ସୁନ୍ଦରଗଡ଼: ଏମସିଏଲ କୁଲଡା କୋଇଲା ଖଣି ଓ ଛତିଶଗଡ଼ ତମନାର ତାପଜ ବିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନରେ ପରିବେଶ ନିୟମ ଉଲ୍ଲଂଘନ ହେଉଥିବା ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଏନଜିଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ଓ ଛତିଶଗଡର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱରର ଆଞ୍ଚଳିକ ଅଧିକାରୀ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତଥା ସୁନ୍ଦରଗଡ଼ (ଓଡ଼ିଶା) ଓ ରାୟପୁର (ଛତିଶଗଡ)ର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନେଇ ଏକ ମିଳିତ କମିଟି ଗଠନ କରିବା ଏବଂ ୨ ସପ୍ତାହ ମଧ୍ୟରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ତଥ୍ୟ ସଂଗ୍ରହ କରି ୨ ମାସ ମଧ୍ୟରେ ପ୍ରତିକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁଲଡା ଠାରୁ ତାମନାରକୁ କୋଇଲା ପରିବହନ ସମୟରେ ୨୧ ଟନ୍ କ୍ଷମତା ବିଶିଷ୍ଟ ୨ ଶହ ଡମ୍ପରରେ କୋଇଲା ପରିବହନ ସମୟରେ ପରିବେଶ ନିୟମ ଉଲ୍ଲଂଘନ ହୋଇ ଆସୁଛି। ଦୈନିକ ୪ ଶହ ଟ୍ରିପ୍ କିମ୍ବା ପ୍ରତି ୩-୪ ମିନିଟରେ ଏକ ଟ୍ରକ୍ ଅର୍ଥାତ ଘଣ୍ଟା ଘଣ୍ଟା ଧରି ଯାତାୟତ କରୁଛି। ଏଥିରେ ୧୪ଟି ଗାଁର ୧୫ ହଜାରରୁ ଅଧିକ ଲୋକ ଶ୍ବାସକ୍ରିୟା ରୋଗରେ ପଡ଼ିବା ସହ ପ୍ରଦୂଷଣ ଯୋଗୁଁ ଜଳ ଏବଂ ଫସଲ ଜମି ଦୂଷିତ ହୋଇ ଉତ୍ପାଦକତା ହରାଇବା, ପନିପରିବା ଓ ଧାନ କଳା ହୋଇଯାଉଥିବା ଅଭିଯୋଗ ରହିଛି।
ଜୁଲାଇ ୧୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏଠାରେ ସୂଚନାଯୋଗ୍ୟ, କୁଲଡା ଓ ଗର୍ଜନବାହାଲର ସମ୍ପ୍ରସାରଣ ପାଇଁ ବିଶେଷଜ୍ଞ ମୂଲ୍ୟାଙ୍କନ ସମିତି (ଇଏସି) ‘ଗାଁ ରାସ୍ତା ମଝିରେ ଓ ବିଦ୍ୟାଳୟ, ଅଙ୍ଗନବାଡ଼ି, ଡାକ୍ତରଖାନା ପାର୍ଶ୍ବ ଦେଇ କୋଇଲା ପରିବହନ ନକରିବା, ସବୁଜ ପରିବେଶ ସୃଷ୍ଟି ପାଇଁ ୮୫ ହେକ୍ଟର ଜମିରେ ବୃକ୍ଷରୋପଣ ଯେଉଁଥିରେ ୮୦ ପ୍ରତିଶତ କେବଳ ଶାଳ ଗଛ ରଖିବା, ପ୍ରଭାବିତ ଅଞ୍ଚଳରେ ପିଇବା ପାଣି, ରାସ୍ତାରେ ସୋଲାର ଲାଇଟ୍ ବ୍ୟବସ୍ଥା ଆଦି କଡ଼ା ସର୍ତ୍ତ ମଧ୍ୟରେ ଅନୁମତି ଦେଇଛି। ସର୍ତ୍ତ ପାଳନର ଫଟୋ ସହ ଏହାର ରିପୋର୍ଟ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଆସନ୍ତା ୨୦୨୨ ଜୁନରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏଯାଏ ଏସବୁ ସର୍ତ୍ତକୁ କାର୍ଯ୍ୟକାରୀ କରିବାରେ ଏମସିଏଲ କୌଣସି ଆଗ୍ରହ ଦେଖାଇ ନଥିବା ବେଳେ ଏବେ ଏକ ସ୍ବତନ୍ତ୍ର କମିଟି ଦ୍ବାର ଏନଜିଟିର ତଦନ୍ତ ନିର୍ଦ୍ଦେଶ ଏମସିଏଲ ପାଇଁ ଅଡ଼ୁଆ ସୃଷ୍ଟି କରିବ, ଗାଁ ରାସ୍ତାରେ ଚାଲିଥିବା ବେଆଇନ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇବାରେ ବୋଲି ଚର୍ଚ୍ଚା ହେଉଛି।