ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପୋଖରୀ ଏବେ ଖତଗଦା 

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ପ୍ରାଶାସନିକ ଅବ୍ୟବସ୍ଥା ଚରମସୀମାରେ ପହଂଚିଛି । ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ନିର୍ମାଣ ଆଦି କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏହାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଂଚିପାରୁନାହିଁ । ପ୍ରାୟ ୫-୬ ବର୍ଷ ପୂର୍ବେ ଖୋର୍ଦ୍ଧା ସହରରେ ଏକ ବେଆଇନ ମାଙ୍କଡ଼ାପଥର ଖଣି ଠାରେ ପୋଖରୀ ନିର୍ମାଣ କରାଯାଇ ଜଳ ସଂରକ୍ଷଣ କରିବାକୁ ଖୋର୍ଦ୍ଧା ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ଦୁଇଟି କିସ୍ତିରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା କିନ୍ତୁ ବର୍ତମାନ ତାହା ଖତଗଦାରେ ପରିଣତ ହୋଇଛି ।
ସୂଚନାନୁସାରେ, ୨୦୦୧ରେ ମଧୁସୂଦନ ପାଢ଼ୀ ଜିଲ୍ଲାପାଳ ଥିବା ସମୟରେ ୧୨ ନମ୍ବର ୱାର୍ଡ଼ରେ ଜଳ ସମସ୍ୟାର ସମାଧନ ଓ ଟିଏଲ୍ସି ପଡ଼ିଆ ଶ୍ମଶାନକୁ ଦାହ ସଂସ୍କାର ଓ ଦଶାହ ଆଦି କ୍ରିୟା ପାଇଁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଏକ ବେଆଇନ ମାଙ୍କଡ଼ା ପଥର ଖଣିକୁ ପୁନରୁଦ୍ଧାର କରି ପୋଖରୀ ଖୋଲିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ଏସ୍ଆର୍ସି ପାଣ୍ଠୀରୁ ୨ଲକ୍ଷ ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଥିଲା । କିନ୍ତୁ ତତ୍କାଳୀନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହା ୧୨ ନମ୍ବର ୱାର୍ଡ଼ରେ ନକରି ୧୧ ନମ୍ବର ୱାର୍ଡ଼ରେ କରିବାକୁ ପରାମର୍ଶ ଦେଇଥିଲେ । ପରାମର୍ଶ ଅନୁସାରେ ପୋଖରୀର ପୁନରୁଦ୍ଧାର କାମ ପାଇଁ ଖୋର୍ଦ୍ଧା ବ୍ଲକ ପକ୍ଷରୁ ୨ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା । ପରବର୍ତୀ ସମୟରେ ପୌର ପ୍ରଶାସନ ପକ୍ଷରୁ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି । ତେବେ କାମ ଓ ଯୋଜନା ନିମ୍ନମାନର ଥିବା ଯୋଗୁଁ ପୋଖରୀ ସାଧାରଣ ଲୋକଙ୍କ କାମରେ ଆସିପାରିଲା ନାହିଁ । ବର୍ତମାନ ସେହି ପୋଖରୀରେ ଆଖପାଖ ଲୋକଙ୍କ ଆବର୍ଜନା ପକାଇବା ସ୍ଥାନ ଭାବେ ପରିଣତ ହୋଇଛି । କେବଳ ଏହାନୁହେଁ ୧୨ ନମ୍ବର ୱାର୍ଡ଼ର ପୋଖରୀ ଚାରିପଟରେ ବର୍ତମାନ ଅନେକ ନିଜର ପାଇଖାନା କରି ଜବର ଦଖଲ ମଧ୍ୟ କରିବା ଆରମ୍ଭ କରିଥିବା ବେଳେ ୧୧ ନମ୍ବର ୱାର୍ଡ଼ର ପୋଖରୀର ଦକ୍ଷିଣ ପାଶ୍ୱର୍ରେ ବେଆଇନ ବସ୍ତି ମଧ୍ୟ ନିର୍ମାଣ ହୋଇଛି ।
ଖୋର୍ଦ୍ଧା ସହରର ୧୨ ଓ ୧୧ ନମ୍ବର ୱାର୍ଡ଼ରେ ଜଳ ସମସ୍ୟା ଏକ ନିୟମିତ ଘଟଣା । ଏଭଳି ପୋଖରୀ ଖୋଳାଯାଇ ବର୍ଷାଜଳ ସଂରକ୍ଷଣ କରାଯିବା ସହ ଭୂତଳ ଜଳପତ୍ତନ ସୁରକ୍ଷିତ ରଖିବା ବ୍ୟବସ୍ଥା କରିବା କଥା । କିନ୍ତୁ ଯୋଜନା ରୂପାୟନର ଚରମ ଅବ୍ୟବସ୍ଥା ଓ ଅନୁଦାନ ଅର୍ଥର ମନଇଚ୍ଛା ଖର୍ଚ୍ଚ ଫଳରେ କେବଳ ଏହି ଗୋଟିଏ ନୁହେଁ ସହର ଓ ସହର ଆଖାପଖରେ ଅନେକ ନିର୍ମାଣ ବର୍ତମାନ ସାଧାରଣ ଲୋକଙ୍କ କୌଣସି କାମରେ ଆସୁନାହିଁ ।

ସମ୍ବନ୍ଧିତ ଖବର