କୋରକୋଣ୍ଡା ମଣ୍ଡିରେ ବିଜେପିର ବିକ୍ଷୋଭ; ମଣ୍ଡି ତୁରନ୍ତ ଆରମ୍ଭ କରିବା ନେଇ ପୂର୍ବତନ ସାଂସଦଙ୍କ ଦାବି

ମାଲକାନଗିରି: ତିନି ତିନୋଟି ଟାର୍ଗେଟ ପୂରଣ ହେବା ପରେ ମାଲକାନଗିରି ଜିଲ୍ଲାରେ ଇତି ମଧ୍ୟରେ ମଣ୍ଡି ଏକ ପ୍ରକାର ବନ୍ଦ ହୋଇଯାଇଛି। ତେବେ ଧାନ ମଣ୍ଡି ବନ୍ଦ ହେବା ପରେ ରାଜନୈତିକ ଦଳଗୁଡିକ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ ମଣ୍ଡିକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପହଞ୍ଚି ଚାଷୀଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି କଂଗ୍ରେସର ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝି କାଲିମେଳାରେ ପହଞ୍ଚି ମଣ୍ଡି ବନ୍ଦ କରାଯାଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ଚାଷୀଙ୍କର ଧାନକୁ ଉଠାଇବା ପାଇଁ ଦାବି କରିଛନ୍ତି । ସେହିପରି ଆଜି ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କ ନେତୃତ୍ବରେ କୋରକୋଣ୍ଡା ମଣ୍ଡିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଠାରେ ପଡି ରହିଥିବା ଶହ ଶହ କ୍ବିଣ୍ଟାଲ ଧାନକୁ ତୁରନ୍ତ ପ୍ରଶାସନ ଖରିଦ କରୁ ବୋଲି ସେ ଦାବି କରିଥିଲେ।

ଚାଷୀଙ୍କ ଧାନ ଖରିଦ କରିବାକୁ କୌଣସି ଅସୁବିଧା ନାହିଁ। ମାଲକାନଗିରି ଜିଲ୍ଲାରେ ୧୭ ଲକ୍ଷ କ୍ବିଣ୍ଟାଲ ଧାନ ଖରିଦ କରାଯିବା ପାଇଁ ଦାବି କରାଯାଇଛି। ବର୍ତ୍ତମାନ ସୁଦ୍ଧା ତିନୋଟି ପର୍ଯ୍ୟାୟରେ ୭ ଲକ୍ଷ ୫୫ ହଜାର କ୍ବିଣ୍ଟାଲ,୨ ଲକ୍ଷ ୪୩ ହଜାର କ୍ବିଣ୍ଟାଲ ଏବଂ ୭୪ ହଜାର କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ପ୍ରାୟ ୧୦ ଲକ୍ଷ ୫୩ ହଜାର କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ଆହୁରି ୭ ଲକ୍ଷ କ୍ବିଣ୍ଟାଲ ଧାନ ଜିଲ୍ଲାର ୬୪ଟି ମଣ୍ଡିରେ ପଡି ରହିଥିବା ଶ୍ରୀ ମାଝି ଅଭିଯୋଗ କରିଥିଲେ। ଶୀତ କାକରରେ ଚାଷୀ ମଣ୍ଡିରେ ଧାନକୁ ଜଗି ରହିଛି। ମଣ୍ଡିରେ ଗୋଦାମ ଘର ରହିଥିଲେ ମଧ୍ୟ ସେଥିରେ କେନ୍ଦୁପତ୍ର ରଖାଯାଉଛି ସିନା ଚାଷୀଙ୍କ ଧାନ ରଖାଯାଇପାରୁନାହିଁ। ପୁଣି ମଣ୍ଡିରେ କ୍ବିଣ୍ଟାଲ ପିଛା ୪ରୁ ୫ କ୍ବିଣ୍ଟାଲ ଧାନ କଟାଯାଉଥିବା ଶ୍ରୀ ମାଝି ଅଭିଯୋଗ କରିଥିଲେ। ମଣ୍ଡିରେ ଚାଲୁଥିବା ଅବ୍ୟବସ୍ଥା ଏବଂ ଚାଷୀଙ୍କ ଧାନକୁ ତୁରନ୍ତ ଖରିଦ କରିବା ନେଇ ସେ ଦାବି କରିବା ସହ ଆଗାମୀ ଦିନରେ ଏନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର