ଗାଁ ଗାଁରେ ଠେଙ୍ଗା ବାହିନୀ: ସୁରକ୍ଷାର ସାରଥୀ ପାଲଟିଛନ୍ତି ଯୁବଗୋଷ୍ଠୀ, ଜଗିଛନ୍ତି ଗାଁ, ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

କୋରାପୁଟ: ଏବେ କେଉଁ ଗାଁକୁ ଯିବା ବିଲକୁଲ ସହଜ ନୁହେଁ। ଅଜଣା, ଅଶୁଣା ଲୋକ ତ ଗାଁରେ ପଶିବା ମନା। ଗାଁ ଭିତରକୁ ଯିବାକୁ ହେଲେ ପର୍ୟ୍ୟାପ୍ତ କାରଣ ଥିବା ଆବଶ୍ୟକ। ପୁଣି ଗାଁକୁ ପଶିବା ପୂର୍ବରୁ ସାବୁନରେ ହାତ ଧୋଇବା ବାଧ୍ୟତାମୂଳକ। କାରଣ ଗାଁ ଜଗିଛନ୍ତି ଠେଙ୍ଗା ବାହିନୀ। ଗାଁ ଭିତରକୁ ଆଗନ୍ତୁକଙ୍କୁ ପଶିବାକୁ ଦେଉ ନାହାନ୍ତି। କରୋନା ନେଇ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲାବେଳେ କୋରାପୁଟ ଜିଲ୍ଲାର ଶହ ଶହ ଗାଁରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ପାଳି କରି ଗାଁ ଜଗୁଛନ୍ତି ଯୁବଗୋଷ୍ଠୀ। ଗାଁକୁ କରୋନାରୁ ସୁରକ୍ଷା ଦେବା ପାଇଁ ଏମାନେ ସାରଥୀ ପାଲଟିଛନ୍ତି। କେବଳ ଏତିକି ନୁହେଁ, କରୋନା ମୁକାବିଲା ନେଇ ସେମାନେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସମାଜକୁ ଏକ ସୁସ୍ଥ ସନ୍ଦେଶ ଦେଉଛନ୍ତି।

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ କେବଳ ସଚେତନତା ହିଁ ଏହି ଭାଇରସର ସଂକ୍ରମଣକୁ ରୋକିପାରିବ। ଏଥିପାଇଁ କୌଣସି ଔଷଧ ବାହାରି ନ ଥିଲାବେଳେ ଲୋକମାନେ ନିଜ ଘରେ ରହି ସଂକ୍ରମଣରୁ ରକ୍ଷା ପାଇ ପାରିବେ। ବାହାରକୁ ବାହାରି ଭାଇରସକୁ ଗାଁକୁ ନ ଆଣିବା ପାଇଁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି। ଏପରିକି ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। କିନ୍ତୁ କିଛି ଲୋକ ଏହାକୁ ମାନୁ ନାହାନ୍ତି। ଘରେ ନ ରହି ବାହାରେ ଚକକର କାଟୁଛନ୍ତି। ଫଳରେ ସଂକ୍ରମଣର ଆଶଙ୍କା ବଢି ଯାଉଛି। ଏହାକୁ ପ୍ରତିହତ କରିବା ପାଇଁ ଏବେ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁରେ ସଚେତନ ଯୁବକମାନେ ଆଗକୁ ଆସିଛନ୍ତି। ଗାଁକୁ ଏହି କରୋନା ଭାଇରସକୁ ପଶାଇ ନ ଦେବା ପାଇଁ ସେମ‌ାନେ ପଣ କରିଛନ୍ତି। ଗାଁ ମୁଣ୍ଡରେ ପାଳି କରି ଜଗୁଛନ୍ତି। ଅଜଣା ଲୋକଙ୍କୁ ଗାଁ ଭିତରକୁ ପଶିବାକୁ ଅନୁମତି ଦେଉ ନାହାନ୍ତି। କୌଣସି ଜରୁରୀ କାମରେ କିଏ ଆସିଥିଲେ ହାତ ଧୋଇ ଯିବାକୁ ବାଧ୍ୟ କରୁଛନ୍ତି। ଖାଲି ଏତିକି ନୁହେଁ, ଗାଁ ଲୋକ ମଧ୍ୟ ବାହାରକୁ ଯିବା ଉପରେ ରୋକ ଲାଗିଛି। ବିନା କାରଣରେ ଗାଁରୁ ଯେମିତି କେହି କେବଳ ଅତ୍ୟ‌ାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ତେବେ ଏହି ଯିବା ଆସିବା ସମୟରେ ସାବୁନରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି।

କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ଡଙ୍ଗରି ଓ ତା ଆଖପାଖ ୧୦ ଖଣ୍ଡ ଗାଁର ଲୋକେ କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଡଙ୍ଗରି ଛକଠାରେ ଏକ ଅସ୍ଥାୟୀ ଫାଟକ ନିର୍ମାଣ କରି ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରବେଶକୁ ନିଷେଧ କରିବା ସହିତ ଗ୍ରାମବାସୀଙ୍କ ଯିବା ଆସିବାକୁ ମଧ୍ୟ ନିୟନ୍ତ୍ରଣ କରାଯାଉଛି। ଏହି ଦଶ ଖଣ୍ଡ ଗାଁରୁ ଜଣେ ଦୁଇଜଣ ପ୍ରତିନିଧି ଭାବେ ଏହି ଛକକୁ ଆସି ସାମାଜିକ ଦୂରତ୍ବ ପାଳନ କରିବା, ସାବୁନରେ ହାତ ଧୋଇବା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଅଭ୍ୟାସ ସଂପର୍କରେ ଜାଣିବା ପାଇଁ ପ୍ରୟାସ କରିଥିଲେ । ଅଙ୍ଗନବାଡି ଦିଦି ଏହି ଲୋକମାନଙ୍କୁ ସ୍ବାସ୍ଥ୍ୟଗତ ବିଷୟ ସମ୍ପର୍କରେ ଧାରଣା ଦେଇଥିବା ବେଳେ ପଂଚାୟତର ୱାର୍ଡ ମେମ୍ବର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ନିର୍ଦେଶନାମା ସମ୍ପର୍କରେ ଅବଗତ କରାଇଥିଲେ। ଲୋକେ ଏକାଠି କଥାବାର୍ତା କରିବା ସମୟରେ ପରସ୍ପରଠାରୁ ଆବଶ୍ୟକ ହେଉଥିବା ଦୂରତ୍ୱ ବଜାୟ ରଖି ଏକ ଉଦାହରଣ ସୃଷ୍ଟି କରିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହଁ, ଜିଲ୍ଲାର ବିଭିନ୍ନ ଅଂଚଳରେ ଏମିତି ଚିତ୍ର ଏବେ ଦେଖିବାକୁ ମିଳୁଛି। ଏପରିକି ପଛୁଆ ଅଂଚଳ କୁହାଯାଉଥିବା ବନ୍ଧୁଗାଁ, ନାରାୟଣପାଟଣା ଆଦି ଅଂଚଳରେ ବି ଏମିତି ଯୁବ ଗୋଷ୍ଠୀ ଗାଁ ସୁରକ୍ଷାର ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି।

ଏହି ଯୁବକମାନେ କେବଳ ଗାଁକୁ ଜଗି ନାହାନ୍ତି, ବରଂ ଗାଁ ଲୋକଙ୍କୁ ବିଭିନ୍ନ ବାଟରେ ସଚେତନ କରାଉଛନ୍ତି। କରୋନାରୁ କେମିତି ରକ୍ଷା ମିଳିପାରିବ ସେଥିନେଇ ବୁଝାଉଛନ୍ତି। ବାରମ୍ବାର ସାବୁନରେ ହାତ ଧୋଇବା, ଘରୁ ନ ବାହାରିବା, ପରସ୍ପର ସହ ମିଶିବା ସମୟରେ ସାମାଜିକ ଦୂରତ୍ବ ରଖିବା, ବାହାରୁ କୌଣସି ଲୋକ ଆସିଥିଲେ ତାଙ୍କୁ ଏକାନ୍ତବାସରେ ରଖାଯିବା ନେଇ ଲୋକଙ୍କୁ ସଚେତନ କରାଯାଉଛି। ଏହା ସହିତ ଗୁଜବ ଉପରେ ବିଶ୍ବାସ ନ କରି ଟିଭି ଓ ଖବରକାଗଜରେ ଦିଆଯାଉଥିବା ବାର୍ତାକୁ ବିଶ୍ବାସ କରିବାକୁ ପରାମର୍ଶ ଦେଉଛନ୍ତି। ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ବ ଦେଉଛନ୍ତି ଏହି ଯୁବଗୋଷ୍ଠୀ। ଫଳରେ ପ୍ରଶାସନ ପାଇଁ ଏବେ କାମ କିଛି ସହଜ ହୋଇ ପାରିଛି। ସହରରେ ବାସ କରୁଥିବା ଲୋକ ବିଭିନ୍ନ ବାହାନାରେ ବାହାରକୁ ବାହାରୁଥିଲାବେଳେ ଗାଁରେ ଏମିତି ଘଟଣା ଏକ ଭିନ୍ନ ଉଦାହରଣ ସୃଷ୍ଟି କରୁଛି। ଅପରପକ୍ଷରେ କୋରାପୁଟରୁ ଶୁଭିଥିବା ଏହି ପରିବର୍ତ୍ତର ସ୍ବର କରୋନା ସହ ଲଢିବା ପାଇଁ ସାରା ଓଡ଼ିଶାକୁ ଶକ୍ତି ଦେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର