ମଲ୍ଲୀପୁର-ଚମ୍ପାପୁର କୁକୁଡ଼ା ଫାର୍ମକୁ ନେଇ ଥମୁନି ବିବାଦ, ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ଖୋର୍ଦ୍ଧା: ମଲ୍ଲୀପୁର-ଚମ୍ପାପୁର ଗାଁରେ ଥିବା କୁକୁଡ଼ା ଫାର୍ମକୁ ନେଇ ଗତ ୪ ମାସ ଧରି ଚାଲିଥିବା ବିବାଦ ଥମୁନାହିଁ । ଆଜି ଗ୍ରାମବାସୀମାନେ ପ୍ରଶାସନିକ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ଓ କୁକୁଡ଼ାଫାର୍ମ ମାଲିକଙ୍କ ପ୍ରତି ତହସିଲଦାର ଅନୁକମ୍ପା ପ୍ରଦର୍ଶନ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ୮ ତାରିଖରେ ଗ୍ରାମବାସୀ ଗାଁର ଜନବସତି ନିକଟରେ କୁକୁଡ଼ା ଫାର୍ମ ହୋଇଥିବା ଓ ଏଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଦ୍ୱାରା ପରିବେଶ ପ୍ରଦୂଷିତ ହେଉଥିବା ନେଇ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିମାସ ୧୫ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ରାଜସ୍ୱ ନିରୀକ୍ଷକ ଅନୁସନ୍ଧାନ କରି ରିପୋର୍ଟ ଦେଇଥିଲେ ।

ରିପୋର୍ଟ ଆଧାରରେ ତହସିଲଦାର ଅନାଧିକାରୀ ପ୍ରବେଶ କେସ୍ ନଂ ଦାଏର କରିଥିଲେ । ତେବେ କୁକୁଡ଼ା ଫାର୍ମ ଉଠିନଥିବାରୁ ଗ୍ରାମବାସୀମାନେ ପୁଣିଥରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ନଭେମ୍ବର ୧୩ ତାରିଖରେ ଉପଜିଲ୍ଲାପାଳ ଓପିଏଲ୍ଇ-୧୯୭୨ ଅନୁସାରେ ଉଚ୍ଛେଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜଣେ ଅଭିଯୋଗକାରୀ ସୁବ୍ରତ ମହାନ୍ତି କହିଛନ୍ତି ଯେ ଏହା ମଧ୍ୟରେ ଏକ ମାସ ବିତିଯାଇଛି, କିନ୍ତୁ ଉଚ୍ଛେଦ ହୋଇନାହିଁ । ଏନେଇ ତହସିଲଦାରଙ୍କୁ ଜଣାଇବାରେ ତହସିଲଦାର ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି ।

ଏନେଇ ତହସିଲଦାର ପଦ୍ମଚରଣ ସାହୁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ କୁକୁଡ଼ା ଫାର୍ମ ମାଲିକ ଅନେକ ବର୍ଷରୁ ସେଠାରେ କୁକୁଡ଼ା ଫାର୍ମ କରିଛନ୍ତି । ସେ ସେହି ସ୍ଥାନରେ ଲିଜ୍ ପାଇଥିବା ଓ କୁକୁଡ଼ା ଫାର୍ମ ସ୍ଥାପନ ନେଇ ଅନ୍ୟ ନଥିପତ୍ର ଦେଖାଇଛନ୍ତି । ଏହି ସମସ୍ତ କାଗଜପତ୍ରର ଅନୁଶୀଳନ କରିବା ପରେ ଯଦି ସେମାନେ ବାସ୍ତବରେ ସରକାରୀ ଜମି ଜବରଦଖଲ କରିଥିବେ ତେବେ ଆଇନାନୁସାରେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର