ଜଗତସିଂହପୁର: ପାରାଦୀପରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁ ପଦକ୍ଷେପ ନିଆଯାଉଛି। ମାତ୍ର ପରିସ୍ଥିତି ଧୀରେ ଧୀରେ ସଙ୍ଗିନ ହେଲାଣି। ପାରାଦୀପ ବନ୍ଦରର ୩ଟି ସ୍ଥାନରେ ଲାଗିଥିବା ପ୍ରଦୂଷଣ ମାପ ଯନ୍ତ୍ରର ତଥ୍ୟ ବେଶ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବାଲିକୁଦା ଅଂଚଳରେ ଗଛପତ୍ରରେ କଳା ଆସ୍ତରଣ ସୃଷ୍ଟି ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପାରାଦୀପ ଶିଳ୍ପ ସଂସ୍ଥା ଗୁଡ଼ିକରୁ ନିର୍ଗତ ଗ୍ୟାସ୍ ଯୋଗୁଁ ଅଞ୍ଚଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପାରାଦୀପରେ ବାୟୁ ପ୍ରଦୂଷଣ ହାର ଜାଣିବା ପାଇଁ ପିପିଏଲ୍ ଗେଷ୍ଟ ହାଉସ, ଇଫ୍କୋ ଛକ ଓ ମଧୁବନ ଅଞ୍ଚଳରେ ମାପ ଯନ୍ତ୍ର ଲାଗିଛି। ଏହାସହ ପ୍ରଦୂଷଣ ହାର ଜାଣିବା ପାଟିକୁଲାଟ ମ୍ୟାଟର(ପିଏମ୍ ୧୦) ଯାହା ଦ୍ବାରା ବାୟୁ ମଣ୍ତଳରେ ଧୂଳିକଣାର ଆକାର ମପାଯାଏ। ନିୟମ ଅନୁଯାୟୀ ଏହି ଧୂଳିକଣାର ଆକାର ୧ ମିଲିଗ୍ରାମ୍ରେ (ପିଏମ୍ ୧୦)୧୦୦ ମାଇକ୍ରୋଗ୍ରାମ୍ ରହିବା କଥା। ପାରାଦୀପ ବନ୍ଦର କର୍ମଚାରୀଙ୍କ ବାସଭବନ(ମଧୁବନ) ନିକଟରେ ଲାଗିଥିବା ପ୍ରଦୂଷଣ ମାପ ଯନ୍ତ୍ରରୁ ଜଣାପଡ଼ିଛି ଯେ, ଗତ ଜାନୁଆରିରେ ଏଠାରେ (ପିଏମ୍ ୧୦) ୧ ମାଇକ୍ରୋଗ୍ରାମ୍ରେ ୧୬୫ ରହିଛି। ସେହିପରି ପିପିଏଲ୍ ଗେଷ୍ଟ ହାଉସ୍ ନିକଟରେ (ପିଏମ୍୧୦) ୧୬୫ ଓ ଇଫ୍କୋ ଛକରେ ମଧ୍ୟ ଅନୁରୂପ ଭାବେ ବାୟୁ ପ୍ରଦୂଷଣ ହାର ୧୪୦ ରହିଛି।
ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହି ତିନି ସ୍ଥାନ ଅର୍ଥାତ ସମ୍ପୂର୍ଣ୍ଣ ପାରାଦୀପରେ ପ୍ରଦୂଷଣ ମାତ୍ର ବଢ଼ୁଥିବା ୱେବ୍ସାଇଟରେ ଦର୍ଶାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, (ପିଏମ୍ ୧୦) ୧୦୦ ଟପିଲେ ଏହି ଅଞ୍ଚଳରେ ରହୁଥିବା ଲୋକମାନେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରନ୍ତି। ସେମାନେ ଶ୍ବାସ ଓ ଫୁସ୍ଫୁସ୍ ଜନିତ ରୋଗରେ ପୀଡ଼ିତ ହୁଅନ୍ତି। ଏଣୁ ପ୍ରଦୂଷଣ କ୍ଷେତ୍ରରେ ହାତରୁ ଖସୁଥିବା ବନ୍ଦର ନଗରୀ ପାରାଦୀପ ପ୍ରତି ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବନ୍ଦର ମଧ୍ୟକୁ ମାଲ୍ ନେଇ ପ୍ରବେଶ କରୁଥିବା ସମସ୍ତ ଗାଡ଼ି ଟ୍ରକ୍, ଡମ୍ଫର୍, ଟ୍ରଲର ଓ ଟିପର ଉପରେ ପାଲ ଘୋଡ଼ାଇବା ନିୟମକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ଏହାସହ ଏହି ଗାଡ଼ି ଗୁଡ଼ିକ ବନ୍ଦର ମଧ୍ୟରୁ ବାହାରୁଥିବା ବେଳେ ସମସ୍ତଙ୍କର ଚକ ଧୋଇବା ଉପରେ ଦୃଷ୍ଟି ଦିଆଯିବା ଆବଶ୍ୟକ। ପାରାଦୀପ ବନ୍ଦର ଗେଟ୍–୨ ଓ ୩ ନିକଟରେ ଏହି ବ୍ୟବସ୍ଥା କରାଯାଇଛି ସତ, ଅଧିକାଂଶ ଗାଡ଼ି ବିନା ସଫା, ସର୍ଭିସିଂରେ ବନ୍ଦର ମଧ୍ୟରୁ ବାହାରୁଥିବା ଦେଖାଯାଉଛି। ଏଣୁ ବନ୍ଦର ସହ ଅନ୍ୟ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ଗାଡ଼ି ଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅବଗତ କରାଯାଉଛି। ବାଲିକୁଦାରେ ସେହିପରି କୌଣସି ଶିଳ୍ପାନୁଷ୍ଠାନ ନଥିବା ବେଳେ ସେଠାରେ ଗଛପତ୍ର କାହିଁକି କଳା ପଡ଼ୁଛି ତାହା ଜଣାପଡ଼ୁନି। ଗଛ ପତ୍ରରେ କଳାର ଏକ ଆସ୍ତରଣ ଜମି ରହୁଛି। ଏଣୁ ଏ ଦିଗରେ ବୋର୍ଡ ତର୍ଜମା କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।