ଟାଟାଖଣିକୁ ଏନ୍‌ଜିଟି ଛାଟ :ତଦନ୍ତ ଆରମ୍ଭ କଲା ପ୍ରଦୂଷଣ ବୋର୍ଡ

ଅସ୍ତିତ୍ୱ ହରାଉଛି ଝରଣାପିିଇବା ପାଣି ସଂକଟ:ଜୀବିକା ହରାଉଛନ୍ତି ଶହ ଶହ ବନବାସୀ

ଦୂଷିତ ପାଣିରେ ରୋଗାକ୍ରାନ୍ତ ଭୂମିପୁତ୍ର
ତଦନ୍ତକୁ ବାଏଁ ବାଏଁ ଉଡ଼ାଇ ଦେବାକୁ ଯୋଜନା: ଅଞ୍ଚଳବାସୀ
କାଳିଆପାଣି : ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ବେଆଇନ୍‌ ଅନିୟନ୍ତ୍ରିତ ଖଣି ଖନନ କାରବାର ସାଧାରଣ ଲୋକଙ୍କ ଜୀବନଜୀବିକା ପାଇଁ ମରଣଯନ୍ତା ପାଲିଟିଛି। ଝରଣାର ଜଳ ଉତ୍ସ ଶୁଖିଯାଉଥିବା ବେଳେ ପ୍ରଦୂଷିତ ପାଣି ଯୋଗୁଁ ବିଭିନ୍ନ ରୋଗରେ ଭୂମିପୁତ୍ରମାନେ ଘାଣ୍ଟି ହେଉଛନ୍ତି। ଯାହାକୁ ନେଇ ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଜାତୀୟ ସବୁଜ ନ୍ୟାୟାଧିକରଣ)ରେ ଲମ୍ବୋଦର ମହାନ୍ତଙ୍କ ଅଭିଯୋଗ ଆଧାରରେ ଆଜି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଓଏସ୍‌ପିସିବି ସଦସ୍ୟ ସଚିବଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱର ମୁଖ୍ୟାଳୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ସେଠୀ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକଙ୍କ ନେତୃତ୍ଵରେ ଉପବୈଜ୍ଞାନିକ ରେବତୀକାନ୍ତ ମିଶ୍ର, ସହକାରୀ ପରିବେଶ ଯନ୍ତ୍ରୀ ସୌମେନ୍ଦ୍ର ମହାନ୍ତି, ବରିଷ୍ଠ ବିଜ୍ଞାନ ସହାୟକ ସୌମେନ୍ଦ୍ର ସାହୁଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ୍‌ ଆଜି ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ମାଇନ୍‌ସ ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତରେ ଆସିଥିଲା। ଶ୍ରୀ ମହାନ୍ତ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ତଦନ୍ତ ହୋଇଥିଲା।
ଏଥିରେ କୌଣସି ନିର୍ଯାସ ନଆସୁଣୁ ଏହି ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳର ତଦନ୍ତ ଉପରେ ଅଞ୍ଚଳବାସୀ ସଂଦେହ ପ୍ରକଟ କରିଛନ୍ତି । ଟାଟା କମ୍ପାନି ଦ୍ଵାରା ଓଏସ୍‌ପିସିବି ପ୍ରଭାବିତ ହୋଇଥିବା ଏବଂ ତଦନ୍ତକୁ ବାଏଁ ବାଏଁ ଉଡ଼ାଇଦେବା ନେଇ ସୁଚିନ୍ତିତ ଯୋଜନା ହୋଇଥିବା ସଂପର୍କରେ ଆବେଦନକାରୀ ଅଭିଯୋଗ କରନ୍ତି। ଏହି ତଦନ୍ତକାରୀ ଦଳ ବିଭିନ୍ନ ସମ୍ବେଦନଶୀଳ ଇଲାକା ବୁଲି ତଥ୍ୟ ଅନୁଧ୍ୟାନ କରୁଥିବା ସମୟରେ ଟାଟା କମ୍ପାନି ସପକ୍ଷରେ ଢଳୁଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଆବେଦନକାରୀ ଲମ୍ବୋଦର ମହାନ୍ତ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
ଏହି ଟିମ୍‌ ପ୍ରଥମେ ପୂର୍ବରୁ ଟାଟା ମାଲିକାନାରେ ଥିବା ପରିତ୍ୟକ୍ତ ୧ନଂ ଖଣି ଓ ଏହାର ପାର୍ଶ୍ୱବର୍ତ୍ତୀ ଇଲାକା ବୁଲିଥିଲା। ଏହା ପରେ କାକୁଡ଼ିଆ ଡମ୍ପ୍‌ ଇଲାକା ଏବଂ ଏଠାକାର ଡମ୍ପ୍‌ ଟୋ ୱାଲ୍‌ରୁ ଝରୁଥିବା ପାଣି ଓ କାକୁଡ଼ିଆ ଦେହୁରୀସାହି ବନ୍ଧ ବୁଲି ଦେଖିଥିଲା। ଏଠାରେ ଖଣିର ଡମ୍ପ୍‌ ଆଡ଼କୁ ଉକ୍ତ ବନ୍ଧ ପୋତି ହୋଇଯାଉଥିବା ଦେଖିବାକୁ ମିଳିଥିଲା। ଟାଟାଷ୍ଟିଲ୍‌ ଡମ୍ପ୍‌ରୁ ବର୍ଷାଦିନିଆ ନିକେଲ୍‌ ମାଟି ବୋହି ଆସି ବନ୍ଧକୁ ପୋତି ପକାଉଛି ବୋଲି ଆବେଦନକାରୀମାନେ ଅଭିଯୋଗ କରିଥିଲେ। ଓଏସ୍‌ପିସିବି ଟିମ୍‌ ଉକ୍ତ ଦୁଇ ସ୍ଥାନରୁ ପାଣି ନମୁନା ସଂଗ୍ରହ କରିଥିଲା। ପରେ ଟିମ୍‌ ଭୀମଟାଙ୍ଗର ଗାଁ ପାଖ ଇଲାକା ଓ କଲରଙ୍ଗି ଦେହୁରୀସାହି ପରିଦର୍ଶନ କରିଥିଲା। ପରିତ୍ୟକ୍ତ ଡମ୍ପ୍‌ରୁ ମାଟି ବୋହିଆସି କଲରଙ୍ଗି ଦେହୁରୀସାହି ପାଖ ୫୦ ଏକର ପାଖାପାଖି ଚାଷଜମିରେ ନିକେଲ୍‌ ମାଡ଼ି ଯାଇଥିବା ପ୍ରସଙ୍ଗ ଆବେଦନକାରୀ ଉତ୍‌ଥାପନ କରିଥିଲେ। କମ୍ପାନିର ଖଣି ଡମ୍ପ୍‌ ପାଇଁ ୪ଟି ପ୍ରାକୃତିକ ଜଳଉତ୍ସ ଦେହୁରୀସାହି ନାଳ, ପୁରିଆଝର ନାଳ, ଭୀମଟାଙ୍ଗର ନାଳ ଓ ମହ୍ଲାରସାହି ଝରଣା ଏବେ ଶୁଖିଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି କାରଣରୁ ଇଲାକାର ଶହଶହ ହେକ୍ଟର ଚାଷ ଜମି ଏବେ ଟାଙ୍ଗରା ଭୂଇଁ ପାଲଟିଥିବା ସଂପର୍କରେ ସଂପୃକ୍ତ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଆସିଥିବା ଦର୍ଶାଇଥିଲେ। ମାଳମାଳ ଅଭିଯୋଗ ସତ୍ତ୍ୱେ ତଦନ୍ତକାରୀ ଦଳ ଆବେଦନକାରୀଙ୍କ ତୁଳନାରେ ସେଠାରେ ଉପସ୍ଥିତ ଟାଟା ଅଧିକାରୀଙ୍କ ଯୁକ୍ତି ପ୍ରତି ଅଧିକ ଅନୁରକ୍ତ ଥିବା ଦେଖାଯାଇଥିଲା। ଯାହାକି ତଦନ୍ତର ପ୍ରକୃତ ରାୟକୁ ବାଟବଣା କରୁଥିବା ନେଇ ଆବେଦନକାରୀ ସନ୍ଦେହ କରିଛନ୍ତି।

