ବାପପୁଅଙ୍କୁ ଥାନାଧିକାରୀଙ୍କର ନିସ୍ତୁକ ମାଡ଼ !

ବଡ଼ପୁଅ ଆତ୍ମହତ୍ୟା କରି ନଥିଲେ, ତାଙ୍କୁ ହତ୍ୟା କରା ଯାଇଥିଲା ବୋଲି ଅଭିଯୋଗ କରିବାକୁ ଯାଇଥିଲେ

ସୁନ୍ଦରଗଡ଼: ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ବାପା ସାନ ପୁଅ ସହ ଯାଇଥିଲେ ଥାନା। ଥାନାରେ ନ୍ୟାୟ ଦେବା ପୂର୍ବରୁ ଅଭିଯୋଗକାରୀ ବାପପୁଅଙ୍କୁ ଥାନାଧିକାରୀ ମାରିଲେ ନିସ୍ତୁକ ମାଡ଼ । ଲାଠିରେ ମାରିବା ସହିତ ଗୋଇଠା ଓ ଧକ୍କା ଦେଇଥିଲେ। ଏମିତି ଏକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନାଧିକାରୀଙ୍କ ବିରୋଧରେ। ମାଡ଼ ଖାଇବା ପରେ କିଞ୍ଜିରକେଲା ଥାନାସ୍ଥ ସାହେବଡେରାର ସାମୁଏଲ ଲାକଡା ଓ ତାଙ୍କ ପୁଅ ସାଲିମ ଲାକଡା ବୁଧବାର ସନ୍ଧ୍ୟାରେ କୁତ୍ରା ଡାକ୍ତରଖାନା ଆସି ଚିକିତ୍ସିତ ହୋଇଥିଲେ। ଲାଠି ମାଡ଼ରେ ପୁଅ ସାଲିମଙ୍କ ପିଠି ଓ ହାତରେ ନୋଳା ବସିଥିବା ଦେଖିବାକୁ ମିଳିଥିଲା।

ପ୍ରକାଶଯୋଗ୍ୟ, ଗତ ସେପ୍ଟେମ୍ବର ୨ ତାରିଖରେ କୁତ୍ରା ଥାନା ଅନ୍ତର୍ଗତ ଜଉରାମୁଣ୍ଡା ତେତେଲପଡ଼ାର ଏକ ଶାଳ ଗଛର ୩୦ ଫୁଟ ଉଚ୍ଚରୁ ସାହେବଡେରାର ସାମୁଏଲ ଲାକଡାଙ୍କ ପୁଅ ରୋଶନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କିଏ ହତ୍ୟା କରି ଏଠାରେ ଟାଙ୍ଗି ଦେଇଥିଲା ‌ତାହା ସେତେବେଳେ ସ୍ପଷ୍ଟ ହୋଇ ନଥିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। କିନ୍ତୁ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଆସୁଥିଲେ। ବୁଧବାର ସାମୁଏଲ ଓ ତାଙ୍କ ପୁଅ ସାଲିମ କୁତ୍ରା ଥାନାକୁ ଆସି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସନ୍ଦିଗ୍ଧ ଲୋକଙ୍କ ନାମ ପ୍ରକାଶ କରି ତୁରନ୍ତ ସେମାନଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଅନୁରୋଧ କରିଥିଲେ। ବାପା ସାମୁଏଲ ଥାନାଧିକାରୀଙ୍କୁ ଘଟଣା ସମ୍ପର୍କରେ କହୁଥିବା ବେଳେ ପୁଅ ସାଲିମ ମୋବାଇଲରେ ତାକୁ ରେକର୍ଡ କରୁଥିଲେ।

ଏହା ଦେଖି ଥାନାଧିକାରୀ ହଠାତ ରାଗି ଯାଇ ବାପପୁଅଙ୍କୁ ବିଧା, ଗୋଇଠା ଓ ଲାଠିରେ ମାଡ଼ ମାରିବା ସହ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ସାମୁଏଲ। ମାଡ଼ ଖାଇବା ପରେ ବାପପୁଅ କୁତ୍ରା ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇଥିଲେ। ଡାକ୍ତରୀ ରିପୋର୍ଟ‌ରେ ମଧ୍ୟ ଦେହରେ ଆଘାତ ଲାଗିଥିବା ଉଲ୍ଲେଖ ରହିଛି। ତେବେ ମାଡ଼ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଥାନାଧିକାରୀ ସୁଶାନ୍ତ ପରିଡ଼ା। ସେ କହିଛନ୍ତି, ‘‘ଅଭିଯୋଗକାରୀ ସାମୁଏଲଙ୍କ ପୁଅ ରୋଶନ ଲାକ୍ରା ଆତ୍ମହତ୍ୟା କରିଥିଲେ ମଧ୍ୟ ସେ ହତ୍ୟା ଅଭିଯୋଗ ନେଇ ଥାନାକୁ ଆସିଥିଲେ। ହତ୍ୟା ଅଭିଯୋଗ ସମ୍ପର୍କରେ ସେ ସାମୁଏଲଙ୍କ ସହ କଥା ହେଉଥିବା ‌ବେଳେ ସାଙ୍ଗରେ ଆସିଥିବା ପୁଅ ସାଲିମ ମୋବାଇଲରେ ରେକର୍ଡ କରୁଥିବା ନଜରକୁ ଆସିବାରୁ ମୁଁ କେବଳ ମନା କରିଥିଲି। ମାଡ଼ ଅଭିଯୋଗରେ କୌଣସି ସତ୍ୟତା ନାହିଁ।’’

ଏ ସମ୍ପର୍କରେ ବାପପୁଅ ଏସ୍‌ପିଙ୍କୁ ଅଭିଯୋଗ କରି ନ୍ୟାୟ ମାଗିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର