋଷାକରେ ପୁଲିସ୍ ଟିମ୍ ସହରର ପ୍ରମୁଖ ଛକ, ଗଳିକନ୍ଦିରେ ମୁତୟନ ପାଇଁ ହୋଇଛି ଯୋଜନା।
ରାୟଗଡ଼ା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ସିଭିଲ୍ ସ୍କ୍ବାର୍ଡ ଟିମ୍ ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ଟ୍ରାଫିକ୍ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସହରର ୩ ପ୍ରବେଶ ପଥରେ ମୁତୟନ ହୋଇଛନ୍ତି ବ୍ୟାପକ ପୁଲିସ୍। କିନ୍ତୁ ମୁଖ୍ୟ ସଡ଼କରୁ ରିଂ ରୋଡ୍ ଓ ଅନ୍ୟ ସାହିକୁ ସଂଯୋଗ ହୋଇଥିବା ପ୍ରମୁଖ ଛକ ରାସ୍ତାରେ ପୁଲିସ୍ ମୁତୟନ ହୋଇନଥିବାରୁ ବଢ଼ୁଛି ରୋମିଓଙ୍କ ଉତ୍ପାତ। କଲେଜ, ବେସରକାରୀ ଶିକ୍ଷାନୁଷ୍ଠାନ, ଦୈନିକ ବଜାର ଅଞ୍ଚଳରେ ରୋଡ୍ ରୋମିଓ ଏବଂ ଅସାମାଜିକ ଯୁବକଙ୍କ ପାର୍ଦୁଭାବ ସୀମା ଟପିବାରେ ଲାଗିଛି। ବେପାରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଥିବା ବେଳେ ବିକଟାଳ ହର୍ଣ୍ଣ, ସାଇଲେନସର୍ ସାଉଣ୍ଡ ଯୋଗୁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୂର୍ବାହଣ୍ ଓ ଅପରାହଣ୍ (କଲେଜ ଓ ଟ୍ୟୁସନ) ସମୟରେ ସାହି ଭିତରେ ସ୍ପିଡରେ ଗାଡ଼ି ଚଳାଇବା ସହ ହଠାତ୍ ବ୍ରେକ୍ ମାରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ ଯାତାୟାତ କରୁଥିବା ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପୁଲିସ୍ ପେଟ୍ରୋଲିଂ ଗାଡ଼ିକୁ ଦେଖିଲେ ରୋଡ୍ ରୋମିଓମାନେ ଗାଡ଼ିକୁ କିଛି ସମୟ ପାଇଁ ସ୍ଲୋ କରୁଥିବା ବେଳେ ପୁଲିସ୍ ଗଲା ପରେ ପୁଣି ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଛନ୍ତି। ଗତ ମାସକ ମଧ୍ୟରେ ସହର ଭିତରେ ୩ଟି ବଡ଼ ଦୁର୍ଘଟଣା ଘଟିବା ପରେ ଏ ନେଇ ଅଭିଭାବକ, ବୁଦ୍ଧିଜୀବୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ସିଭିଲ୍ ସ୍କ୍ବାର୍ଡ ଗଠନ କରିବାକୁ ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କୁ ଆରକ୍ଷୀ ଅଧୀକ୍ଷକ ନିର୍ଦେଶ ଦେଇଛନ୍ତି। ରିଂ ରୋଡ୍, ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଜ୍ୟୋତିମହଲ ରୋଡ୍, ଲାୟନସ୍ କ୍ଲବ୍, ଗାନ୍ଧୀ ନଗର, ଇନ୍ଦିରା ନଗର, କସ୍ତୁରୀ ନଗର, ମେଡ଼ିକାଲ୍ ଲାଇନ୍, ଆର୍. କେ. ନଗର, ଦୈନିକ ବଜାର, ରୟତ କଲୋନି, ସାଇପ୍ରିୟା ନଗର ଅଞ୍ଚଳରେ ସିଭିଲ୍ ସ୍କ୍ବାର୍ଡକୁ ମୁତୟନ କରିବା ପାଇଁ ଦାବି ହୋଇଛି।
ଅନ୍ୟପକ୍ଷରେ ଅନେକ ଯୁବକ ବିନା ଡ୍ରାଇଭିଂ ଲାଇସେନସରେ ଗାଡ଼ି ଚଳାଉଥିବା ବେଳେ ବହୁ ଚୋରା ବାଇକ୍ ମଧ୍ୟ ସହରରେ ବୁଲୁଛି। ପୂର୍ବ ଭଳି ସହର ଭିତରେ ଆରଟିଓ ଯାଞ୍ଚକୁ କଡାକଡି କଲେ ଚୋରା ବାଇକ ଚଳାଚଳ ଓ ରୋଡ୍ ରୋମିଓଙ୍କ ଉପରେ ଅଙ୍କୁଶ ଲାଗି ପାରିବ। ଗତ ରବିବାର ବେପାରୁଅ ବାଇକ୍ ଚାଳନା ଯୋଗୁ ସହରର ଗଙ୍ଗା ଗ୍ୟାରେଜ୍ ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ଅକାଳରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଚାଲିଯାଇଛି। ଗତ ମାସକ ମଧ୍ୟରେ ସହରରେ ବଡ଼ ଧରଣର ୩ଟି ଦୁର୍ଘଟଣାରେ ୫ ଜଣ ଆହତ ସହ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ପୁଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେଇ ସପ୍ତାହକରେ ୪୮୪ ଉଲ୍ଲଂଘନକାରୀଙ୍କ ନିକଟରୁ ୫ ଲକ୍ଷ ୫୧ ହଜାର ୪୦୦ ଟଙ୍କାର ଫାଇନ୍ ଆଦାୟ କରିଛି।