ଜୟପୁର: ‘ବୟସ ଆଉ ସାଥ୍ ଦେଉନି। ଦେହର ଚମ ବି ଉତୁରି ପଡିଲାଣି। କିଲ ଓ ପାଲା ଧରିବାକୁ ହାତରେ ଜୋର ପାଉନି। ଦେହରେ ବି ଆଉ ଶକ୍ତି ନାହିଁ ଯେ ସାହିକୁ ସାହି ବୁଲି କଂସା ବାସନ ବିକ୍ରି କରି ପାରିବି। ତଥାପି ବୁଢା ବୟସରେ ତାଣ୍ଟି ପଡି ଗଲେ ବି ତିନିପ୍ରାଣୀ କୁଟୁମ୍ବଙ୍କ ଲାଗି ସାହିକୁ ସାହି ବୁଲିବାକୁ ପଡୁଛି।’ ଦୁଃଖ ଭରା କଣ୍ଠରେ ଏହା କହିଛନ୍ତି ଜୟପୁର ସହର ୱାର୍ଡ ନମ୍ବର ୧୯ରେ ଦାରିଦ୍ର୍ୟର କାଷାଘାତରେ ଗଙ୍ଗା ନଗରରେ ରହିଥିବା ଅର୍ଜୁନ ସେନାପତି (୮୨)।

Advertisment

ତାଙ୍କ ସହ ଏକ ବାର ଫୁଟିଆ ଭଡା ଘରେ ରହୁଛନ୍ତି ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ନୀଳ ମାଧବ(୩୮) ଓ ପତ୍ନୀ ଶଶି(୭୫)। ଯେଉଁ ବୟସରେ ଅବସର ନେଇ ନାତି ନାତୁଣୀଙ୍କ ସହ ସମୟ କଟାଇବା କଥା ସେହି ସମୟରେ ବୃଦ୍ଧ ଅର୍ଜୁନଙ୍କ କାନ୍ଧରେ ପଡିଛି ପରିବାର ବୋଝ। ବୟାସାଧିକ ହେତୁ ଦୁର୍ବଳ ଅନୁଭବ କରୁଥିବାରୁ ଦିନେ ସାହି ବୁଲିଲେ ଆର ଦିନକୁ ରୋଗ ମାଡି ବସୁଛି। ବୃଦ୍ଧ ସମୟରେ ଶାହା ହେବାକୁ କେହି ନ ଥିବାବେଳେ ୫ ବର୍ଷ ତଳେ ହାତ ଛାଡି ଆରପାରିକୁ ଚାଲିଗଲା ୨୦ ବର୍ଷୀୟା ଝିଅ କୁନି। ସେ ଖଲିପତ୍ର ସିଲେଇ କରି ଯାହା ଆଣୁଥିଲେ ସେଥିରେ ପରିବାର ବେଶ ହସଖୁସିରେ ଚଳୁଥିଲା। ସେ ହାତ ଛାଡି ଅକାଳରେ ଆରପାରିକୁ ଯିବାଠୁ ଏହି ବୃଦ୍ଧ ଦମ୍ପତ୍ତିଙ୍କ ସହ ଭେଣ୍ଡା ପୁଅର ଜୀବନ ଦୁର୍ବିଶହ ହୋଇପଡିଛି।

ପ୍ରତି ମାସରେ ପୁଅକୁ ଭତ୍ତା ବାବଦରେ ୭୦୦ ଟଙ୍କା ଓ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଦୁଇ ଜଣଙ୍କୁ ୧୦୦୦ ଟଙ୍କା ମିଳୁଛି। ଏହି ଟଙ୍କାକୁ ଭଡ଼ା ଦେଇ ସାରିବା ପରେ ହାତ ଖାଲି ହୋଇଯାଉଛି। ଯେଉଁଦିନ ଅଛି ସେଦିନ ତିନି ପ୍ରାଣୀଙ୍କ ପେଟକୁ ଦାନା ଯାଉଛି ଯେଉଁଦିନ ନାହିଁ ସେଦିନ ଖାଡା ଉପାସ ରହୁଛନ୍ତି ବୋଲି ସେ କହିଛନ୍ତି।

ଲକଡାଉନ ପୂର୍ବରୁ ଫେରିରେ କଂସାବାସନ ବ୍ୟବସାୟ କରୁଥିଲେ ଅର୍ଜୁନ। ଲକଡାଉନ ହେବାଠୁ ବେପାର ଠପ ହୋଇଯାଇଛି। ଯାହା ଜମାଧନ ଥିଲା ତାହାକୁ ଖର୍ଚ୍ଚ କରିଦେବା ପରେ ଏବେ ତେଲଲୁଣ ସଂସାର ଅକଳିରେ ପଡିଛି। ସାହିପଡିଶାଙ୍କ ସହଯୋଗରେ ସଂସାରରଥ ଗଡି ଚାଲିଛି ସିନା କେତେବେଳେ ଯେ ଏହା ଅଟକି ଯିବ କହି ହେବନି। ସେହି ସମୟରୁ ଏବେ ହାତରେ ମାତ୍ର ଦୁଇରୁ ତିନି ହଜାର ଟଙ୍କାର କଂସା ବାସନ ପଡି ରହିଥିବାବେଳେ ବୁଲି ବିକ୍ରି କରିପାରୁ ନାହାନ୍ତି ଅର୍ଜୁନ।

ସେହିପରି ପୁଅ ନୀଳମାଧନ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। କେବଳ ଭତ୍ତା ବ୍ୟତୀତ ତାଙ୍କୁ କିଛି ସୁବିଧା ମିଳି ପାରୁନାହିଁ। ଗରିବ ହେତୁ ସେପରି କିଛି ସେ ଶିକ୍ଷା କରି ପାରି ନ ଥିଲେ। ତେଣୁ ବୃଦ୍ଧ ବାପାମା’ଙ୍କ ଉପରେ ନିର୍ଭର କରୁଛନ୍ତି। ସେହିପରି ବୃଦ୍ଧା ଶଶିଙ୍କ ଦେହ ମଧ୍ୟ ଭଲ ରହୁନାହିଁ। ନିକଟରେ ପଡିଯିବାରୁ ଅଣ୍ଟା ଓ ଆଣ୍ଠୁରେ ମାଡ ବାଜିଛି। ଛୋଟେଇ ଛୋଟେଇ କାମଦାମ କରୁଥିବାବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।
ଏହି ପରିବାର ଗରିବର କଷାଘାତ ମଧ୍ୟରେ ଆଉଟି ପାଉଟି ହେଉଥିବାବେଳେ ସରକାରଙ୍କର ଘର ଓ ଜାଗା ମିଶନରେ ସେମାନଙ୍କୁ ଅପହଞ୍ଚ ହୋଇପଡିଛି। ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହଯୋଗର ହାତ ବଢାଇବାକୁ ସେ ନିବେଦନ କରିଛନ୍ତି।