ଟୁସୁଦେବୀ ଆରାଧନା ଓ ମକର ପର୍ବ ପ୍ରସ୍ତୁତି ପାଇଁ ବାରିପଦା ସହର ଚଳଚଞ୍ଚଳ

ବାରିପଦା: ଜାନୁଆରୀ ୧୪ ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲ୍ଲାରେ ଏକ ଗଣପର୍ବ ଭାବେ ବିଖ୍ୟାତ। ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ। ଏହି ଅବସରରେ ମକର ଚାଉଳ ପୂଜା କରାଯାଇ ପରସ୍ପର ମଧ୍ୟରେ ବଣ୍ଟନ କରାଯାଇଥାଏ। ପର୍ବକୁ ୭ ଦିନ ବ୍ୟାପି ଆନନ୍ଦ ଉହ୍ଲାସର ସହିତ ପାଳନ କରାଯାଇ ଆସୁଥିବା ସହିତ ଧାନ ଉତ୍ପାଦନ ପରେପରେ ଏହି ପର୍ବ ପାଳିତ ହେଉଥିବାରୁ କୃଷି କର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ନିମନ୍ତେ ଏହା ଏକ ପ୍ରକୋଷ୍ଠ ସମୟ ବୋଲି ବିବେଚନା କରାଯାଏ। ବିଶେଷ କରି ସଂକ୍ରାନ୍ତି ଠାରୁ କୃଷକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଶ୍ରେଣୀର ଜନସାଧାରଣ ନିଜକୁ ସମସ୍ତ ଜଞ୍ଜାଳ ଏବଂ ସାହୁକାରଙ୍କଠାରୁ ଦୂରେଇ ରଖିବା ଅନୁଭବକୁ ମନୋରଞ୍ଜନଧର୍ମୀ ନାଚଗୀତ ମାଧ୍ୟମରେ କିଛି ଦିନ ପାଇଁ ଭୂଲି ଯିବାକୁ ଶ୍ରେୟଃ ମଣନ୍ତି। ଉକ୍ତ ମକର ପର୍ବ ପାଳନକୁ ନେଇ ଗ୍ରାମାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସାପ୍ତାହିକ ହାଟ ସହିତ ବିଭିନ୍ନ କୁକୁଡ଼ା ପାଡ଼ାମାନଙ୍କରେ କୁକୁଡ଼ା ଲଢ଼େଇ ସହିତ ପାରମ୍ପରିକ ଜୁଆଖେଳ, ନୂତନ ବସ୍ତ୍ର ପରିଧାନ ଓ ଆମିଷ ଭୋଜନର ମଜା ଉଠାଇବା ନିମନ୍ତେ ଚାଲିଛି ଜୋରଦାର ପ୍ରସ୍ତୁତି।

ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳିତ ହେଉଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ମକର ସଂକ୍ରାନ୍ତକୁ ଏକ ଧର୍ମ ଓ କୃଷି ଭିତ୍ତିକ ପର୍ବ ଭାବେ ପାଳନ କରାଯାଇ ଆସୁଥିବା ସମୟରେ ମୟୂରଭଞ୍ଜ ଜିଲାରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ପକ୍ଷରୁ ମକରକୁ ସତ୍ୟ, ଧର୍ମ ଓ ଆତ୍ମ ବିସର୍ଜନର ଦିବସ ଟୁସୁ ପର୍ବ ଭାବେ ପାଳନ କରାଯାଇଆସୁଛି। ଏହି ପର୍ବ ଅବସରରେ କୁଡ଼ୁମୀ ସମ୍ପ୍ରଦାୟ ସହିତ ଅନ୍ୟ କେତେକ ସମ୍ପ୍ରଦାୟର ସମସ୍ତ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଆସିଛି। ପର୍ବକୁ ଅତି ଆନନ୍ଦ ଉହ୍ଲାସର ସହକାରେ ପାଳନ କରିବା ନିମନ୍ତେ ଅର୍ଥ ଅଭାବରୁ ନିଜର ଚାଷ ଜମି ଆସବାପତ୍ର ଓ ଗହଣାଗାଣ୍ଠିକୁ ସାହୁକାରଙ୍କ ନିକଟରେ ବନ୍ଧକ ଦେବାକୁ ପଛେଇଯାଇ ନ ଥିବାର ଶୁଣିବାକୁ ମିଳିଥାଏ। ପର୍ବର ପାଳନକୁ ନେଇ ଏକ ଐତିହାସିକ ପୃଷ୍ଠଭୂମି ରହିଆସିଛି ଓ ଏହା ଏକ ହୃଦୟ ବିଦାରକ, ଅତ୍ୟନ୍ତ ଦାରୁଣ ଓ କରୁଣ ଘଟଣାବଳୀ। କୁଡ଼ୁମୀ ସମ୍ପ୍ରଦାୟର ଯୁବତୀ ଓ ମହିଳାଙ୍କ ଦ୍ୱାରା ଟୁସୁଦେବୀ ଆରାଧନା ପରମ୍ପରା ପର୍ବକୁ ଅଧିକ ରୁଦ୍ଧିମନ୍ତ କରାଇ ଦେଇଥାଏ। ମକର ପର୍ବ ପାଳନର ପ୍ରଥମ ଦିବସକୁ ବାଉଣ୍ଡ, ଦ୍ୱିତୀୟ ଦିବସକୁ ମକର ଓ ତୃତୀୟଦିବସକୁ ଆଖାନ କୁହାଯାଏ। ବାଉଣ୍ଡିରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଉକ୍ତ ଦିବସରେ ଘରକୁ ସଫାସୁତରା ଓ ଲିପାପୋଛା କରାଯିବା ସାଙ୍ଗକୁ ପିଠାପଣା ଆଦି ନିମନ୍ତେ ଚାଉଳ ଗୁଣ୍ଡ କରାଯାଏ।

Sambad

ଏହାପରେ ରାତିରେ ଶୀତକୁ ବିଦାୟ ଜଣାଇବା ଉଦେ୍ଦଶ୍ୟରେ ନଦୀ ଓ ଗ୍ରାମ ନିକଟସ୍ଥ ଜଳାଶୟ କୂଳରେ ଶୁଖିଲା କାଠ ଓ ପତ୍ର ଜମା କରାଯାଇ କୁମ୍ଭା ପ୍ରସ୍ତୁତ କରାଯାଇଥାଏ। ସଂକ୍ରାନ୍ତି ଦିନ ଅର୍ଥାତ୍ ଜାନୁଆରୀ ୧୪ ପ୍ରତ୍ୟୁଷରେ କୁମ୍ଭାକୁ ନିଆଁ ଲଗାଯିବା ସାଙ୍ଗକୁ ବାଣ ଆଦି ଫୁଟାଇ ନଦୀ ବା ଜଳାଶୟରେ ସ୍ନାନ କରି ନବ ବସ୍ତ୍ର ପରିଧାନ ପୂର୍ବକ ମକରକୁ ସ୍ୱାଗତ କରାଯାଏ। ସେହିପରି କୁଡ଼ୁମୀ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ନୂଆ ଖଟୁଲିରେ ଟୁସୁ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରିଥାନ୍ତି । ପୁରାଣ ତଥା ଐତିହାସିକ ଗାଥା ଉପରେ ଅଧାରିତ ବିଭିନ୍ନ ସଙ୍ଗୀତକୁ ସମ୍ମିଳିତ ସ୍ୱରରେ ଗାନ କରନ୍ତି ା ଠିକ୍ ସଂକ୍ରାନ୍ତିର ପୂର୍ବ ଦିନରେ କୁମାରୀ କନ୍ୟାମାନଙ୍କର ଦଳ ଟୁସୁ ଦେବୀଙ୍କୁ ଘରକୁ ଘର ନେଇ ଅଭ୍ୟର୍ଥନା କରାଇଥାନ୍ତି । ଏହି ସମୟରେ ବିଭିନ୍ନ ଉପଢ଼ୌକନ ଅଥବା ଉପହାରମାନ ପ୍ରଦାନ କରାଯାଉ ଥିବାର ଲକ୍ଷ୍ୟ କରାଯାଏ । ସାନ ଭଉଣୀର ଆଦରରେ ବୟସ୍କ ରମଣୀମାନେ କନ୍ୟା ଭାବେ ଶଙ୍ଖୋଳି ନେଉଥିବା ବେଳେ ନବ ବଧୂ ଓ ବୟସ୍କା ରମଣୀମାନେ ପି୍ରୟ ସଙ୍ଗିନୀ ଭାବେ ସମ୍ମାନ ଦେଇଥାନ୍ତି । ଏହି ଦିବସର ରାତିରେ ବ୍ରତଧାରୀ କନ୍ୟାମାନେ ମକର ଚାଉଳ ତଥା ପିଠାପଣା ସମର୍ପି ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି ଏବଂ ସାରା ରାତି ଅନିଦ୍ରା ରହି ପାରମ୍ପରିକ ଗୀତ ଓ ନୃତ୍ୟରେ ନିଜକୁ ହଜାଇ ଦେଇଥାନ୍ତି। ସଂକ୍ରାନ୍ତି ଦିନ ସମ୍ପୂର୍ଣ୍ଣ ଉପବାସ ଧାରଣ ପୂର୍ବକ ଟୁସୁ ପ୍ରତିମାକୁ ନିକଟସ୍ଥ ନଦୀ ଅଥବା ପୁଷ୍କରଣୀରେ ବିସର୍ଜନ କରାଇଥାନ୍ତି। ଏହି ବସର୍ଜନ ପର୍ବ ମଧ୍ୟ ନିଆରା ଢ଼ଙ୍ଗରେ ସମାପନ କରାଯାଇ ଥାଏ। ଶେଷ ଦିବସ ଆଖାନରେ ପିଠାପଣା, ମାଂସ-ମୁଢ଼ି, ଭୋଜି ଭାତର ଆସର ଜମି ଉଠେ।

ଏଥି ସହିତ ବିଭିନ୍ନ ଖେଳକୁଦ ପ୍ରତିଯୋଗୀତା, କୁକୁଡ଼ା ପାଡ଼ାରେ ଗଞ୍ଜା ଲଢ଼େଇ ମଧ୍ୟ ଆୟୋଜିତ ହୋଇଥାଏ। ଉକ୍ତ ମକର ପର୍ବ ପାଳନ ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଟୁସୁ ମୂର୍ତ୍ତି, ନୂତନ ବସ୍ତ୍ର, ପିଠାପଣା, ଭୋଜିଭାତ ସହିତ ବିଭିନ୍ନ ଜିନିଷପତ୍ର କିଣାବିକା ନିମନ୍ତେ ଆଜି ସକାଳ ସମୟରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ହୋଇ ଉଠିଥିଲା ଚଳଚଞ୍ଚଳ। ରାସ୍ତାଘାଟରେ ଗାଡ଼ି ମୋଟର ଭିଡ଼ ପରିଲକ୍ଷିତ ହୋଇଥିଲା। ଦିନରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଦୋକାନ ବଜାରରେ ଗହଳି ଚହଳି ଲାଗି ରହିଥିବାର ଦେଖିବାକୁ ମିଳିଥିଲା। ସେହିପରି କପ୍ତିପଦା, ବାଙ୍ଗିରିପୋଷି, ଶୁକୃଳି, ଠାକୁମୁଣ୍ଡା ଆଦି ବିଭିନ୍ନ ବ୍ଲକମାନଙ୍କରେ ମକର ମେଳା ଆୟୋଜନ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ପର୍ବ ଶେଷ ହୋଇଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର