ସରକାରୀ ଯୋଜନା ଅପହଞ୍ଚ: ଅର୍ଥାଭାବରୁ ବଙ୍କା ହୋଇଗଲା ବୃଦ୍ଧାଙ୍କ ହାତ-ଗୋଡ଼

ଖରିଆର: ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଅନେକ ସ୍ଥାନରେ ତୃଣମୂଳ ସ୍ତରରେ ଏହା ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଛି। ନୂଆପଡ଼ା ଜିଲ୍ଲା ଖରିଆର ବ୍ଲକ କେନ୍ଦୁପାଟି ଗାଁର କେତୁ ଷଣ୍ଢଙ୍କ ପତ୍ନୀ ହୀରାଦେଇ ଷଣ୍ଢଙ୍କ ପାଇଁ ସରକାରଙ୍କ ଯୋଜନା ଅପହଞ୍ଚ ହୋଇପଡ଼ିଛି। ଦାରିଦ୍ର୍ୟତା ଯୋଗୁଁ ଦୀର୍ଘ ୨ ବର୍ଷ ହେଲା ହୀରାଦେଇ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ଅଭାବରୁ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି।

ଏହି ଅସହାୟ ମହିଳାଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡି ନ ଥିବା ବେଳେ ଏବେ ତାଙ୍କ ପାଇଁ ଭଗବାନ ହିଁ ଏକମାତ୍ର ସହା ଭରସା। ବ୍ଲକ ଠାରୁ ୧୦ କିଲୋମିଟର ଦୂରରେ ଥିବା କେନ୍ଦୁପାଟି ଗାଁରେ ରହନ୍ତି ଗରିବ କେତୁ ଷଣ୍ଢ। ଏକ ଝାଟିମାଟି କୁଡ଼ିଆ ଘରେ ସେ ରହନ୍ତି। ଦିନ ମଜୁରୀଆ ଭାବେ କାମକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ତାଙ୍କ ପତ୍ନୀ ହୀରାଦେଇ ଷଣ୍ଢ ଦୀର୍ଘ ୨ ବର୍ଷ ହେଲା ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଚିକିତ୍ସା ଅଭାବରୁ ତାଙ୍କ ହାତ ଓ ଗୋଡ଼ ଅଙ୍କା ବଙ୍କା ହୋଇଯାଇଛି। ଏବେ ହୀରାଦେଇ ଚଲା ବୁଲା ମଧ୍ୟ କରିପାରୁ ନଥିବା ବେଳେ କେତୁଙ୍କୁ ନିଜର ରୋଗୀଣା ପତ୍ନୀଙ୍କ ଚିକିତ୍ସା ସେବା ସହ ଲାଳନ ପାଳନ ଦାୟିତ୍ୱ ବୋଝ ଦୀଗୁଣିତ ହୋଇପଡିଛ।

ବୃଦ୍ଧ ପତି-ପତ୍ନୀ ରୋଜଗାର କରିବାରେ ମଧ୍ୟ ସକ୍ଷମ ନୁହଁନ୍ତି। ଏବେ ସରକାରଙ୍କ ତରଫରୁ ମିଳୁଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କେ.ଜି. ଚାଉଳରେ ନିଜର ଘର ସଂସାର ବହୁ କଷ୍ଟେମଷ୍ଟେ ଚଳୁଛି। ହୀରାଦେଇଙ୍କ ଚିକିତ୍ସା ପାଇଁ କେତୁ ଧାର ଉଧାର କରି ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ, ନିରାଶରେ ଘରକୁ ଫେରିଛନ୍ତି। ଏଭଳି ସମସ୍ୟା ଦେଇ କେତୁଙ୍କ ପରିବାର ଗତିକରୁଥିବା ବେଳେ ସେମାନଙ୍କୁ ପ୍ରଶାସନ ତରଫରୁ କୌଣସି ସୁବିଧା ସୁଯୋଗ ମିଳୁନଥିବା ଦୁଃଖର ପ୍ରକାଶ କରିଛନ୍ତି।

ଅପରପକ୍ଷେ କେତୁ ଓ ତାଙ୍କର ପତ୍ନୀ ରହିବା ପାଇଁ ପକା ଘରଟିଏ ନ ଥିବାରୁ ଝାଟିମାଟି ଭଙ୍ଗା ଦଦରା ଘରେ ଖରା ବର୍ଷାରେ ବହୁକଷ୍ଟରେ ରହୁଛନ୍ତି। ଏଭଳି ସ୍ଥିତିରେ ପରିବାରକୁ ଖାଦ୍ୟପେୟ ସମେତ ଏକ ବିଜୁ ପକା ଗୃହ ଦେବା ସାଙ୍ଗକୁ ହୀରାଦେଇଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ କେନ୍ଦୁପାଟି ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହି ବିଷୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଗୋପଲଷ୍ମୀ ହୋତାଙ୍କ ଦୁଷ୍ଟି ଆକର୍ଷଣ କରିଥଲୁ ବୋଲି ଗ୍ରାମବାସୀ କୁହନ୍ତି। ସେ ତୁରନ୍ତ ହୀରାଦେଇଙ୍କୁ ଏକ ହୁଇଲ ଚେୟାର ଯୋଗାଇ ଦେବା ସହ ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ହୀରାଦେଇଙ୍କୁ ବିଡ଼ିଓଙ୍କ ଜରିଆରେ ଏକ ବିଜୁ ପକା ଗୃହ ଯୋଗାଇ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର