ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। ଗାଁରୁ ସହର ସବୁଠି ଏବେ ଆତଙ୍କ। କାରଣ ଜିଲ୍ଲାରେ ପାଖାପାଖି ହଜାରେ ସକ୍ରିୟ ସଂକ୍ରମିତ। ପ୍ରତିଦିନ ଜଣେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ହେଉଥିବା ଖବର ଆସୁଛି। ସଂକ୍ରମଣ ବଢୁଥିବାରୁ ଡାକ୍ତରଖାନାରେ ଶଯ୍ୟା ନାହିଁ। ସୁବିଧା ସୁଯୋଗ ପର୍ଯ୍ୟାପ୍ତ ନଥିବାରୁ ରାଜଧାନୀମୁହାଁ ଥିଲାବାଲା। ନଥିଲାବାଲା ଡାକ୍ତରଖାନାରେ ପଡ଼ି ଛଟପଟ ହେଉଛନ୍ତି। କାରଣ ଡାକ୍ତରଖାନାରେ ଶଯ୍ୟା ଅଭାବରୁ କିଏ ବାରଣ୍ଡାରେ ତ ଆଉ କିଏ ଚଉକି ଉପରେ ବସି ଅକ୍ସିଜେନ ନେଉଛନ୍ତି ଗୁରୁତର ରୋଗୀ। ଷ୍ଟ୍ରେଚର ଉପରେ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡୁଛି।
ବଲାଙ୍ଗୀର ଜିଲ୍ଲା ତଥା ଆଖପାଖ ମେଡିକାଲ ହବ୍ ହେଉଛି ଭୀମଭୋଇ ମେଡିକାଲ କଲେଜ ହସପିଟାଲ। ଏବେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ କରୋନା ରୋଗୀଙ୍କ ଭିଡ଼। କିନ୍ତୁ ରୋଗୀଙ୍କ ପାଇଁ ଗୋଟିଏ ଆଇସିୟୁ ଏବଂ ଆଉ ଗୋଟିଏ ଆଇସୋଲେସନ ଓ୍ବାର୍ଡ। ଶଯ୍ୟା ସଂଖ୍ୟା ସମୂଦ୍ରକୁ ଶଙ୍ଖେ। ଶହେରୁ ବି କମ୍। ଆଇସିୟୁ ଓ ସାଧାରଣ ଶଯ୍ୟା ମିଶି ସମୁଦାୟ ୫୦ଟି। ହେଲେ ରୋଗୀ ଭର୍ତ୍ତି ସଂଖ୍ୟା ଦୁଇଗୁଣା। ଏପଟେ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା। ରବିବାର ସୁଦ୍ଧା ୭୫୪ ସକ୍ରିୟ ରୋଗୀ। ଗୁରୁତର ରୋଗୀଙ୍କ ଅବସ୍ଥା ନକହିଲେ ଭଲ। କେମିତି ଚିକିତ୍ସା ଚାଲିଛି ତାହା ଗ୍ରାଉଣ୍ଡ ଜିରୋରେ ଅନୁସନ୍ଧାନ କରିବାରୁ ଅନେକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ତାହାକୁ ବି ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ଆଇସୋଲେସନ ୱାର୍ଡ ଭିତରେ ଗୁରୁତର ରୋଗୀ ତଳେ ବି ଶୋଇଛନ୍ତି। ଏଭଳି ଦୃଶ୍ୟ ସବୁ ୱାର୍ଡ ଭିତରୁ ମୋବାଇଲ କ୍ୟାମେରାରେ କଏଦ କରି ରୋଗୀ ସଂପର୍କୀୟ ଆମକୁ ଦେଖାଇଥିଲେ। ଭିଡିଓରେ ଡାକ୍ତରଖାନାରେ କରୋନା ରୋଗୀ କେମିତି ଦହଗଞ୍ଜ ହେଉଛନ୍ତି ତାହା ଜଳଜଳ ହୋଇ ଜଣାପଡ଼ିଛି। ଶଯ୍ୟା ଅଭାବରୁ ଜଣେ ଗୁରୁତର କରୋନା ରୋଗୀ ଆଇସୋଲେସନ ୱାର୍ଡ ବାହରେ ଚଉକିରେ ବସିଛନ୍ତି। ହାତରେ ସାଲାଇନ ବି ଲାଗିଛି।
ଅକ୍ସିଜେନ ଅଭାବରୁ ନାକରେ ଏନ୍.ଆଇ.ଭି ଲଗାଯାଇ ଅକ୍ସିଜେନ ଦିଆଯାଉଛି। ପୂରା ଚିକିତ୍ସା ଚାଲିଛି ଚଉକି ଉପରେ। ସେହିପରି ଆଉଜଣେ ଶୋଇରହିଛନ୍ତି ଗୁରୁତର ରୋଗୀ ଷ୍ଟ୍ରେଚର ଉପରେ ଚିକିତ୍ସିତ ହେଉଥିଲେ। କରୋନା ସଂକ୍ରମିତ ହୋଇଥିଲେ ବି ସବୁକିଛି କରୁଥିଲେ ଜଣେ ରୋଗୀ ସଂର୍ପକୀୟ। ଆଇସୋଲେସନ ୱାର୍ଡ ଆଗରେ ଚଉକିରେ ବସି ଚିକିତ୍ସା ପାଇଁ ଶଯ୍ୟାଟିଏ ପାଇଁ ଅପେକ୍ଷା କରିଛନ୍ତି ଜଣେ ଗୁରୁତର କରୋନା ରୋଗୀ। ଏପରି ଭାବରେ ହସପିଟାଲର କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ସେହିପରି ଅନେକ ସମୟ ଧରି ଅକ୍ସିଜେନ ସୁବିଧା ଥିବା ଆମ୍ବୁଲାନସ ନପହଞ୍ଚିବାରୁ ନିଜ ଗାଡ଼ିରେ ଅକ୍ସିଜେନ ସିଲିଣ୍ଡର ସହିତ ହସପିଟାଲ ପହଞ୍ଚିଥିଲେ ଜଣେ ବୟସ୍କ କରୋନା ରୋଗୀ। ଖାଲି ସେତିକି ନୁହେଁ ଜଣେ ଗୁରୁତର କରୋନା ରୋଗୀଙ୍କୁ ଚିଠାରେ ବୁର୍ଲା ସ୍ଥାନାନ୍ତର କରିବାକୁ ଲେଖାହୋଇଥିବା ବେଳେ ତାଙ୍କୁ ଘରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ପରେ ଗୁରୁତର ହୋଇ ପୁଣି ହସପିଟାଲ ସେ ଫେରିଥିଲେ। ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ବି ଡାକ୍ତରଖାନାରେ ଦେଖାଦେଇଥିଲା। ଆନୁଷଙ୍ଗିକ ସୁବିଧା ସୁଯୋଗଠାରୁ ଅଧିକ ରୋଗୀ ଆସୁଥିବାରୁ ଏବେ ବ୍ୟବସ୍ଥା ବଢ଼ିଚାଲିଛି। ପୂରା କରୋନା ଚିକିତ୍ସା ପ୍ରକ୍ରିୟାକୁ ଦେଖିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସବୁରେ ଫେଲ୍ ମାରୁଛି କହିଲେ ଅତ୍ତ୍ୟୁକ୍ତି ହେବ ନାହିଁ।
ଅବ୍ୟବସ୍ଥାକୁ ସ୍ୱୀକାର କଲେ ଡାକ୍ତରଖାନା ଅଧୀକ୍ଷକ
ଡାକ୍ତରଖାନାର ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି ଡାକ୍ତରଖାନା ଅଧୀକ୍ଷକ ଡା. ମହେନ୍ଦ୍ର ନାୟକ। ଅବ୍ୟବସ୍ଥା ସଂପର୍କରେ ଚାରିବାରୁ ସେ କହିଥିଲେ, ବର୍ତ୍ତମାନ ଏଭଳି ପରିସ୍ଥିତି ଜିଲ୍ଲାରେ ହୋଇଛି ତାହା ଚିନ୍ତାଜନକ। ଆଇସୋଲେସନ ଓ ଆଇସିୟୁ ଶଯ୍ୟା ସଂଖ୍ୟା ସବୁ ମିଶି ସମୁଦାୟ ୫୦ ରହିଛି। ଆଉ ୪୦ ବଢ଼ାଇବାକୁ ପ୍ରୟାସ ଚାଲିଛି। ଏବେ କିନ୍ତୁ ଗୁରୁତର ରୋଗୀ ୬୦ରୁ ୭୦ ଆଡମିଟ ହୋଇ ରହୁଛନ୍ତି। ଫଳରେ କାହାକୁ ମଶିଣାରେ ରଖି ଚିକିତ୍ସା କରାଯାଉଛି ତ ଆଉ କାହାକୁ ଅନ୍ୟ ଉପାୟରେ ତଳେ ଗଦି ପକାଇ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି। କିନ୍ତୁ ଆଉ ୪୦ ଶଯ୍ୟା ବୃଦ୍ଧି ହେବାରେ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ସେଣ୍ଟ୍ରାଲାଇଜ ଅକ୍ସିଜେନ ସିଷ୍ଟମ ମଧ୍ୟ ଆଉ ତିନି ଚାରିଦିନ ଭିତରେ ଆରମ୍ଭ ହୋଇଯିବ। ମୋଟାମୋଟି ଗୋଟିଏ ସପ୍ତାହ ଭିତରେ ସବୁ ବ୍ୟବସ୍ଥିତ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଆମ୍ବୁଲାନ୍ସ ଓ ପୁଲିସ ଭ୍ୟାନ୍ର ସାଇରନ୍
ସପ୍ତାହାନ୍ତ ସଟ୍ଡାଉନ୍ ପାଇଁ ଶୂନଶାନ ରାସ୍ତାଘାଟ। ଖାଁ ଖାଁ ସହର। ଦୁଇଦିନ ସପ୍ତାହାନ୍ତ ସଟ୍ଡାଉନ୍ ଚାଲିଥିବାରୁ ସହର ଭିତରେ କେବଳ ଆମ୍ବୁଲାନସ ଓ ପୁଲିସ ଭ୍ୟାନର ସାଇରନ ଶୁଣିବାକୁ ମିଳୁଛି। ସହର ଭିତରେ ବାର ବାର ଯିବା ଆସିବା କରୁଛି ଆମ୍ବୁଲାନ୍ସ। ଜାଗା ଜାଗାରୁ ଆସୁଛନ୍ତି ଗୁରୁତର କରୋନା ରୋଗୀ। କାରଣ ସଦର ମହକୁମା ଡାକ୍ତରଖାନାକୁ ଛାଡ଼ିଦେଲେ ଅନ୍ୟ ଜାଗାରେ ଗୁରୁତର ରୋଗୀଙ୍କ ପାଇଁ ସେପରି ସୁବିଧା ନାହିଁ। ହେଲେ ଏସବୁ ବାଦ୍ କୋଭିଡ କଟକଣାକୁ କଡ଼ାକଡ଼ି କରିବା ପାଇଁ ସହର ଭିତରେ ପୁଲିସ ପଇଁତରା। ରାତି ତମାମ ପଡ଼ାପଡ଼ା ବୁଲୁଛି ପୁଲିସର ବାଇକ ପି.ସି.ଆର୍। କେବଳ ରାତିରେ ନୁହେଁ, ଦିନରେ ବି ଚାଲିଛି ନାକାବନ୍ଦୀ। ଜରୁରୀ କାମ ନଥିଲେ ଜନସାଧାରଣଙ୍କୁ ବାରଣ କରାଯାଉଛି। ଅମାନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ପ୍ରତିଦିନ ସଂଖ୍ୟା ବଢ଼ିବା ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/3b697e4a-8780-4cd2-bd2a-68f5de5d7efc-1.jpg)