ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଜଂଗଲ ଧ୍ବଂସ ହେବାରେ ଲାଗିଥିବା ବେଳେ ଚିନ୍ତା ବଢ଼ାଇଲାଣି କାରଖାନା ପ୍ରଦୂଷଣ। ଗୋଟିଏ ପଟେ କାରଖାନାରେ ବ୍ୟବହୃତ କୋଇଲା, କୋଇଲା ଜଳିବା ପରେ ବାହାରୁଥିବା ପାଉଁଶ(ଫ୍ଲାଏ ଆସ୍‌) ତ ଅନ୍ୟ ପଟେ କୋଇଲା ଓ ପାଉଁଶ ପରିବହନ କାର୍ଯ୍ୟରେ ନିୟୋଜିତ ହଜାର ହଜାର ଗାଡ଼ି ପ୍ରଦୂଷଣ ବୃ୍ଦ୍ଧିରେ ସହାୟକ ହେଉଛନ୍ତି। ଜିଲ୍ଲାରେ ପ୍ରତିଦିନ ବିଭିନ୍ନ କାରଖାନା ଆଉ ରାଇସ୍‌ ମିଲ୍‌ରୁ ଦୈନିକ ପ୍ରାୟ ୧୪,୪୪୪ ମେଟ୍ରିକ୍ ଟନ୍ ପାଉଁଶ, ଚାରକୋଲ୍/ଡୋଲ୍‌ଚାର ଆଦି ବର୍ଜ୍ୟବସ୍ତୁ ବାହାରୁଥିବା ଜଣାପଡ଼ିଛି। ଅନ୍ୟ ପଟେ କାରଖାନା ଓ ରାଇସ୍‌ ମିଲ୍‌ରୁ ନିର୍ଗତ ପାଣି ବି ନଦୀନାଳ ଜଳ ପ୍ରଦୂଷଣ କରୁଛି।

Advertisment

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ୧୧ଟି କାରଖାନାରୁ ଦୈନିକ ୧୪,୪୧୫ ମେଟ୍ରିକ୍ ଟନ୍ ପାଉଁଶ, ଚାରକୋଲ/ଡୋଲ୍‌ଚାର ଆଦି ବର୍ଜବ୍ୟସ୍ତୁ ବାହାରୁଛି। ୩ଟି ବଡ଼ କାରଖାନାରୁ କେବଳ ଦୈନିକ ସାଢ଼େ ୧୨ ହଜାର ମେଟ୍ରିକ୍ ଟନ୍ ପାଉଁଶ ବାହାରୁଛି। ଏହା ବ୍ୟତୀତ ଜିଲ୍ଲାରେ ରହିଥିବା ୪୪ଟି ରାଇସ୍‌ ମିଲ୍‌ରୁ କାର୍ଯ୍ୟକ୍ଷମ ଥିଲେ ପ୍ରାୟ ୨୬.୪ ମେଟ୍ରିକ୍ ଟନ୍ ପାଉଁଶ ବାହାରିବା ଥୟ। କୋଇଲା ଏବଂ ପାଉଁଶ ପରିବହନ କାର୍ଯ୍ୟରେ ହଜାର ହଜାର ଗାଡ଼ି ନିୟୋଜିତ ରହିଛି। ପ୍ରାପ୍ତ ତଥ୍ୟ ଅନୁସାରେ, କାରଖାନାରୁ ଯେତିକି ପାଉଁଶ(ଫ୍ଲାଏ ଆସ୍) ବାହାରିଥାଏ, ତାହାର ୨ ଗୁଣ କୋଇଲା ଜଳିଥାଏ। ଅର୍ଥାତ, ଦୈନିକ ଯେତିକି ପାଉଁଶ ବାହାରୁଛି, କାରଖାନାଗୁଡ଼ିକରେ ତାହାର ୨ ଗୁଣ କୋଇଲା ବ୍ୟବହାର ହେଉଛି। କୋଇଲା ଜଳିବା ସମୟରେ ବାୟୁ ପ୍ରଦୂଷଣକାରୀ ବିଭିନ୍ନ ପ୍ରକାର ଗ୍ୟାସ୍ ନିର୍ଗତ ହୋଇଥାଏ। କେବଳ ସେତିକି ନୁହେଁ, କୋଇଲା ଓ ପାଉଁଶ ପରିବହନ ସମୟରେ ଗାଡ଼ିଗୁଡ଼ିକରୁ ମଧ୍ୟ ନିର୍ଗତ ଗ୍ୟାସ୍ ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। କୋଇଲା ଓ ପାଉଁଶ ପରିବହନ ସମୟରେ ପ୍ରାୟତଃ ଟ୍ରକ୍‌ଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ପାଳନ କରୁନାହାନ୍ତି। ଟ୍ରକ୍‌ଗୁଡ଼ିକ ଖୋଲା ରହୁଥିବାରୁ କୋଇଲା ଓ ପାଉଁଶ ଗୁଣ୍ଡ ଉଡ଼ି ରାଜରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ସହାୟକ ହେଉଛି। ପ୍ରାପ୍ତ ସୂଚନା ଅନୁସାରେ, ଏନ୍‌ଏଲ୍‌ସି ଇଣ୍ଡିଆ ପକ୍ଷରୁ ତଲାବିରା ୨ ଓ ୩ କୋଇଲା ଖଣିରୁ ପ୍ରତ୍ୟେକ ଦିନ ପ୍ରାୟ ୧୧୦୦ରୁ ୧୨୦୦ ଟ୍ରକ୍ ଦ୍ବାରା କୋଇଲା ପରିବହନ କରାଯାଉଛି।

