ଗୋଡ଼ା ପଞ୍ଚାୟତରେ ‘ମୋ ପୋଖରୀ’ ଯୋଜନାରେ ହରିଲୁଟ୍, ୧୩ ପୋଖରୀ ନ ଖୋଳି ମିଥ୍ୟା ବିଲ୍!

ଜଗତସିଂହପୁର: ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଗୋଟିଏ ପରେ ଗ‌ୋଟିଏ ଦୁର୍ନୀତି ପଦାକୁ ଆସୁଛି। ଏହି ପଞ୍ଚାୟତରେ ସ୍ବଚ୍ଛ ଭାରତ ମିସନ ଯୋଜନାରେ ହୋଇଥିବା ପାଇଖାନା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଘଟଣା ପରେ ଏବେ ‘ମୋ ପୋଖରୀ’ ଯୋଜନାରେ କିଛି ଲୋକ ସ୍ଥାନୀୟ ପ୍ରଶାସନକୁ ହାତ କରି ବ୍ୟାପକ ହରିଲୁଟ୍ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଆଦୌ ପୋଖରୀ ଖୋଳାନଯାଇ ମିଥ୍ୟା ବିଲ୍ କରାଯାଇଛି। ପୋଖରୀ ଖୋଳା ହୋଇନଥିବା ବେଳେ ଜିଇଓ ଟ୍ୟାଗ୍ ଯେଉଁଠି ଦେଖାଉଛି, ସେଠାରେ ପୋଖରୀର ଚିହ୍ନବର୍ଣ୍ଣ ନାହିଁ। ତଥାପି ୧୩ଟି ପୋଖରୀର ମିଥ୍ୟା ବିଲ୍ କରାଯାଇ ଅର୍ଥ ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗୋଡ଼ା ପଞ୍ଚାୟତର ଆଉଁରି ଗାଁରେ ତିନିଟା ପୋଖରୀ ବାବଦକୁ ୫୨,୧୭୦ ଟଙ୍କା, ୫୦,୬୧୬ ଓ ୨୫,୩୦୮ ଟଙ୍କା ହଡ଼ପ କରାଯାଇଛି। ସେହିପରି ଯଶାପୁରରେ ଗୋଟିଏ ପୋଖରୀ ବାବଦକୁ ୬୩,୯୩୬ ଟଙ୍କା ଓ ଗୋଡ଼ାରେ ୫ଟା ପୋଖରୀ ବାବଦକୁ ଯଥାକ୍ରମେ ୬୧,୨୭୨, ୫୫,୯୪୪, ୬୭,୯୩୨, ୬୩,୯୩୬ ଓ ୬୬,୬୦୦ ଟଙ୍କା ହଡ଼ପ କରାଯାଇଛି। ଶାଳିଓ ଗାଁରେ ଦୁଇଟା ପୋଖରୀ ବାବଦକୁ ୧୧,୯୮୮ ଓ ୫୯,୯୪୦ ଟଙ୍କା ଏବଂ କୁଅଁରବେଦୀ ଗାଁରେ ଗୋଟିଏ ‌ପୋଖରୀ ଖୋଳା ବାବଦକୁ ୬୫,୨୬୮ ଟଙ୍କା ହଡ଼ପ କରାଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ଏତିକି ପ୍ରମାଣ ହସ୍ତଗତ ହୋଇଛି।

ଏହି ଆର୍ଥିକ ଅନିୟମିତତାର ନିରପେକ୍ଷ ଓ ବିଧିବଦ୍ଧ ତଦନ୍ତ କରାଗଲେ ଦୁର୍ନୀତିର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହା ଜଣାପଡ଼ିଯିବ। ଏହି ଦୁର୍ନୀତିରେ ସ୍ଥାନୀୟ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ସମସ୍ତଙ୍କ ହାତ ରହିଥିବା ଅନୁମାନ କରାଯାଉଛି। ଏହି ପଞ୍ଚାୟତରେ ସ୍ବଚ୍ଛ ଭାରତ ମିସନ ‌ଯୋଜନାରେ ନିର୍ମାଣ କରାଯାଇଥିବା ପାଇଖାନାରେ କୋଟି କୋଟି ଟଙ୍କା ଦୁର୍ନୀତି ମାମଲା ଚପିଯିବାକୁ ବସିଲାଣି। ତଦନ୍ତକାରୀ ଟିମ୍ ଏବେ ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନଥିବା କହୁଛନ୍ତି। ଏପରିକି ସୂଚନା ଅଧିକାର ଆଇନ୍‌ ବଦଳରେ ମିଳିଥିବା ତଥ୍ୟ ଠିକ୍ ନୁ‌ହେଁ ବୋଲି ଅଧିକାରୀ କହୁଛନ୍ତି। ଏହି ପଞ୍ଚାୟତରେ ୨୪୧୫ ହିତାଧିକାରୀଙ୍କ ନାଁରେ ପାଇଖାନା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ସେଥିରୁ ୨୩୬୨ ଜଣଙ୍କର ପାଇଖାନା ନିର୍ମାଣ କରାଯାଇ ସେମାନଙ୍କୁ ବିଲ୍ ପ୍ରଦାନ କରଯାଇଛି ବୋଲି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହସ୍ତଗତ ହୋଇଛି। ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାଁକୁ ଏହି ଯୋଜନାରେ ସାମିଲ କରି ସେମାନଙ୍କ ନାଁରେ ମିଥ୍ୟା ବିଲ୍ କରାଯାଇଥିବା ନଜରକୁ ଆସିଛି। ସେଥିମଧ୍ୟରୁ ଦିଲୀପ ବିଶ୍ବାଳ, ଗୌରାଙ୍ଗ କାଣ୍ଡି, ସୁଶାନ୍ତ ଦାସ ଓ ନୀଳମଣି କାଣ୍ଡି ଭଳି ହିତାଧିକାରୀମାନେ ଏବେ ମୃତ। ନୀଳମଣିଙ୍କର ବହୁ ପୂର୍ବରୁ ମୃତ୍ୟୁ ହେଲାଣି। ମାତ୍ର ସେମାନଙ୍କ ନାଁ‌ମରେ ମିଥ୍ୟା ବିଲ୍ କରାଯାଇଛି। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏଣୁ ‘ମୋ ପୋଖରୀ’ ଯୋଜନାରେ ତଦନ୍ତ କେତେ ଦୂର ଆଗେଇବ, ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର