ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କଠୋର ଏବଂ ସଶକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ପାର୍ଲାମେଣ୍ଟରେ ପାରିତ କରିବାକୁ ଦାବି

ବାରିପଦା: ଭାରତରେ ସଶକ୍ତ ଓ କଠୋର ଜନସଂଖ୍ୟା ଆଇନ ସଂସଦରେ ପ୍ରଣୟନ କରିବାକୁ ଦାବି କରିଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ । ଏଥିନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୟୂରଭଂଜ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଛି ।

ଉକ୍ତ ଦାବିପତ୍ରରେ ଲେଖାଯାଇଛି ଯେ, ଯେଉଁ ଦେଶରେ ଜନସଂଖ୍ୟାର ସଠିକ ସନ୍ତୁଳନ ଅଛି ସେଇ ଦେଶଗୁଡ଼ିକ ସବୁ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ଅଛନ୍ତି । ପରିବେଶ ସନ୍ତୁଳନଠାରୁ ଆରମ୍ଭ କରି ସାମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ଅଗ୍ରଗତି ସମେତ ଶିକ୍ଷା, ଚିକିତ୍ସା ଓ ବିଜ୍ଞାନ କ୍ଷେତ୍ରରେ ସେ ସବୁ ଦେଶଗୁଡ଼ିକ ବିକଶିତ ସ୍ଥାନରେ ଅଛନ୍ତି । ଏହା ବ୍ୟତିତ ବେକାରୀ ସମସ୍ୟା ଆଇନଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସ୍ଵଳ୍ପ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ଅତ୍ୟନ୍ତ ନିୟନ୍ତ୍ରିତ ଓ ଶୃଙ୍ଖଳିତ ଅବସ୍ଥାରେ ରହିଛନ୍ତି । ସ୍ଵାଧୀନତା ପାଇବା ସମୟରେ ମାତ୍ର ଛତିଶ କୋଟି ଜନସଂଖ୍ୟା ଥିବା ଦେଶ ଭାରତ ବର୍ତ୍ତମାନ ପ୍ରାୟ ୧୪୦ କୋଟିରୁ ଅଧୁକ ଜନସଂଖ୍ୟାକୁ ବୃଦ୍ଧି ହେଲାଣି । ପ୍ରତ୍ୟେକ ମିନିଟରେ ୫୦ରୁ ଅଧିକ ନବଜାତ ଶିଶୁଙ୍କୁ ଜନ୍ମ ଦେଉଥିବା ଭାରତ ବର୍ତ୍ତମାନ ଏକ ଭୟଙ୍କର ଜନ ବିସ୍ଫୁରଣ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।

ଭାରତରେ ମାତ୍ର ୨୪ ପ୍ରତିଶତ ସ୍ଥଳ ଭାଗ ଥିବା ବେଳେ ପ୍ରତ୍ୟେକ ବର୍ଗ କିଲୋମିଟରରେ ସର୍ବାଧିକ ୪୧୧ ଜଣ ଲୋକ ରହିଛନ୍ତି । ଚୀନର କ୍ଷେତ୍ରଫଳ ଆମ ଦେଶର ତିନି ଗୁଣା ଅଧୁକ ହୋଇଥିବା ବେଳେ ସେଠାରେ ପ୍ରତି ବର୍ଗ କିଲୋମିଟରରେ ମାତ୍ର ୧୫୩ ଜଣ ଲୋକ ରହୁଛନ୍ତି । ସେହିଭଳି ପୃଥିବୀର ବିଭିନ୍ନ

ଦେଶର ଜନବସତି ପରିସଂଖ୍ୟାନ ବର୍ଗ କିମି ଅନୁସାରେ ଆମେରିକାରେ ୩୭.୭୧ ଜଣ, ରୁଷିଆର ମାତ୍ର ୨ ଜଣ ,କାନାଡ଼ାରେ ୩.୮୨ ଜଣ, ଅଷ୍ଟ୍ରେଲିଆରେ ୩.୩ ଜଣ ,ଜର୍ମାନୀରେ ୨୩୪ ଜଣ, ବ୍ରିଟେନରେ ୨୭୫, ଓ ପାକିସ୍ଥାନରେ ମାତ୍ର ୨୭୫ଜଣ ଲୋକ ପ୍ରତି ବର୍ଗ କିଲୋମିଟର ରହୁଛନ୍ତି । ବେକାରୀ ସମସ୍ୟାରେ ମଧ୍ୟ ଭାରତ ସର୍ବୋଚ୍ଚ ସ୍ଥାନରେ ଅଛି । ସମଗ୍ର ପୃଥିବୀରେ ମାତ୍ର ୫.୭ ପ୍ରତିଶତ ବେକାରୀ ଥିବା ବେଳେ ଚୀନରେ ମାତ୍ର ୫.୩ ପ୍ରତିଶତ , ଅଷ୍ଟ୍ରେଲିଆରେ ୫.୭ପ୍ରତିଶତ ,ଆମେରିକାରେ ୧୮ ,ପାକିସ୍ଥାନରେ ୪.୪ପ୍ରତିଶତ ଇଂଲଣ୍ଡର ୨.୯ ଓ ଜର୍ମାନୀର ମାତ୍ର ୪.୪ପ୍ରତିଶତ ବେକାରୀ ଥିବା ବେଳେ ଭାରତରେ ରେକର୍ଡ ସଂଖ୍ୟକ ବେକାରୀ ଅଛନ୍ତି ।

ଅର୍ଥାତ୍ ଆମ ଦେଶ ଭାରତର ବେକାରୀ ମାନଙ୍କ ସଂଖ୍ୟା ସର୍ବୋଚ୍ଚ ୨୩ ପ୍ରତିଶତରେ ପହଂଚିଛି । ସେହିଭଳି ଅତ୍ୟଧିକ ଜନସଂଖ୍ୟା କାରଣରୁ ଭାରତରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଧ୍ବଂସ ହେବାରେ ଲାଗିଛି । ବିପର୍ଯ୍ୟସ୍ତ ଦେଶ ତାଲିକାରେ ଶ୍ରେଷ୍ଠ ଦଶଟି ଦେଶ ମଧ୍ୟରେ ଭାରତ ରହିଛି । ଜନ ବିସ୍ଫୋରଣ ଯୋଗୁଁ ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ତାର କାରଣ ହେଉଛି

ଆମ ଅପେକ୍ଷା ପାଞ୍ଚ ଗୁଣ ବୃହତ୍ତମ କ୍ଷେତ୍ର ବିଶିଷ୍ଟ ଦେଶ ଆମେରିକାର ଜନସଂଖ୍ୟା ମାତ୍ର ୪୮ କୋଟି ହୋଇଥିବା ବେଳେ ଭାରତର ଜନସଂଖ୍ୟା ୧୪୦ କୋଟି । ଏତେ ବଡ଼ ଜନସଂଖ୍ୟାକୁ ସ୍ବାସ୍ଥ୍ୟ ଓ ଶିକ୍ଷା ସମେତ ଆନାନ୍ୟ ସରକାରୀ ଜନ ମଙ୍ଗଳକାରୀ ଯୋଜନା ଯୋଗାଇବା ଯେକୌଣସି ସରକାର ପକ୍ଷରେ ସମ୍ପୂର୍ଣ ଅସମ୍ଭବ । ଏହାର ଜୀବନ୍ତ ଉଦାହରଣ କୋଭିଡ -୧୯ ପରିଚାଳନାରେ ସରକାରଙ୍କ ସବୁପ୍ରକାର ଉଦ୍ୟମ ବିଫଳ।

ତେଣୁ ଅସନ୍ତୁଲିତ ଜନସଂଖ୍ୟା କେବଳ ଆମ ଦେଶର ଭବିଷ୍ୟତ ପାଇଁ ଉଦ୍ବେଗଜନକ ତାହା ନୁହେଁ, ଭାରତୀୟ ସଂସ୍କୃତି, ଅସ୍ମିତା ତଥା ଇତିହାସ ଏବଂ ଗୌରବମୟ ପରମ୍ପରା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଭାରତ ବର୍ଷରେ ଜଳ ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ , ପର୍ଯ୍ୟବରଣ ଓ ପରିବେଶ କ୍ଷତି ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ ଏବଂ ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ସବୁର ମୂଳ କାରଣ ହେଉଛି ଭାରତରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି । ଏହି ସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ବର୍ଦ୍ଧିତ ଜନସଂଖ୍ୟା ଉପରେ ସମ୍ପୂର୍ଣ ଅଙ୍କୁଶ ଲଗାଇବା । ଚୀନ ଭଳି ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣି ପ୍ରଥମେ ଦେଶର ଜନସଂଖ୍ୟାକୁ ସନ୍ତୁଳିତ କରିବା।

ତେଣୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ମୟୂରଭଂଜ ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଏକମାତ୍ର ଦାବି ଉପସ୍ଥାନ କରୁଛୁ କି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶର ପାର୍ଲିଆମେଣ୍ଟରେ କଠୋର ଆଇନ ଆଣି ସବୁ ନାଗରିକମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବାର ବ୍ୟବସ୍ଥା କରନ୍ତୁ । ଆଇନ ଏତେ କଠୋର ହେବା ଆବଶ୍ୟକ କି ଯଦି କେହି ବି ନାଗରିକ ଦୁଇଟି ସନ୍ତାନର ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ଆଇନ ଅବମାନକାରୀ ଦମ୍ପତ୍ତିମାନଙ୍କୁ ଆର୍ଥକ ଜୋରିମାନା ଏବଂ ଜେଲ ଦଣ୍ଡ ସହିତ ସେମାନଙ୍କର ଭାରତୀୟ ନାଗରିକତା ରବ୍ଦ କରାଯିବା ସଙ୍ଗେ ସଙ୍ଗେ ସବୁ ସରକାରୀ ସହାୟତାରୁ ବଞ୍ଚିତ କରାଯିବାର ବ୍ୟବସ୍ଥା ହେବ ଯାହା ଦ୍ଵାରା ତୃତୀୟ ସନ୍ତାନ ଜନ୍ମଦାତା ମାନଙ୍କୁ ଭାରତୀୟ ସମାଜରୁ ବାସନ୍ଦ କରାଯାଇ ପାରିବ । ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା ସଭାପତି ଲକ୍ଷ୍ମୀଧର ହାବଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର