ମନରେଗା ଯୋଜନାରେ ୬.୨୮ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ସତ୍ୟାସତ୍ୟ ପ୍ରମାଣିତ ହେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଜୟପୁର: ପୋଖରୀ ପୁନଃରୁଦ୍ଧାର ନାଁରେ ହୋଇଛି ୬ଲକ୍ଷ ୨୮ହଜାର ଟଙ୍କାର ଘଟଲା। ଏମଜିନରେଗା ଯୋଜନାରେ ୨୦୧୮-୧୯ଆର୍ଥିକ ବର୍ଷରେ ଜୟପୁର ବ୍ଲକର କଙ୍ଗା ପଂଚାୟତର ରାଉଳିଗୁଡ଼ା ଗାଁରେ ଏପରି ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ବି ମାନିଛନ୍ତି ଜିଆରଏସ୍ ଓ ବିଡିଓ। ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଜୟପୁର ବିଡିଓ।

ମିଳିଥିବା ସୂଚନା ଅନୁଯାୟୀ, କଙ୍ଗା ପଂଚାୟତର ପାକୁଳୁଗୁଡ଼ା ନିକଟସ୍ଥ ରାଉଳିଗୁଡ଼ା ଗାଁ ନିକଟରେ ଥିବା ପୁରୁଣା ପୋଖରୀର ପୁନଃରୁଦ୍ଧାର ପାଇଁ ୨୦୧୮-୧୯ଆର୍ଥିକ ବର୍ଷରେ ୮ଲକ୍ଷ ୯୬ହଜାର ଟଙ୍କାରେ କରାଯିବା ଯୋଜନା କରାଯାଇଥିଲା। ତେବେ ଏହି ପୋଖରୀର ଉପର ଭାଗରେ ଅଳ୍ପ କିଛି କାମ କରି ଗାଁ ନିକଟରେ ଥିବା ଅନ୍ୟ ପୋଖରୀର କାମ କରି ବିଲ୍ କରି ୬ଲକ୍ଷ ୨୮ହଜାରଟଙ୍କା ବାବୁ, ବାବୁଆଣୀ ମାନେ ହଡ଼ଫ କରିଥିବା ଏହି ଗାଁର ଚନ୍ଦ୍ର ଅମନାତ୍ୟ ଅଭିଯୋଗ କରିଛନ୍ତି। ଗତ କାଲି ଅଭିଯୋଗ ପାଇବା ପରେ ସେ ଗାଁକୁ ଯାଇ ତଦାରଖ କରି ଫେରିଥିବା କହିଛନ୍ତି ଜିଆରଏସ୍ ସଲଲିତା ଚୌଧୁରୀ। କାମ ଚାଳିବା ସମୟରେ ମଧ୍ୟସ୍ଥି ଶ୍ରମିକ ମାନଙ୍କର ପାସ୍ ବୁକ୍ ଦେବା ପରେ ସେହି ଆକାଉଣ୍ଟକୁ ୬ଲକ୍ଷ ୨୮ହଜାର ଟଙ୍କା ଛଡ଼ାଯାଇଥିବା କହିଛନ୍ତି ଜିଆରଏସ। କାମ ଚାଳିଛି ଭାବି ସେ ଏହି ଟଙ୍କା ଛାଡ଼ିଥିଲେ। ତେବେ ଉକ୍ତ ମଧ୍ୟସ୍ଥି ଜଣକ କାମ ନ କରି ଏଭଳି କରିବ ବୋଲି ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ପୁର୍ନବାର ସେହି କାମ ସେ କରାଇବେ ବୋଲି ଜିଆରଏସ୍ ପ୍ରତିଶ୍ରୃତି ଦେଇଛନ୍ତି।

କାମ କରାଇଥିବା ମଧ୍ୟସ୍ଥି ରଘୁନାଥ ହରିଜନ ଜଣେ କଲେଜ ପଡ଼ୁଆ ଛାତ୍ର। ସେ ମାତ୍ର ୨ଲକ୍ଷ ଟଙ୍କା ପାଇଥିବା ବଳକା ଟଙ୍କା ସେ ପାଇନଥିବା କହିଛନ୍ତି। ତେବେ ଯେ କୌଣସି କାମ ସଂପୁର୍ଣ୍ଣ ହେବା ପରେ କାମର କ୍ଷେତ୍ର ପରିଦର୍ଶନ କରିବା ସହ କେତେ ଦିବସର ଶ୍ରମିକ କାମ କରିଛନ୍ତି ତାହାର ତଦାରଖ କରି ଇ-ମଷ୍ଠରରୋଲ ଛଡ଼ା ଯାଇଥାଏ। ଏଥିରେ ପଂଚାୟତର ପିଇଓ, ସରପଂଚ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଓବିଡିଓଙ୍କ ଅନୁମୋଦନ ଦସ୍ତଖତ ପରେ ଟଙ୍କା ଅନୁମୋଦନ ହୋଇଥାଏ। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏତେ ଟଙ୍କା ଘୋଟଲା ହେଲା ତଦନ୍ତ ସାପେକ୍ଷ। ଏନେଇ ଅଭିଯୋଗ ମିଳିବା ପରେ ସବିଶେଷ ତଦନ୍ତ ଓସତ୍ୟାସତ୍ୟ ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଡିଓ ସୂରଜ ପଟ୍ଟନାୟକ। ରିପୋର୍ଟ ଆସିବା ପରେ ଯଦି ଘୋଟଲା କିଛି ହୋଇଛି ତେବେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ଏହା ଲୋକଙ୍କ ଉଦେଶ୍ୟରେ ଆସିଥିବା ସରକାରୀ ଅର୍ଥ। ଏହାକୁ ଦୋଷୀଙ୍କ ଠାରୁ ଆଦାୟ କରାଯିବ ବୋଲି କହିଛନ୍ତି ବିଡିଓ ।

ସମ୍ବନ୍ଧିତ ଖବର