ସମ୍ବଲପୁର: ଓଡ଼ିଶାର ଭାବାବେଗ ସହ ଯାହାଙ୍କ ସମ୍ପର୍କ ନାହିଁ, ସେମାନେ ଆଜି ରାଜ୍ୟ ଚଳାଉଛନ୍ତି। ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି। ଏହା ସମ୍ବିଧାନ ବିରୋଧୀ। ଓଡ଼ିଶାରୁ ସମ୍ବିଧାନ ବିରୋଧୀ ଓ ଭ୍ରଷ୍ଟାଚରୀ ସମୂହଙ୍କୁ ବାହାର କରିବାକୁ ପଡିବ ଓ ମୋଦୀଙ୍କ ଶାସନ ପ୍ରଣାଳୀକୁ ଆଗକୁ ନେବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ ଅନ୍ତର୍ଗତ ଟାମ୍ପରକେଲାଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, କେନ୍ଦ୍ରର ମୋଦୀ ସରକାର ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ପାଖାପାଖି ପ୍ରାୟ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି।
ଗରିବ କଲ୍ୟାଣକାରୀ ଯୋଜନା ଗରିବ, ଚାଷୀ, ମହିଳା, ଯୁବକ ଓ ବଞ୍ଚିତ ବର୍ଗର ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି। ଗରିବ କଲ୍ୟାଣରେ ଦେଶ, ରାଜ୍ୟ ତଥା ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା ଓ ସ୍ୱାଭିମାନର କଥା ଅଛି। ସମ୍ବଲପୁର ଏଭଳି ଏକ ମାଟି ଯାହା ପରିଶ୍ରମୀ, ସ୍ୱାଭିମାନୀ ଓ ଆତ୍ମନିର୍ଭର ହେବା ପାଇଁ ଶିକ୍ଷା ଦିଏ। ସମ୍ବଲପୁରର ସୁଯୋଗ୍ୟ ସନ୍ତାନମାନଙ୍କୁ ମୋଦୀ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରି ଏ ଅଞ୍ଚଳର କଳା ଓ ଅନ୍ୟ ପ୍ରତିଭାକୁ ଯଥୋଚିତ ସମ୍ମାନ ଦେଇଛନ୍ତି। ଆଜି ସାରା ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ସ୍ବୀକାର କରିଛି। ତେଣୁ ଆଗାମୀ ଦିନରେ ଉଭୟ ରାଜ୍ୟ ଓ ଦେଶକୁ ମୋଦୀଙ୍କ ଦକ୍ଷ ଓ ବଳିଷ୍ଠ ନେତୃତ୍ବରେ ଆଗକୁ ନେବାର ସୁଯୋଗ ଦେବାକୁ ସେ ଆହ୍ବାନ ଦେଇଥିଲେ।
ସମ୍ବଲପୁର ଜିଲ୍ଲାର ହିସାବ ଦେଇ ମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ସେବା ଓ ସୁଶାସନରେ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ପାଖାପାଖି ୫ ଲକ୍ଷ ଟଙ୍କା ମିଳିଛି। ମୋଦୀ ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୬୪ ହଜାର ୫୭୪ଟି ପରିବାରକୁ ମୋଟ ୭ ହଜାର ୯୧୮ କୋଟି ଟଙ୍କା ଦେଇଛନ୍ତି। ଜିଲ୍ଲାକୁ ପରିବାର ପିଛା ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦୀ ସରକାର ଦେଇଛନ୍ତି ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2023/06/26-6.jpg)
ମୋଦୀଙ୍କ ହାତରେ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପଣ ଶୀଘ୍ର
ସମ୍ବଲପୁର: ଖୁବ୍ ଶୀଘ୍ର ସମ୍ବଲପୁର ସହର ସଂଲଗ୍ନ ବସନ୍ତପୁରଠାରେ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଏହି କ୍ୟାମ୍ପସ୍ ଲୋକାର୍ପିତ ହେବ। ଶନିବାର ସମ୍ବଲପୁର ଜିଲ୍ଲାର ଟାମ୍ପରକେଲାଠାରେ ଗରିବ କଲ୍ୟାଣ ସମାବେଶ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ୨୦୧୬ରେ ସ୍ଥାପିତ ଆଇଆଇଏମ୍ ସମ୍ବଲପୁର ବର୍ତ୍ତମାନ ଅସ୍ଥାୟୀ କ୍ୟାମ୍ପସ୍ରେ ଚାଲିଛି। ଏହା ପ୍ରଥମେ ସିଲିକନ୍ ଇନଷ୍ଟିଚ୍ୟୁଟ୍ରେ ଚାଲିଥିଲାବେଳେ ପରବର୍ତ୍ତୀ ସମୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତିବିହାର କ୍ୟାମ୍ପସ୍କୁ ଆସିଥିଲା। ଅସ୍ଥାୟୀ କ୍ୟାମ୍ପସ୍ରୁ ଆଇଆଇଏମ୍ର ୫ଟି ବ୍ୟାଚ୍ ଉତ୍ତୀର୍ଣ୍ଣ ହୋଇ ସାରିଲେଣି। ଅନ୍ୟ ପକ୍ଷରେ ସମ୍ବଲପୁର ମହାନଗରର ବସନ୍ତପୁର ମୌଜାରେ ୨୦୦ ଏକର ଜମିରେ ଆଇଆଇଏମ୍ ସମ୍ବଲପୁରର ବିଶାଳ ଓ ଭବ୍ୟ ସ୍ଥାୟୀ କ୍ୟାମ୍ପସ୍ର ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ଶେଷ ସ୍ପର୍ଶ ଦିଆଯାଉଛି। ଖୁବ୍ ଶୀଘ୍ର ଏହା ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ବୋଲି ଆଜି ମନ୍ତ୍ରୀ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/25-6.jpg)