ମାନବିକତା ଦେଖାଇ ଚର୍ଚ୍ଚାରେ ହାବିଲଦାର; ସୋରେନ୍‌ଙ୍କୁ ସାବାସୀ

ନିଶାସକ୍ତ ବାପାକୁ ଅଟକାଇ ତିନି ପିଲାକୁ କାର‌୍‌ରେ ନେଇ ଘରେ ଛାଡ଼ିଲେ

କେନ୍ଦ୍ରାପଡ଼ା: ନରେନ୍ଦ୍ର ନାଥ ସୋରେନ୍‌। ବୟସ ୪୩। ପୁରୁଣା ବସ୍‌ଷ୍ଟାଣ୍ତ୍‌ ସହରାଞ୍ଚଳ ଫାଣ୍ତି-୨ରେ ହାବିଲଦାର ଭାବେ କାର୍ଯ୍ୟରତ। କିନ୍ତୁ ଏବେ ସେ ଚର୍ଚ୍ଚାରେ। ଏସ୍‌ପିଙ୍କଠୁ ଡିଏସ୍‌ପି, ଇନସ୍ପେକ୍ଟର‌୍‌ଙ୍କ ଯାଏ ସମସ୍ତେ ତାଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତାକୁ ଭୁରି ଭୁରି ପ୍ରଶ˚ସା କରିଛନ୍ତି। କେବଳ ପ୍ରଶ˚ସା ନୁହେଁ; ଏସ୍‌ପି ତାଙ୍କ ମାନବିକତାକୁ ସାବାସୀ ଜଣାଇ ଟୁଇଟ୍‌ କରିବା ସହିତ ପୁରସ୍କୃତ ମଧ୍ୟ କରିଛନ୍ତି। କାରଣଟି ବି କମ୍‌ କୌତୂହଳର ଘଟଣା ନୁହେଁ। ମଦ୍ୟପ ଧରପଗଡ଼ ବେଳେ ତିନି ପିଲାଙ୍କୁ ଧରି ନିଶାସକ୍ତ ଅବସ୍ଥାରେ ବେପରୁଆ କାର‌୍‌ ଚଲାଉଥିବା ବାପାକୁ ଅଟକାଇବା ଏବ˚ ଦୁର୍ଘଟଣା ଆଶଙ୍କାରେ ନିଜେ କାର‌୍‌ ଚଳାଇ ସେହି ପିଲାମାନଙ୍କୁ ନେଇ ଘରେ ଛାଡ଼ିବା ଘଟଣା ହାବିଲଦାର‌୍‌ ସୋରେନ୍‌ଙ୍କୁ ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଟାଣି ଆଣିଛି।

ଘଟଣା ଚାରି ଦିନ ତଳର। ୧୨ତାରିଖ ରାତି ପ୍ରାୟ ୧୧ଟାରେ ପୁରୁଣା ବସଷ୍ଟାଣ୍ତ୍‌ରେ ମଦୁଆ ଧରପଗଡ଼ ଚାଲିଥିଲା। ଟାଉନ୍‌ ପୁଲିସ ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ଖୋଦ ଏସ୍‌ପି ମଦକର ସନ୍ଦିପ ସ˚ପଦ ବି ଉପସ୍ଥିତ ଥିଲେ। ଠିକ୍‌ ଏହି ସମୟରେ ତିନି ଛୋଟ ପିଲା ବସିଥିବା ଏକ ଇଣ୍ତିଗୋ କାର‌୍‌ ଆସି ପୁରୁଣା ବସ୍‌ଷ୍ଟାଣ୍ତ୍‌ରେ ପହଞ୍ଚିଥିଲା। ଡ୍ରାଇଭର‌୍‌ ସିଟ୍‌ରେ ବସିଥିବା ବ୍ୟକ୍ତି ଜଣକ ପ୍ରଚୁର ମଦ୍ୟପାନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଏହି ଡ୍ରାଇଭର‌୍‌ ନିକଟକୁ ଯାଇ ହାବିଲଦାର ସୋରେନ୍‌ ଯେତେବେଳେ ତାଙ୍କ ଅବସ୍ଥା ଦେଖିଲେ, ଚମକି ପଡ଼ିଥିଲେ। ବୁଝୁବୁଝୁ ଜଣାପଡ଼ିଥିଲା ଯେ ପ୍ରଚୁର ମଦ୍ୟପାନ କରିଥିବା ବ୍ୟକ୍ତି ଜଣକ ଡ୍ରାଇଭର‌୍‌ ନୁହନ୍ତି, ବର˚ କାର‌୍‌ରେ ବସିଥିବା ପିଲାମାନଙ୍କର ବାପା। ତାଙ୍କ ଘର ବଳଗଣ୍ତିରେ। ପିଲାମାନଙ୍କୁ କାର‌୍‌ରେ ବସାଇ ସହର ବୁଲାଉଥିଲେ। ହେଲେ ନିଶାରେ ଥିବାରୁ ଯେକୌଣସି ସମୟରେ ବି ଦୁର୍ଘଟଣା ଘଟିପାରେ, ଏହି ଆଶଙ୍କାରେ ହାବିଲଦାର ସୋରେନ୍‌ ଆଉ କାର‌୍‌କୁ ଆଗକୁ ବଢ଼ିବାକୁ ଦେଇନଥିଲେ। ବର˚ ମଦ୍ୟପ ବାପାଙ୍କୁ ପୁଲିସ ହେପାଜତକୁ ଦେଇ ନିଜେ କାର‌୍‌ ଚଳାଇ ସେହି ପିଲାମାନଙ୍କୁ ନେଇ ବଳଗଣ୍ତିସ୍ଥିତ ଘରେ ଛାଡ଼ିଥିଲେ। ନିଶାପାନ କରି ଗାଡ଼ି ଚଳାଇଥିବାରୁ ମଦ୍ୟପ ବାପାଙ୍କୁ ଥାନାରେ ଦୀର୍ଘ ସମୟ ରାତିରେ ଅଟକ ରଖିବା ସହିତ ତାଙ୍କଠୁ ଜରିମାନା ଆଦାୟ କରିଥିଲେ।

ହେଲେ ଏହି ମଦ୍ୟପ ଧରପଗଡ଼ ବେଳେ ହାବିଲଦାର ସୋରେନ୍‌ ତିନି ପିଲାଙ୍କୁ ଘରେ ଛାଡ଼ି ଯେଉଁ ମାନବିକତାର ପରିଚୟ ଦେଇଥିଲେ, ତାକୁ ପ୍ରଶ˚ସା କରି ରହିପାରିନାହାନ୍ତି ଏସ୍‌ପି। ସୋରେନଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିବା ସହିତ ତାଙ୍କ ଏଭଳି କାର୍ଯ୍ୟକୁ ସାବାସୀ ଜଣାଇଛନ୍ତି। ଏହି ଟୁଇଟ୍‌ ପରେ ଏବେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସାମାଜିକ ଗଣମାଧ୍ୟମରେ ବି ସୋରେନ୍‌ଙ୍କ ଏଭଳି ମାନବୀୟ କାର୍ଯ୍ୟକୁ ଖୁବ୍‌ ପ୍ରଶ˚ସା କରାଯାଉଛି। ମୟୁରଭ˚ଜ ଜିଲ୍ଲା ସୀମଗଡ଼ିଆ ଅ˚ଚଳର ହାବିଲଦାର‌୍‌ ସୋରେନ୍‌ କହିଛନ୍ତି ଯେ ୨୧ବର୍ଷର ଚାକିରି କାଳ ଭିତରେ ଜନସାଧାରଣ ଏବ˚ ଉପରିସ୍ଥ ଅଧିକାରୀଙ୍କ ବିଶ୍ବାସଭାଜନ ହେବାଠୁ ବଡ଼ ଉପଲବ୍ଧି କିଛି ନ ଥାଏ। ପୁଲିସର କାମ ହେଉଛି ଜନସାଧାରଣଙ୍କ ସେବା କରିବା। ଆଉ ସେହି କାମ ଯୋଗୁ ଯେତେବେଳେ ପ୍ରଶ˚ସା ମିଳୁଛି, ଖୁସି ତ ଲାଗୁଛି, ତା’ ସହିତ ଆଗକୁ ଆହୁରି ଭଲ କାମ ପାଇଁ ପ୍ରେରଣା ଯୋଗାଇଛି ବୋଲି ଖୁସିରେ ଆତ୍ମହରା ସୋରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର