ଜାଗା ଯୋଜନା: ଆବେଦନ ପତ୍ର ପାଲଟିଲାଣି ବହି, ହେଲେ ଶୁଣୁନାହିଁ ପ୍ରଶାସନ

ଖୋର୍ଦ୍ଧା: ଯେଉଁ ଗରିବ ଲୋକଙ୍କ ନିଜର ଘର ଢିହ ନଥିବ ସେମାନଙ୍କୁ ଜାଗା ଯୋଜନାରେ ଘର ପାଇଁ ନିର୍ଦ୍ଧାରିତ ପରିସୀମାର ଜମି ଯୋଗାଇ ଦିଆଯିବ, କିନ୍ତୁ ରାଜ୍ୟ ସରକାରଙ୍କ ଏହି ଜାଗା ଯୋଜନା ସ୍ଥଳବିଶେଷରେ କାର୍ଯ୍ୟକାରୀ ହେଉନାହିଁ। ଥିଲାବାଲା ଏହି ଯୋଜନାର ସୁବିଧା ହାତେଇ ନେଉଥିବା ବେଳେ ଦଳିତ ବିଧବା ମହିଳା ଧନୀ ମାଲିକଙ୍କ ଭଳି ଅନେକ ଏହି ଯୋଜନାରୁ ବଂଚିତ ହୋଇ ରହିଛନ୍ତି। ଘର ପାଇଁ ଜାଗା ଖଣ୍ଡିକ ନିମନ୍ତେ ଆବେଦନ କରି ପଂଚାୟତ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ବର୍ତ୍ତମାନ ତାଙ୍କ ନିକଟରେ ଆବେଦନ ପତ୍ରର ଏକ ବିରାଟ ବହି ହୋଇ ସାରିଲାଣି, କିନ୍ତୁ ତାଙ୍କ ଗୁହାରୀ କେହି ଶୁଣୁନାହାନ୍ତି।

ବେଗୁନିଆ ବ୍ଲକ ବୋତଳମା ପଂଚାୟତ ଛତ୍ରପଡ଼ା ଗାଁର ଧନୀ ମଲ୍ଲିକ। ଆଜି ଜିଲ୍ଲାପାଳଙ୍କୁ ପୁଣି ଥରେ ଆବେଦନ କରିବାକୁ ଆସିଥିବା ଧନୀ କହିଛନ୍ତି ଯେ ଛତ୍ରପଡ଼ା ମୌଜାର ଖାତା ନଂ-୪୦୭, ପ୍ଲଟ ନଂ ୭୯ର ୨୮୦ ଡେସିମଲ ପତିତ ଜମିରେ ତାଙ୍କ ସ୍ୱାମୀଙ୍କ ଅମଳରୁ ଘର କରି ରହିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲେ। ଆବେଦନ ଭିତ୍ତରେ ତାଙ୍କୁ ୨୦୧୬ ଡିସେମ୍ବର ୨୨ ତାରିଖରେ କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ଏହା ସରାକରୀ ଜମି ହୋଇଥିବାରୁ ତାଙ୍କୁ ପରବର୍ତୀ ସମୟରେ ଯୋଜନାରୁ ବାଦ ଦିଆଗଲା। ଏହାପରେ ସେ ସରକାରଙ୍କ ନିୟମ ମୁତାବକ ସ୍ଥାୟୀ ପଟ୍ଟା ପାଇଁ ଆବେଦନ କରିଥିଲେ।

କିନ୍ତୁ ଏନେଇ ପ୍ରାୟ ୨ ବର୍ଷ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର, ବ୍ଲକ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ୧୫ରୁ ଅଧିକ ଥର ଆବେଦନ ପତ୍ର ଦେଲେ, କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ଜାଗା ମିସନରେ ଘର ଢିହ ପାଇଁ ଆବେଦନ କରି ଗତ ୩ବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି, କିନ୍ତୁ ତାଙ୍କୁ ଘର ଖଣ୍ଡିକ ପାଇଁ ଜାଗା ମିଳୁନାହିଁ। ତାଙ୍କ ଗାଁର କେତକ ସରକାରୀ ଜମି ଦଖଲ କରି ପଟ୍ଟା ପାଇ ସାରିଲେଣି, ଘର ପାଇଁ ସରକାରଙ୍କ ଅନୁଦାନରେ ଘର ନିର୍ମାଣ କରିସାରିଛନ୍ତି। ପୂର୍ବ ଘରଟି ଏବେ ସଂପୂର୍ଣ୍ଣ ଭାଙ୍ଗି ଯାଇଛି, ସେ ତାଙ୍କ ପଡ଼ୋଶୀଙ୍କ ପିଣ୍ଡାରେ କାଳ କାଟୁଛନ୍ତି। ସୂଚନାଯୋଗ୍ୟ, ଗତ ୨ ବର୍ଷ ପୂର୍ବେ ବେଗୁନିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା ହୋଇଥିଲା। ପ୍ରାୟ ୪୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବେଆଇନ ଭାବେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦାବି ଅନୁସାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ୩ଜଣଙ୍କୁ ଗିରଫ କରାଯିବା ସହ ପଂଚାୟତ ଅଧିକାରୀ ଆଦିଙ୍କୁ ନିଲମ୍ବନ କରାଯାଇଥିଲା। ଏହି ସମୟରେ ଧନୀ ମଲ୍ଲିକଙ୍କ ଭଳି ଅନେକ ହିତାଧିକାରୀ ନିଜର ଅଧିକାରରୁ ବଂଚିତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।

ସମ୍ବନ୍ଧିତ ଖବର