ମାଲକାନଗିରି: ଚିକିତ୍ସାଳୟରେ ଡାକ୍ତରଙ୍କ ପରେ ନର୍ସିଂ ଅଫିସରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି। ଔଷଧ ପ୍ରଦାନ ଠାରୁ ଆରମ୍ଭ କରି ରୋଗୀର ସମ୍ପୂର୍ଣ୍ଣ ଭାବେ ଦାୟିତ୍ବ ଗ୍ରହଣ କରିଥାନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ଚିକିତ୍ସାଳୟରେ ରୋଗୀଙ୍କୁ ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ନର୍ସିଂ ଅଫିସର ନାହାଁନ୍ତି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୧ଟି ନର୍ସିଂ ଅଫିସର ପଦବୀ ଖାଲି ପଡିଛି। କେବଳ ଯେ ନର୍ସିଂ ଅଫିସର ନୁହେଁ ଏମାନଙ୍କୁ ପରିଚାଳନା ପାଇଁ ରହିଥିବା ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ଓ ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀ ମଧ୍ୟ ଖାଲି ପଡିଛି। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏହି ପଦବୀ ଖାଲି ପଡିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ‌ଦେଉ ନାହିଁ।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ହିଃବିଭାଗକୁ ‌ଦୈନିକ ୬ଶହରୁ ଅଧିକ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା କରିଥାନ୍ତି। ସେଥିରୁ ଦିନକୁ ପ୍ରାୟ ୧ଶହରୁ ଅଧିକ ରୋଗୀ ଅର୍ନ୍ତଃବିଭାଗରେ ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥାନ୍ତି। ଚିକିତ୍ସାଳୟରେ ୧୮ଟି ବିଭାଗ ରହିଥିବା ବେଳେ ୨ଶହ ଶଯ୍ୟାର ମାନ୍ୟତା ପାଇଛି। କିନ୍ତୁ ରୋଗୀ ସଂଖ୍ୟା ବୃଦ୍ଧିକୁ ଦେଖି ଆହୁରି ୧୮୦ଟି ଶଯ୍ୟା ପଡିଛି। ୩୮୦ ଶଯ୍ୟା ଥିବା ବେଳେ ମଧ୍ୟ ବହୁ ସମୟରେ ରୋଗୀକୁ ତଳେ ଶୋଇବାକୁ ପଡୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪୧ ନର୍ସିଂ ଅଫିସର ପଦବୀ ରହିଥିବା ବେ‌ଳେ ୧୦୦ ଜଣ ରହିଛନ୍ତି। ଡାକ୍ତରମାନ‌େ ‌ରୋଗୀର ସ୍ବାସ୍ଥ୍ୟ ପରୀକ୍ଷା ପରେ ଦାୟିତ୍ବ ନର୍ସିଂ ଅଫିସରକୁ ଦେଇଥାନ୍ତି। ରୋଗୀକୁ ସାଲାଇନ ଲଗାଇବା, ଇଞ୍ଜେକ୍ସନ ଦେବା, ଔଷଧ ପ୍ରଦାନ କରିବା ଭଳି ବିଭିନ୍ନ କାର୍ଯ୍ୟ କରିବା ସହ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କୁ ସହଯୋଗ କରିଥାନ୍ତି। ଚିକିତ୍ସାଳୟର ସମସ୍ତ ବିଭାଗରେ ନର୍ସିଂ ଅଫିସର ପଦବୀ ଖାଲି ପଡିଛି। ଗ‌ୋଟିଏ ରୋଗୀଙ୍କୁ ସେବା ଯୋଗାଉଥିବା ବେଳେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନ ରୋଗୀଙ୍କୁ ଦେଖିବା ପାଇଁ କହୁଛନ୍ତି। ଏଭଳି ସ୍ଥିତିରେ ନର୍ସିଂ ଅଫିସର ଅଭାବ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନର୍ସିଂ ଅଧିକାରୀମାନ‌େ ସକାଳ ୮ଟାରୁ ଦିନ ୨ଟା, ଦିନ ୨ଟାରୁ ରାତି ୯ଟା ଓ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୩ଟି ସିଫ୍ଟରେ କାର୍ଯ୍ୟ କରୁଛନ୍ତି।
ନର୍ସିଂ ଅଫିସର ଅଭାବ ଯୋଗୁଁ ଆଡଜଷ୍ଟମେଣ୍ଟ କରି କାମ ଚଳାଉଛନ୍ତି। ଯାହାଫଳରେ ରୋଗୀ ଗୁଣାତ୍ମକ ସେବା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଚିକିତ୍ସାଳୟରେ ନର୍ସିଂ ସେବାର ପରିଚାଳନା ଓ ତଦାରଖ ପାଇଁ ଗୋଟିଏ ଡେପୁଟି ନର୍ସିଂ ସୁପରିଟେଣ୍ଟ ପଦବୀ ରହିଛି। ସେ ନର୍ସିଂ ଅଫିସର ମାନଙ୍କ ଡ୍ୟୁଟି ଚାର୍ଟ ପ୍ରସ୍ତୁତ, ଛୁଟି ପ୍ରଦାନ, ଓ୍ବାର୍ଡ ପରିଦର୍ଶନ କରି କାର୍ଯ୍ୟ ତଦାରଖ, ସିଫ୍ଟ ଅନୁଯାୟୀ ଉପସ୍ଥାନ ଯାଞ୍ଚ, ଅନ୍ୟ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ ରଖିବା, ଗୁଣାତ୍ମକ ସେବାର ସମୀକ୍ଷା, ଯନ୍ତ୍ରପାତି ଓ ସାମଗ୍ରୀର ଉପଯୁକ୍ତ ବ୍ୟବହାର ଏବଂ ଯତ୍ନର ତଦାରଖ କରିବା, କର୍ମଚାରୀଙ୍କୁ ପରାମର୍ଶ ଓ ମାର୍ଗଦର୍ଶନ କରିବା ସହ ତାଲିମ ପ୍ରଦାନ କରିବା ଦାୟିତ୍ବ ରହିଛି। ମାତ୍ର ଡେପୁଟି ନର୍ସିଂ ସୁପରିଟେଣ୍ତେଣ୍ଟ ପଦବୀ ୨୦୨୨ ମସିହା ଏପ୍ରିଲ ୧ ତାରିଖରୁ ଖାଲି ପଡିଛି। ଦେଢ଼ ବର୍ଷ ହେଲାଣି ବରିଷ୍ଠ ନର୍ସିଂ ଅଫିସରୁ ପଦୋନ୍ନତି ଦିଆ ଯାଉନଥିବା ବେଳେ ନୂତନ ନିଯୁକ୍ତି ମଧ୍ୟ ଦିଆଯାଉ ନାହିଁ। ଜଣେ ନର୍ସିଂ ଅଫିସରକୁ ଏହାର ଦାୟିତ୍ବ ଲଦି ଦେଇଛନ୍ତି। ସେହିପରି ଡେପୁଟି ନର୍ସିଂ ସୁପରିଟେଣ୍ତେଣ୍ଟକୁ କାର୍ଯ୍ୟରେ ସହଯୋଗ ପାଇଁ ୨ଟି ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀ ରହିଛି। କିନ୍ତୁ ଏହି ପଦବୀ ମଧ୍ୟ ୨୦୨୧ ମସିହାରୁ ଖାଲି ପଡିଛି। ତେବେ ଚିକିତ୍ସାଳୟରେ ନର୍ସିଂ ଅଫିସରଙ୍କ କିଭଳି ପରିଚାଳନା ହେଉଛି ତାହା ଏଥିରୁ ଜଣାପଡୁଛି। ମାଲକାନଗିରି ସିଡିଏମଓ ଡଃ. ପ୍ରଫୁଲ କୁମାର ନନ୍ଦ କହିଛନ୍ତି, ନର୍ସିଂ ଅଫିସର ପଦବୀ ଖାଲି ଥିବାରୁ ଚିକିତ୍ସା କ୍ଷେତ୍ରରେ ଅସୁବିଧା ହେଉଛି। ଏହି ପଦବୀ ପୂରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି।
Advertisment