ଇଡ଼କୋ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣକୁ ତୀବ୍ର ବିରୋଧ, ଗ୍ରାମବାସୀ-ପୁଲିସ ପ୍ରଶାସନ ମୁଁହାମୁହିଁ

ସୁନ୍ଦରଗଡ଼: ଇଡ଼କୋ ମାଲିକାନାରେ ଥିବା ସରକାରୀ ଜମି ଉପରେ ପ୍ରସ୍ତାବିତ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନକୁ ତୀବ୍ର ବିରୋଧ। ଇଡ଼କୋ ପକ୍ଷରୁ ପାଚେରୀ ନିର୍ମାଣ କାମ ଆରମ୍ଭ ହେବାପୂର୍ବରୁ ପୁଲିସ ଓ ଗ୍ରାମବାସୀ ମୁଁହାମୁହିଁ ହୋଇଛନ୍ତି। ପୁଲିସ ସହ କେତେକ ଗ୍ରାମବାସୀଙ୍କ ଧସ୍ତାଧସ୍ତି ହୋଇଛି । ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି। ସୁନ୍ଦରଗଡ଼ ଜିଲ୍ଲା, ନୂଆଗାଁ ବ୍ଲକ ଝାରବେଡା ପଞ୍ଚାୟତ ଅନ୍ତର୍ଗତ ରିଉଁ ଗ୍ରାମରେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

୨୦୧୬ ମସିହାରେ ଇଡ଼କୋକୁ ୧୪୩ ଏକର ଜମି ବିଧିବଦ୍ଧ ଭାବେ ହସ୍ତାନ୍ତର ହେବାପରେ ମଧ୍ୟ ଏହା ଗ୍ରାମବାସୀଙ୍କ ଦଖଲରେ ରହିଆସିଛି। ଏବେ ଉକ୍ତ ଜମିରେ ଏମ.ଏସ.ଏମ.ଇ ପାର୍କ ସ୍ଥାପନ ପାଇଁ ଇଡ଼କୋ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

କର୍ତ୍ତୃପକ୍ଷ ଉକ୍ତ ସ୍ଥାନରେ ପାଚେରୀ ନିର୍ମାଣ ପାଇଁ ସଜବାଜ ହୋଇ ଯାଇଥିବା ବେଳେ ଶତାଧିକ ପୁରୁଷ ଓ ମହିଳାଙ୍କ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଛି। ୮ ପ୍ଲାଟୁନ ଫୋର୍ସ, ବରିଷ୍ଠ ପୁଲିସ ପଦାଧିକାରୀ, ଦୁଇ ମାଜିଷ୍ଟ୍ରେଟ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗ୍ରାମବାସୀ ବିରୋଧ କରିବା ସହ ଇଞ୍ଚେ ହେଲେ ବି’ ଜମି ଛାଡିବେ ନାହିଁ ବୋଲି ଜିଦ ଧରିଥିଲେ। ଏଭଳି ଛକାପଞ୍ଝା ଭିତରେ ପ୍ରଶାସନ କିଛିମାତ୍ରାରେ ବିରୋଧକୁ କେତେକାଂଶରେ ପ୍ରତିରୋଧ କରିବାକୁ ସକ୍ଷମ ହୋଇଥିଲା।

ବିରୋଧ କରୁଥିବା ମହିଳା ଓ ପୁରୁଷଙ୍କୁ ଅଟକ ରଖି ନିର୍ମାଣ କାମ ଆରମ୍ଭ କରିଥିଲେ ଇଡ଼କୋ କର୍ତ୍ତୃପକ୍ଷ। ତେବେ ନେତୃତ୍ୱ ନେଉଥିବା ୫ ଜଣ ପରୁଷ ଆନ୍ଦୋନକାରୀଙ୍କୁ ଅଟକ ରଖି ଅନ୍ୟ ସମସ୍ତଙ୍କୁ ଛାଡ଼ିଦେଇଥିଲା ପୁଲିସ। କୌଣସି ପରିସ୍ଥିତିରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବନି ଏବଂ ଆବଶ୍ୟକ ପଡ଼ିଲେ କଠୋର ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ଚେତାବନୀ ଦିଆଯିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି ପାଚେରୀ ନିର୍ମାଣ କାର୍ଯ୍ୟ।

ସେପଟେ ସରକାରୀ ଜମି ଉପରେ କୌଣସି ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ କରିବାର ଯଥାର୍ଥତା ନାହିଁ। ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ହେଲେ ଅଞ୍ଚଳର ସାମଗ୍ରୀକ ବିକାଶ ସାଙ୍ଗକୁ ସ୍ଥାନୀୟ ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ସମ୍ବନ୍ଧିତ ଖବର