ଢେଙ୍କାନାଳ: ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ସେଲ୍‌ଟର ହୋମ୍‌ ମୁଖ୍ୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୁଲିସ

ଢେଙ୍କାନାଳ : ସଦର ବ୍ଲକ ବେଲ୍‌ଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ସେଲ୍‌ଟର ହୋମ୍‌’ରେ ଅନ୍ତେବାସିନୀଙ୍କୁ ଅସଦାଚରଣ ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଫାୟାଜ୍‌ ରେହମାନ୍‌ଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି। ରିମାଣ୍ଡ କାଳରେ ପୁଲିସ ଅଭିଯୁକ୍ତ ଡ.ରେହମାନଙ୍କୁ ଛାତ୍ରୀମାନଙ୍କ ପ୍ରତି ହୋଇଥିବା ଶାରୀରିକ ଅସଦାଚରଣ ଘଟଣା ସାଙ୍ଗକୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତଥା ଦୁଇ ବାହାର ରାଜ୍ୟରେ ତାଙ୍କ ସଂସ୍ଥା ପକ୍ଷରୁ ଚାଲିଥିବା ସେଲଟର୍‌ ହୋମ୍‌ଗୁଡ଼ିକର ପରିଚାଳନା ତଥା ବିଦେଶୀ ଲିଙ୍କ୍‌ ସଂପର୍କରେ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ବେଲଟିକିରି ସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ସେଲ୍‌ଟର ହୋମ୍‌’ରେ ଅନ୍ତେବାସିନୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ମାମଲା ପଦାକୁ ଆସିବା ପରେ ଗତ ୨ ତାରିଖ ଦିନ ଏହାର ମୁଖ୍ୟ ଡ.ଫାୟାଜ ରହେମାନଙ୍କୁ ସଦର ଥାନା ପୁଲିସ ଗିରଫ କରିଥିଲା। ସେହିପରି ଏହି ଘଟଣାରେ ପୁଲିସ ଡିଜି ଡ.ଆର.ପି.ଶର୍ମା ସମସ୍ତ ଏସପିଙ୍କୁ ଚିଠି ଲେଖି ସେମାନଙ୍କ ଜିଲ୍ଲାରେ ପରିଚାଳିତ ସେଲଟର ହୋମ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଆଜି ସଦର ଥାନା ପୁଲିସ ଡ.ଫୟାଜ ରହେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା ଆରମ୍ଭ କରିଛି। ଆବଶ୍ୟକ ପଡ଼ିଲେ ଅଧିକ ଦିନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର