ଦେଓଗାଁ: ନୋଟିସ ନଦେଇ ଦେଓଗାଁ ବ୍ଲକ୍‌ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର ଗାଁର ଚନ୍ଦ୍ରସାଗର ପୋଖରୀକୁ ନିଲାମରେ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ‌ତେଣୁ ଏହାକୁ ତୁରନ୍ତ ବାତିଲ କରାଯାଉ ବୋଲି ଗ୍ରାମବାସୀ ଦାବି କରି ଶନିବାର ବିଡିଓ ସୁରେନ୍ଦ୍ର ମେହେରଙ୍କୁ ଘେରାଉ କରିଥିଲେ। ଆସନ୍ତା ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିବା ପରେ ସେମାନେ କାର୍ଯ୍ୟାଳୟରୁ ବାହାରିଥିଲେ।

Advertisment

ଗ୍ରାମବାସୀଙ୍କ କହିବା ଅନୁସାରେ, ଚନ୍ଦ୍ରସାଗର ପୋଖରୀକୁ ଗତ ୧୮ ତାରିଖରେ ଦିନ ନିଲାମ କରାଯିବ ବୋଲି ପୂର୍ବରୁ ସରପଞ୍ଚ ପଞ୍ଚାୟତର ଗାଁଗୁଡ଼ିକୁ ନୋଟିସ କରିଥିଲେ। ହେଲେ ଚନ୍ଦ୍ରପୁର ଗାଁରେ କୌଣସି ନୋଟିସ ନଦେଇ ପୋଖରୀ ନିଲାମ କରିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଗାଁର ଡକୁଆ ପଡ଼ାରେ ଥିବା ଶକ୍ତି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାଛଚାଷ ପାଇଁ ଏହାର ନିଲାମ ନେଇଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ନିଲାମକୁ ବାତିଲ କରି ଗାଧୋଇବା ପାଇଁ ପୋଖରୀକୁ ସଂରକ୍ଷିତ ରଖାଯାଉ ବୋଲି ସେମାନେ ଦାବି କରିଛନ୍ତି। ପୋଖରୀ ଉପରେ ନିର୍ଭରଶୀଳ ହୋଇ ଗାଁର ଅନେକ ପାରମ୍ପରିକ ଯାନିଯାତ୍ରା ଆୟୋଜନ କରାଯାଉଛି। ତେଣୁ ଏହାକୁ ଗାଁ ଲୋକଙ୍କୁ ଦେଇ ନିଲାମ ବାତିଲ କରାଯାଉ ବୋଲି ସେମାନେ ବିଡିଓଙ୍କୁ ଅନୁରୋଧ କରିଥିଲେ। ଏନେଇ ବିଡିଓ ସୁରେନ୍ଦ୍ର ମେହେରଙ୍କୁ ପଚାରିବାରୁ ଏବିଡିଓଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରି ମଙ୍ଗଳବାର ସୁଦ୍ଧା ରିପୋର୍ଟ ଦେବେ ବୋଲି ସେ କହିଥିଲେ।