ବିନା ପୂର୍ବ ସୂଚନାରେ ରାତିରେ କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ଲୋକଙ୍କ ନାପସନ୍ଦ

ଜୟପୁର: ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ବି ଜୟପୁର ସହରରେ ବ୍ୟାପକ ଭାବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି। ଜିଲ୍ଲାରେ ୭୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜୟପୁର ସହରରେ ୧୭ ଓ ବ୍ଲକରେ ୩ଜଣ ଚିହ୍ନଟ ହୋଇଛନ୍ତି। ପାରାବେଢ଼ା, କୃଷି ବିଭାଗର କ୍ବାଟର, ଏମଜିରୋଡ, ଜୟନଗର, ପୁରୁଣାଗଡ଼, ଆଦର୍ଶନଗର, ବ୍ୟାଙ୍କ କଲୋନୀ, ନୂଆସାହି, ସୌରାସାହି, ତାରିଣୀଛକ, ଗୌତମ ନଗର ଆଦି ଅଂଚଳରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ଅନ୍ୟ ପକ୍ଷରେ ଗତ କାଲି ଅପରାହ୍ନ ୧୨ଟା ବଦଳରେ ରାତିରେ ଅଚାନକ ଭାବେ ସନ୍ତୋଷୀମା ନଗର ପ୍ରଥମ ଲେନ୍‌କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ‌ଘୋଷଣାକୁ ନାପସନ୍ଦ କରିଛନ୍ତି ସାହି ବାସିନ୍ଦା।

ଗତ କାଲି ସଂଧ୍ୟାରେ ମାଇକରେ ପ୍ରଚାର କରିବା ସମୟରେ‌ ପୌରକର୍ମଚାରୀ ସାହି ବାସିନ୍ଦାଙ୍କ ବିରୋଧର ବି ସମ୍ମୁଖୀନ ହୋଇଥିଲେ। ସକାଳ ୧୨ଟାରୁ ୩୦ତାରିଖ ୧୨ଟା ପର୍ଯ୍ୟନ୍ତ ଏହା ଘୋଷଣା କରାଯାଇଛି। ତେବେ ଘୋଷଣା ପୂର୍ବରୁ ସାହି ବାସିନ୍ଦାଙ୍କୁ ସୂଚନା ପ୍ରଦାନ କରିଥିଲେ ଆସନ୍ତା ୪ଦିନ ପାଇଁ ରାସନ, ପନିପରିବା, କ୍ଷୀର ଆଦି ଆଣି ଘରେ ଜମା କରି ରଖାଯାଇଥାନ୍ତା। ତେବେ ଏଭଳି ନ କରି ଅଚାନକ ଭାବେ ରାତି ଅଧିଆ ରାସ୍ତା ବନ୍ଦ କରି ସିଲ୍ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବରିଷ୍ଠ ନାଗରିକ ରାମନାଥ ସାହୁ।

ସମ୍ବନ୍ଧିତ ଖବର