ପୁଲିସ ଅଧିକାରୀଙ୍କ ଗାଡ଼ି ଓ ଲୁହା ବୋଝେଇ ଟାଟା ଏସିଇ ଧକ୍କା ; ଏସ୍‌ଡିପିଓ ଆହତ

ବାମରା : ସମ୍ବଲପୁର ଜିଲ୍ଲା ବାମରା(ବାଘପଡ଼ା)ଘାଟିଠାରେ ଶନିବାର ଅପରାହ୍‌ଣରେ କୁଚିଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଗାଡ଼ି ଏବଂ ଏକ ଲୁହା ଛଡ଼ ବୋଝେଇ ଟାଟା ଏସିଇ ମଧ୍ୟରେ ଧକ୍କା ହେବା ଫଳରେ ଏସ୍‌ଡିପିଓ ରାଜକିଶୋର ମିଶ୍ର ଆହତ ହୋଇଛନ୍ତି । ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବାମରା ଗସ୍ତରେ ଆସିଥିବା ସମ୍ବଲପୁର ଏସ୍‌ପି ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଶନିବାର ଗୋବିନ୍ଦପୁର ଥାନା ନିରୀକ୍ଷଣ ଉଦ୍ଦେଶ୍ୟରେ ସମ୍ବଲପୁର ଏସ୍‌ପି ବି ଗଙ୍ଗାଧର ବାମରାରେ ପହଞ୍ଚିଥିଲେ । କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ମଧ୍ୟ ଅପରାହ୍‌ଣରେ କୁଚିଣ୍ଡାରୁ ବାହାରିଥିଲେ। ଏହି ସମୟରେ ବାମରା (ବାଘ ପଡ଼ା) ଘାଟି ଆମ ମୁଣ୍ଡା ଛକ ନିକଟରେ ବାମରାରୁ କୁଚିଣ୍ଡା ପଟକୁ ଯାଉଥିବା ଏକ ଲୁହା ଛଡ଼ ବୋଝେଇ ଟାଟା ଏସିଇରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିବାରୁ ଭାରସାମ୍ୟ ହରାଇ ଡାହାଣ ପଟକୁ ଦ୍ରୁତ ଗତିରେ ଯାଇ ପୁଲିସ ଗାଡ଼ିରେ ପିଟି ହୋଇଥିଲା ଫଳରେ ଉକ୍ତ ଗାଡ଼ିର ଦୁଇଟି ଚକ ଫାଟି ପଟା ଭାଙ୍ଗି ଯାଇଥିବା ବେଳେ, ପୁଲିସ ଗାଡ଼ି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଡାହାଣ ପଟକୁ କାଟି ଦେଇଥିଲେ। ଏଥିରେ ରାସ୍ତା କଡରେ ଥିବା ଡ୍ରେନ୍‌ ଅତିକ୍ରମ କଲା ପରେ  ସାଇଡ଼ ୱାଲରେ ପିଟି ହୋଇ ପୁଲିସ ଗାଡ଼ି ବହୁ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଏସ୍ ଡି ପି ଓ ଶ୍ରୀ ମିଶ୍ର ଆହତ ହୋଇଥିଲେ। ସୂଚନା ପାଇ ବାମରା ସରକାରୀ ଡାକ ବଙ୍ଗଳାରେ ଥିବା ଏସ୍‌ପି ବି ଗଙ୍ଗାଧର ଏବଂ ଗୋବିନ୍ଦପୁର ଥାନା ଅଧିକାରୀ ପି.କେ. ରଣା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ଏସ୍‌ଡିପିଓ ଶ୍ରୀ ମିଶ୍ର ପ୍ରାଥମିକ ଚିକିତ୍ସା ପରେ କୁଚିଣ୍ଡା ଫେରିଥିବା ସୂଚନା ମିଳିଛି। ଏସ୍ଆଇ ଥୋମାସ କେର୍କେଟା, ଏଏସ୍ ଆଇ ଜେ କିସାନ ଓ କର୍ମଚାରୀମାନେ ପହଞ୍ଚି ଥିବା ବେଳେ, ଏକ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି । ଦୁର୍ଘଟଣା ଗ୍ରସ୍ତ ଟାଟା ଏସି (ଓଡି-୧୬-ଇ-୯୫୩୭) ଓ ପୁଲିସ ଗାଡ଼ି(ବୋଲେରୋ) ( ଓଡି୦୫-ଜି ୭୮୦୫) କୁ ଥାନାକୁ ଅଣାଯାଇଛି । ଘଟଣାରେ ମାଲ ବୋଝେଇ ଗାଡ଼ି ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର