ଚକାପାଦ: ୮ ବର୍ଷ ହେଲା ଛିଣ୍ଡା ଦଦରା ପଲଥିନ୍ ତଳେ କଟୁଛି ଦିନ। ହେଲେ ଆବାସଟିଏ ପାଇଁ ବାରମ୍ବାର ଗୁହାରି କରି ଥକିଥିଲେ ମଧ୍ୟ ଆଡ଼ ଆଖିରେ ଚାହିଁ ନାହିଁ ପ୍ରଶାସନ। ଫଳରେ କର୍ମକୁ ଆଦରି ଭଙ୍ଗା ଦଦରା ପାଲ କୁଡ଼ିଆ ତଳେ ଜୀବନ କାଟିବାକୁ ପଡ଼ୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ୍ ଶଙ୍କରାଖୋଲ ଗ୍ରାମରେ। ଗ୍ରାମର ଶୁଣ୍ଡିସାହି ବାସିନ୍ଦା ରିନି ପ୍ରଧାନ ଘରଟିଏ ନଥିବାରୁ ଗତ ଆଠ ବର୍ଷ ହେବ କେବେ ଖୋଲା ଆକାଶ ତ, କେବେ ପଲଥିନ୍ ତଳେ ରହି ଜୀବନ କାଟୁଛନ୍ତି। ଆବାସଟିଏ ପାଇଁ ସେ ଅନେକ ଥର ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟରେ ଆବେଦନ କରି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ଯାଏ ଆବାସଟିଏ ମିଳି ପାରିନାହିଁ।
ସରକାରୀ ଯୋଜନା କହିଲେ ଅନ୍ତ୍ୟୋଦୟ ଯୋଜନାର ମାସିକ ୩୫ କେଜି ଚାଉଳ ମିଳୁଛି। ଘରେ ଦୁଇଟି ଝିଅ ସାଙ୍ଗକୁ ସ୍ବାମୀ ଗୌରୀ ଶଙ୍କରଙ୍କୁ ନେଇ ତାଙ୍କ ପରିବାର। ସ୍ବାମୀଙ୍କ ରୋଜଗାର ନଥିବାରୁ ଘରଟିଏ କରିବାକୁ ସେ ପୂରା ଅକ୍ଷମ। ଅନ୍ୟପକ୍ଷରେ ରିନି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମାନସିକ ରୋଗରେ ପଡ଼ିଛନ୍ତି। ସ୍ବାମୀ ମୂଲକାମ କରି ଯାହା ଦୁଇ ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳାଇବା କଷ୍ଟ ହେଉଛି। ସେଥିପାଇଁ ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅକୁ ମାମୁ ଘର ଲୋକେ ନେଇଯାଇଥିବା ବେଳେ ସାନ ଝିଅଟିକୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବାଶ୍ରମରେ ଛାଡ଼ି ଦେଇଛନ୍ତି। ଘଟଣା ସଂପର୍କରେ ସରପଞ୍ଚ ଚିତ୍ର କହଁରଙ୍କୁ ଯୋଗାଯୋଗ କରିବାରୁ ରିନିର ନାମ ଏସିସି ଲିଷ୍ଟରେ ନଥିବାରୁ ଆବାସ ଘର ମିଳିପାରୁନି। ତେବେ ପ୍ରକୃତ ହିତାଧିକାରୀ ଚୟନରେ ବହୁ ଭୁଲଭଟକା ରହୁଥିବା ବେଳେ ଗରିବଗୁରବାଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା କଣ ପାଇଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।