ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଂଚାୟତର କୋପ୍ରା ଗ୍ରାମର ମାଡ଼ିସାହିରେ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସିତ ହେଉଛନ୍ତି। ମାଥିଲି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଅମୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଅନ୍ୟ ୪ ଜଣଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସ୍ୱାଇଁ ସୂଚନା ଦେଇଛନ୍ତି।
ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ କମଳ ଲୋଚନ ସମରଥ(୨୫), ମୋତି ସିଂ ଦୋରା(୨୩), ହରି ପୂଜାରୀ(୩୫), ମୁକୁନ୍ଦ ଦୋରା(୨୫), ଲଳିତା ପୂଜାରୀ(୩୦), ସମ୍ୱନ୍ଧ ସମରଥ(୪୦), କମଳ ଲୋଚନ ପୂଜାରୀ(୨୫), ଶୁକ୍ରୀ ସମରଥ(୨୫) ଚିକିତ୍ସା ହେଉଥିବା ବେଳେ ଗାଁରେ ଡାକ୍ତରୀ ଦଳ ଦେବବନ୍ଧୁ ପୂଜାରୀ(୪୦), ଖଗ ଦୋରା(୨୫), କମଳା ଦୋରା(୧୬) ଓ ଦନେଇ ଦୋରା(୨୪)ଙ୍କୁ ଚିକିତ୍ସା କରାଯାଇଛି ବୋଲି ଡାକ୍ତର ଅମୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ଏହା ସହ ଜିଲ୍ଲାର ଏକ ସ୍ୱତନ୍ତ୍ର ଡାକ୍ତର ଦଳରେ ଡାକ୍ତର ଜନସ୍ବାସ୍ଥ୍ୟ ଅଧିକାରୀ ଏ.ହୁସେନ, ଡାକ୍ତର ଦୁର୍ଗା ପ୍ରସାଦ ରାଜଙ୍କ ନେତୃତ୍ବରେ ଏକ ଟିମ ଗାଁରେ ପହଞ୍ଚି କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଛି ତାହାର ଅନୁସନ୍ଧାନ କରୁଛନ୍ତି।
ଡାକ୍ତରୀ ଦଳର କହିବା ଅନୁଯାୟୀ ବିଷାକ୍ତ ଛତୁ କିମ୍ବା ଦୂଷିତ ପାଣି ପାଇଁ ଝାଡାବାନ୍ତି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡୁଛି। ତଥାପି ନଳକୂପ ପାଣି ସଂଗ୍ରହ କରାଯାଇଛି ପରୀକ୍ଷା ପରେ ହିଁ ଜଣାପଡ଼ିବ ବୋଲି ମାଥିଲି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସ୍ୱାଇଁ ସୂଚନା ଦେଇଛନ୍ତି।