ଏହି ତଦନ୍ତ ଅବସରରେ ଟାଟାଷ୍ଟିଲ ଖଣିମୁଖ୍ୟ ରାଜେଶ ପଟେଲ, ମାଇନିଂ ପ୍ଲାନିଂ ମୁଖ୍ୟ ହରିଦ୍ରୁମତ ବେହେରା ଏବଂ ଆଦେଦନକାରୀଙ୍କ ପକ୍ଷରୁ ଗୀତାଞ୍ଜଳୀ ମହାନ୍ତ, ଦେବେନ ମହାନ୍ତ, ଘାସିରାମ ହେମ୍ବ୍ରମ, ରାଜାରାମ ମାରାଣ୍ଡି, ହରୀଶ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶଥାଉକି ସୁକିନ୍ଦା ଖଣି ଅଞ୍ଚଳ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଟାଟାଷ୍ଟିଲ୍‌ ବିରୋଧରେ ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଜାତୀୟ ସବୁଜ ନ୍ୟାୟାଧିକରଣ)ରେ ଅଭିଯୋଗ କରାଯାଇଥିଲା। ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଏହି ଆବେଦନକୁ ଗମ୍ଭୀରତାର ସହ ଗ୍ରହଣକରିବା ଏଥିରେ ସତ୍ୟାସତ୍ୟ ଥିବା ଅନୁଭବ କରି ଗତ ଅଗଷ୍ଟ ମାସ ୨୩ ତାରିଖ ଟାଟାଷ୍ଟିଲ୍‌କୁ ୧୩୧/୨୦୧୭ ଆବେଦନ ଆଧାରରେ ନୋଟିସ୍‌ ଜାରି କରିଥିଲା। ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଯାଜପୁର ଜିଲ୍ଲାପାଳ, କଟକ ଡିଏଫ୍‌ଓ, ଟାଟାଷ୍ଟିଲ ସୁକିନ୍ଦା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ଯାଜପୁରରୋଡ଼ ଖଣି ଉପନିର୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇ ଅଞ୍ଚଳବାସୀଙ୍କ ପାଇଁ ନ୍ୟାୟଭିକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର