ନିୟମଗିରିରେ କାୟା ବିସ୍ତାରୁଛି କରୋନା, ଛୁଟିରେ କଲ୍ୟାଣସିଂହପୁର ବିଡ଼ିଓ

ତାଲିମ୍ ନେବାକୁ ଯାଇ ଆଉ ଫେରି ନାହାନ୍ତି, ଲାଗୁନି ଫୋନ; ବ୍ଲକ୍ ଅଧ୍ୟକ୍ଷଙ୍କୁ ଦେଇଥିବା ଦରଖାସ୍ତକୁ ଖାରଜ କଲେ ଜିଲ୍ଲାପାଳ; ଅତିରିକ୍ତ ଦାୟିତ୍ବରେ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଚାଲିଛି ବ୍ଲକ୍

ରାୟଗଡ଼ା: ନିୟମଗିରିକୁ କରୋନା ଛୁଇଁବା ପରେ ବିରଳ ଜନଜାତିଙ୍କୁ କରୋନା କବଳରୁ ରକ୍ଷା କରିବା ତୁରନ୍ତ ପଦକ୍ଷେପ ନେବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ସ୍ବାବ ଟେଷ୍ଟ ପାଇଁ ଡଙ୍ଗରିଆ ରାଜି ହେଉନଥିବାରୁ ବୁଝାଶୁଝା କରି ପରୀକ୍ଷଣ ମାଧ୍ୟମରେ ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ପ୍ରଶାସନ ଲାଗି ପଡ଼ିଛି। ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ସମେତ ବହୁ ଉଚ୍ଚ ପଦସ୍ତ ଅଧିକାରୀ ଡଙ୍ଗରିଆଙ୍କ ଅନ୍ଧ ବିଶ୍ବାସକୁ ଦୂର କରି ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏପରି ସ୍ଥିତିରେ ତାଲିମ୍ ନେବାକୁ ଭୁବନେଶ୍ବର ଯାଇ ଗତ ମାସେ ହେଲା ଆଉ କାର୍ଯ୍ୟକୁ ଫେରିନାହାନ୍ତି କଲ୍ୟାଣସିଂହପୁର ବିଡ଼ିଓ। ବିଡ଼ିଓ ଭାବେ ନବ ନିଯୁକ୍ତି ପରେ ତାଲିମ୍ ପ୍ରକ୍ରିୟା ଶେଷ ହୋଇନଥିବାରୁ ଏପ୍ରିଲ୍ ମାସରେ ଗୋପବନ୍ଧୁ ଏକାଡେମୀକୁ ତାଲିମ୍ ପାଇଁ ଯାଇଥିଲେ ବିଡ଼ିଓ ଅନୁପ ଅଭିଷେକ ବେହେରା। ଏପ୍ରିଲ୍ ୨୭ ତାରିଖରେ ତାଲିମ୍ ଶେଷ ହେବା ପରେ ୨୮ରେ କାର୍ଯ୍ୟରେ ଯୋଗଦେବା କଥା। କିନ୍ତୁ ତାଲିମ୍ ପରେ ବ୍ଲକ୍ ଅଧ୍ୟକ୍ଷା ଯୋଗେନ୍ଦ୍ର ୱାଡକାଙ୍କୁ ଛୁଟି ଦରଖାସ୍ତ ଦେଇ ଗତ ୨୪ ଦିନ ହେଲା ପ୍ରଶାସନ ସହ ଯୋଗାଯୋଗରେ ନାହାନ୍ତି ବିଡ଼ିଓ ଶ୍ରୀ ବେହେରା।

ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବା ପରେ ସରକାରଙ୍କ ନିର୍ଦେଶନୁଯାୟୀ ସମସ୍ତ ଅଫିସରଙ୍କ ଛୁଟି ବାତିଲ୍ ସହ ହେଡକ୍ବାର୍ଟର୍ସ ନ ଛାଡ଼ିବାକୁ କଡ଼ା ନିର୍ଦେଶ ହୋଇଛି। ହେଲେ କଲ୍ୟାଣସିଂହପୁରର ସ୍ଥାୟୀ ବିଡ଼ିଓ ଶ୍ରୀ ବେହେରା ନିଜ ଛୁଟି ସଂପର୍କରେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ସହ ଆଲୋଚନା କରିନାହାଁନ୍ତି। ଛୁଟିରେ ଥିବା ବିଡ଼ିଓ ଶ୍ରୀ ବେହେରାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ପ୍ରଶାସନ ଯୋଗ‌ାଯୋଗ ମଧ୍ୟ କରିପାରୁନି। ଫଳରେ ରାୟଗଡ଼ା ବ୍ଲକର ଅତିରିକ୍ତ ବିଡ଼ିଓ କାଳୁ ଚରଣ ନାୟକଙ୍କୁ କଲ୍ୟାଣସିଂହପୁର ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସ୍ଥାୟୀ ବିଡ଼ିଓ ଥିବା ସତ୍ତ୍ବେ ମାସରେୁ ଉର୍ଦ୍ଧ୍ବ ସମୟ ହେଲା ପଛୁଆ ତଥା ଆଦିବାସୀ ବହୁଳ ବ୍ଲକ୍ କଲ୍ୟାଣସିଂହପୁରରେ ବିକାଶ କାମ ଅତିରିକ୍ତ ଦାୟିତ୍ବରେ ଚାଲିଛି। ବିଡ଼ିଓ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରେ ପ୍ରଶାସନ ବିଫଳ ହେବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାଏକଙ୍କ ସୁପାରିଶରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗତ ୫ ଦିନ ତଳେ ବିଡ଼ିଓଙ୍କ ଛୁଟି ଦରଖାସ୍ତକୁ ଖାରଜ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି।

କିନ୍ତୁ ଛୁଟି ଦରଖାସ୍ତରେ ବିଡ଼ିଓ ଦେଇଥିବା ମୋବାଇଲ୍ ନମ୍ବର ଲାଗୁନଥିବାରୁ ପ୍ରଶାସନର ନିର୍ଦେଶନାମା ତାଙ୍କ ପାଖରେ ପହଞ୍ଚି ପାରୁନି। ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଯଦି ବିଡ଼ିଓ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତାହାହେଲେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗକୁ ସୁପାରିଶ କରାଯିବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାଏକ। ନିୟମଗିରିକୁ କରୋନା ଛୁଇଁବା ପରେ ଗତ ସପ୍ତାହକ ମଧ୍ୟରେ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତର ୪ଟି ଗ୍ରାମରୁ ୨୦ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପାର୍ସାଲି ସରପଞ୍ଚଙ୍କ ସମେତ ପଞ୍ଚାୟତର ଫାକେରି ଗାଁରୁ ସର୍ବାଧିକ ୧୩ ଡଙ୍ଗରିଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ୩୬ଟି ଗାଁରେ ୩ ହଜାରରୁ ଉର୍ଦ୍ଧ୍ବ ଡଙ୍ଗରିଆ ବାସ କରୁଥିବା ବେଳେ ସ୍ବାବ ଟେଷ୍ଟ ପାଇଁ ଡଙ୍ଗରିଆ ରାଜି ହେଉନଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖା ଦେଇଛି। ବହୁ ବୁଝାଶୁଝା ପରେ ଗତ ୧୮ ତାରିଖରେ ୨୫ ଡଙ୍ଗରିଆ ମହିଳା ସ୍ବାବ ଟେଷ୍ଟ କରିଥିଲେ। ଅଧିକରୁ ଅଧିକ ଡଙ୍ଗରିଆଙ୍କ ସ୍ବାବ ଟେଷ୍ଟ ପାଇଁ ଆଜି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଏ ଆଇଟିଡିଏ ଟୁକୁ ବାରିକ୍ ଓ କଲ୍ୟାଣସିଂହପୁର ବ୍ଲକ୍ କର୍ତ୍ତୃପକ୍ଷ ପ୍ରମୁଖ ପହଞ୍ଚି ଡଙ୍ଗରିଆଙ୍କୁ ବୁଝାଶୁଝା କରିଛନ୍ତି।

ସମ୍ବନ୍ଧିତ ଖବର