ଅନ୍ୟ କାରଖାନାଗୁଡ଼ିକରେ ମଧ୍ୟ ଶହ ଶହ ଗାଡ଼ି ନି‌ୟୋଜିତ ରହିଛି। ବ୍ୟୟବହୁଳ ହୋଇଥିବାରୁ ପ୍ରାୟତଃ କାରଖାନାଗୁଡ଼ିକ ଦ୍ବାରା ପାଉଁଶ ପରିଚାଳନା ନିୟମ ମୁତାବକ କରାଯାଉନାହିଁ। କେତେକ କାରଖାନା ଯେଉଁଠି ଖାଲି ଜାଗା ଦେଖିଲେ ସେଇଠି ପାଉଁଶ ପକାଇ ଦେଉଛନ୍ତି। ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଂଚଳକୁ ବି ଛାଡ଼ୁ ନାହାନ୍ତି। ସମ୍ବଲପୁର-ଝାରସୁଗୁଡ଼ା ରାଜ୍ୟ ରାଜପଥ ପାର୍ଶ୍ବରେ ଅନେକ ଜାଗାରେ ପାଉଁଶ ପାହାଡ଼ ଦେଖିବାକୁ ମିଳୁଛି। ଏପଟେ ଝାରସୁଗୁଡ଼ା ଜିଲ୍ଲାର କାରଖାନାଗୁଡ଼ିକରୁ ପ୍ରତିଦିନ ଶହ ଶହ ଗାଡ଼ିରେ ପାଉଁଶ ଆଣି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ପକାଯାଉଛି। ଏଥିରେ କେ‌ତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥିବା ଅଭିଯୋଗ ହୋଇଆସୁଛି। ନିକଟ ଅତୀତରେ ଏହାକୁ ନେଇ ସମ୍ବଲପୁର ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ଠାରେ ଅଭିଯୋଗ ବି ହୋଇଥିଲା। ଏ ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଡ. ଏସ୍‌.ଏନ୍. ନନ୍ଦଙ୍କୁ ପଚାରିବାରୁ ସେ କହିଲେ, ବୋର୍ଡର ଅଧିକାରୀମାନେ ନିୟମିତ ବ୍ୟବଧାନରେ ବିଭିନ୍ନ କାରଖାନା ଓ ରାଇସ୍‌ ମିଲ୍‌ ନିରୀକ୍ଷଣ କରୁଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା କାରଖାନା ଓ ରାଇସ୍‌ ମିଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି। ଟ୍ରକ୍ ପରିବର୍ତ୍ତେ ଟ୍ରେନ୍‌ରେ କୋଇଲା ପରିବହନ କରାଗଲେ ପରିବହନ ସମୟରେ ହେଉଥିବା ପ୍ରଦୂଷଣକୁ ରୋକାଯାଇପାରନ୍ତା ବୋଲି ଡ. ନନ୍ଦ କହିଛନ୍ତି।