ନକ୍ସଲ ପ୍ରବଣ ଗ୍ରାମରେ ଗୁଇନ୍ଦା ବିଭାଗର ପୋଷ୍ଟର, ସଂଗଠନ ଛାଡି ଆସିଲେ ସବୁ ସୁବିଧା

ମାଲକାନଗିରି: ଆସନ୍ତା ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ଯାଉଛି ନକ୍ସଲ ସଂଗଠନ। ନକ୍ସଲଙ୍କ ତରଫରୁ ଏନେଇ ବିଭିନ୍ନ ଗ୍ରାମରେ ପୋଷ୍ଟର ମାରିବା ସହ ଲୋକଙ୍କୁ ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରିଛି। ଏପରିକି ବିଭିନ୍ନ ସ୍ଥାନରେ ସହିଦସ୍ତମ୍ଭ ନିର୍ମାଣ କରିବା ସହ ଲୋକଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାକୁ ନକ୍ସଲ ନେତାମାନେ ଆହ୍ବାନ କରିଛନ୍ତି। ତେବେ ଏହାର ଜବାବରେ ପୁଲିସର ଗୁଇନ୍ଦା ବିଭାଗ ସେହି ନକ୍ସଲ ପ୍ରବଣ ଅଂଚଳଗୁଡିରେ ପୋଷ୍ଟର ମାରିଛି।ପୋଷ୍ଟର ଓଡିଆରେ ଏବଂ ତେଲୁଗୁ ଭାଷାରେ ଲିଖିତ ହୋଇଛି। ନକ୍ସଲ ସଂଗଠନରେ କାମ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସରକାରଙ୍କ ଦ୍ବାରା ବେଆଇନ ଘୋଷିତ ହୋଇଥିବା ଏହି ପାର୍ଟିକୁ ତୁରନ୍ତ ଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ।

ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ। ଯେପରି ଘରଡିହ,ଆତ୍ମନିର୍ଭଶୀଳ ପାଇଁ ତାଲିମ, ଆର୍ଥିକ ସହାୟତା ସହ ସେମାନଙ୍କର ସମସ୍ତ କେଶକୁ ରଦ୍ଦ କରାଯିବ। ସେମାନେ ପୂର୍ବ ପରି ନିଜର ବାକି ଜୀବନ ଖୁସିରେ କଟାଇବେ। ନକ୍ସଲମାନଙ୍କୁ ପାର୍ଟିରେ ରହି ନିଜର ଜୀବନ ଦେବା ବଦଳରେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଲୋକଙ୍କ ସେବାରେ କଟାନ୍ତୁ।

ଜଂଗଲରେ ରହି ନିରୀହ ଲୋକଙ୍କୁ ଟାର୍ଗେଟ କରିବା ବଦଳରେ ସହରରେ ରହି ଗରିବ ଲୋକଙ୍କୁ ସହଯୋଗ କରନ୍ତୁ। ସରକାରଙ୍କ ଦ୍ବାରା ବେଆଇନ ଘୋଷିତ ଏହି ସଂଗଠନରେ ଏବେ କରୋନାର ପ୍ରକୋପ ଲାଗି ରହିଛି। କରୋନାରେ ମରିବା ବଦଳରେ ନିଜର ଜୀବନକୁ ସୁରକ୍ଷିତ ରଖନ୍ତୁ। ଯେଉଁମାନେ କରୋନରେ ଆକ୍ରାନ୍ତ ହୋଇ ଜଂଗଲରେ ଚିକିତ୍ସା ନପାଇ ହଇରାଣ ହେଉଛନ୍ତି ସେମାନେ ମଧ୍ୟ ତୁରନ୍ତ ପୁଲିସ ନିକଟରେ ଆସି ସମର୍ପଣ କରନ୍ତୁ। ସେମାନଙ୍କୁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପୋଷ୍ଟରରେ ଗୁଇନ୍ଦା ବିଭାଗର କିଛି ମୋବାଇଲ ନମ୍ବର ମଧ୍ୟ ଦିଆଯାଇଛି। ଯେଉଁଥିରେ ନକ୍ସଲମାନେ ଫୋନ କରି ଆତ୍ମସମର୍ପଣ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର