ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଦଳର ନେତାମାନେ ଏବେ ପ୍ରଚାରକୁ ଜୋରଦାର କରିଦେଇଛନ୍ତି। ରାଜ୍ୟରେ ମୋଟ ୮୫୨ ଜିଲ୍ଲା ପରିଷଦ ଜୋନ ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଦେଇଛନ୍ତି।
ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ୩ ହଜାର ୪୦୭ ପ୍ରାର୍ଥୀ ଲଢିବେ । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସର୍ବାଧିକ ୮୫୧ଟି ସ୍ଥାନରେ ପ୍ରାର୍ଥୀ ଦିଆଯାଇଛି। ବିଜେପି ୮୪୮ ଜଣଙ୍କୁ ନିର୍ବାଚନ ମଇଦାନ୍ରେ ଛିଡ଼ା କରାଇଥିବା ବେଳେ କଂଗ୍ରେସ ୮୩୬ ଜଣଙ୍କୁ ଅବତୀର୍ଣ୍ଣ କରାଇଛି। ସେହିପରି ବିଏସ୍ପି ୧୫୯, ସିପିଆଇ(ଏମ୍)ର ୭୨, ଜେଏମଏମ ୪୭, ସିପିଆଇ ୩୮, ଆପ୍ ୩୨, ଏଜେଏସୟୁ ୧୨, ଅନ୍ୟାନ୍ୟ ୨୧୪ ଓ ସ୍ୱାଧୀନ ଭାବେ ୨୯୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ପ୍ରାର୍ଥୀ ମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ନିର୍ବାଚନ ତାତି ଆରମ୍ଭ ହୋଇସାରିଛନ୍ତି। ବିଭିନ୍ନ ଦଳ ରଣନୀତି ଆରମ୍ଭ କରିସାରିଛନ୍ତି । ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ମନାଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ପ୍ରାର୍ଥୀ।