ଚେନ୍ନାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୪ଦିନ ପରେ ଶବ ବ୍ୟବଚ୍ଛେଦ, ସପ୍ତମ ଦିନରେ ଗାଁକୁ ପହଞ୍ଚିଲା ମୃତଦେହ

ରାଇରଙ୍ଗପୁର: ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ମାଙ୍ଗାଲୋରରେ ଅସୁସ୍ଥ ହୋଇ ପଡିବା ପରେ ଦୁଇଜଣ ସହକର୍ମିଙ୍କ ସହିତ ଫେରିବା ବେଳେ ଚେନ୍ନାଇ ରେଳ ପ୍ଲାଟଫର୍ମରେ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ପରେ ଦେଖିବାକୁ ମିଳିଛି କରୁଣ ପରିସ୍ଥିତି।

ମାନବତାକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଗତ ୧୧ ତାରିଖ ସକାଳୁ। ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ତାରିଖ ଶବ ବ୍ୟବଚ୍ଛେଦ ହୋଇ ସପ୍ତମ ଦିନରେ ମୃତଦେହ ଗ୍ରାମକୁ ପହଞ୍ଚିଛି। ଶବ ବ୍ୟବଚ୍ଛେଦ ଓ ମର ଶରିର ହସ୍ତାନ୍ତର ପାଇଁ ପରିଜନଙ୍କ ସ୍ବାକ୍ଷରିତ ଅନୁମତି ପତ୍ର ତଥା ଅନାପତ୍ତି ପତ୍ର କୁ ସ୍ଥାନୀୟ ପୁଲିସ୍ ଷ୍ଟେଷନରେ ସ୍ବାକ୍ଷର ପୂର୍ବକ ଅନୁମୋଦନ ପାଇଁ ଦିନ ରାତି ଏକ କରିବା ପରେ ମଧ୍ୟ କୌଣସି ଫଳାଫଳ ମିଳିଲା ନାହିଁ। ଶେଷରେ ଚେନ୍ନାଇରେ କାର୍ଯ୍ୟରତ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଯୁବକଙ୍କ ଦ୍ବାରା ଗଠିତ ‘ସାନ୍ତାଳୀ ଟ୍ରାଇବଲ ଆର୍ଟସ ଏଣ୍ଡ କାଲଚୁରାଲ ଏସୋସିଏସୋନ ଚେନ୍ନାଇ’ ସଂଗଠନ ଏବଂ ବେଙ୍ଗାଲୁରୁର ‘ଆଦିମ ଖେରଓ୍ବାଳ ସୋପହେଦ୍ ସେମଲେଦ୍ ତ୍ରିଚି’, ବେଙ୍ଗାଲୁରୁସ୍ଥିତ ସାନ୍ତାଳ ଯୁବକଙ୍କ ସଂଗଠନ ଏକତ୍ରିତ ହୋଇ ଏହି ମାମଲାକୁ ସମାଧାନ କରିବା ପରେ ଚାରି ଦିନ ପରେ ଶବ ବ୍ୟବଚ୍ଛେଦ ହୋଇପାରିଥିଲା। ଶବ ବ୍ୟବଚ୍ଛେଦ ପରେ ‘ଚେନ୍ନାଇ ରେଡକ୍ରସ’ ସହଯୋଗରେ ମୃତ ଯୁବକଙ୍କ ଗ୍ରାମର ଦୁଇଜଣ ସହକର୍ମୀ’ଙ୍କ ଜରିଆରେ ମର ଶରିରଟିକୁ ପଠାଯାଇଛି। ଚେନ୍ନାଇରୁ ରେଳ ଯୋଗ ବାଲେଶ୍ବରକୁ ପହଞ୍ଚିବା ପରେ ସଡକ ପଥରେ ନିଜ ଗାଁ ଚାଡ୍ରୀକୁ ପହଞ୍ଚିଛି ଏବଂ ଆଜି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ତେବେ ଏହି ଘଟଣାଟି ଗଣ ମାଧ୍ୟମରେ ପ୍ରଚାରିତ ହେଲାପରେ ମଧ୍ୟ କୌଣସି ରାଜନେତା କିମ୍ବା ରାଜନୈତିକ ଦଳ ସହାୟତା ପାଇଁ ଆଗେଇ ଆସି ନଥିବାବେଳେ ପୁଲିସ୍ ପ୍ରଶାସନ ମଧ୍ୟ ଅସହଯୋଗ ମନଭାବ ରଖି କାର୍ଯ୍ୟ କରିଥିଲା। ଏହି ମାମଲାରେ ସ୍ଥାନୀୟ ସାମ୍ବାଦିକ ବସନ୍ତ ସାଣ୍ଡିଲ, ରାଇରଙ୍ଗପୁର ସାମ୍ବାଦିକ ତୁଷାର କାନ୍ତ ମହାନ୍ତ ଏବଂ ହ୍ୟୁମ୍ୟାନ ରାଇଟସ ଫ୍ରଣ୍ଟ (ଏଚଆରଏଫ୍) ମାନବଧିକାର ସଂଗଠନ ରକ୍ଷକ ଭୁବନେଶ୍ବର ତଥା ହାଇକୋର୍ଟ ଆଇନଜୀବି ରାଜୀବ ପଟ୍ଟନାୟକ ଏବଂ ପୂର୍ବତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀଙ୍କ ହସ୍ତକ୍ଷେପ ଫଳରେ ମାମଲା ସମାଧାନ ହୋଇ ଗ୍ରାମକୁ ମୃତଦେହ ଆସି ପାରିଥିଲା। ବର୍ତ୍ତମାନ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର