ନକ୍ସଲଙ୍କୁ ଭୟ ନକରି ସ୍ବାଭିମାନ ଅଞ୍ଚଳ ସହିଦସ୍ତମ୍ଭରେ ଲାଗିଲା ପ୍ରାର୍ଥୀଙ୍କ ପୋଷ୍ଟର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ସମାପ୍ତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଏସଏଫ ଏବଂ ପୁଲିସ ତରଫରୁ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ଯେପରି ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ଶେଷ ହେବ ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି। ଆସନ୍ତା ୨୪ ତାରିଖ ଶେଷ ପର୍ଯ୍ୟାୟରେ ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତରେ ନିର୍ବାଚନ ରଖାଯାଇଛି। କାରଣ ଏଠାରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ନିର୍ବାଚନ କରାଯିବ ବୋଲି ପ୍ରଶାସନ କହିଛି। ଲୋକେ ଯେପରି ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଆସିବେ ସେନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ସ୍ବାଭିମାନ ଅଞ୍ଚଳର ୯ଟି ଯାକ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ଵାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି। ନିର୍ବାଚନ ପ୍ରଚାର ପାଇଁ ମଧ୍ୟ ପ୍ରାର୍ଥୀମାନେ ନିର୍ଭୟରେ ଗାଁ ଗାଁ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏପରିକି ନକ୍ସଲଙ୍କ ସହିଦସ୍ତମ୍ଭରେ ମଧ୍ୟ ପ୍ରାର୍ଥୀମାନେ ପୋଷ୍ଟର ମାରିବା ଭୁଲି ନଥିଲେ। ଏପରିକି ଗୋରାସେତୁ ଠାରେ ରହିଥିବା ନକ୍ସଲଙ୍କର କାର୍ଯ୍ୟାଳୟରେ ମଧ୍ୟ ପ୍ରାର୍ଥୀମାନେ ନିଜର ପ୍ରଚାର ପତ୍ର ମାରିଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳକୁ ବିଏସଏଫ ଦିନରାତି ପଇଁତରା ମାରୁଛି। ପ୍ରାର୍ଥୀମାନଙ୍କୁ ଯେପରି ସୁରକ୍ଷା ଦିଆଯାଇପାରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି।

Sambad

ତେବେ ଦୁର୍ଗମ ଅଞ୍ଚଳକୁ ପ୍ରଚାର କରିବାକୁ ଗଲେ ସନ୍ଧ୍ୟା ପୂର୍ବରୁ ଫେରିବାକୁ ନିର୍ଦେଶ ରହିଥିବା ଜଣାପଡିଛି। ଦୀର୍ଘବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେଉଥିବାରୁ ଲୋକେ ମଧ୍ୟ ବହୁତ ଖୁସି ଦେଖାଯାଉଥିଲେ। ଗଣତନ୍ତ୍ରର ବିଜୟ ହୋଇଥିବା ଲୋକେ କହୁଥିଲେ। ଏବେ ଗାଁ ଗାଁକୁ ରାସ୍ତା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାରୁ ଆଗକୁ ଆହୁରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲେ ନକ୍ସଲ ସଂପୂର୍ଣ୍ଣ ଭାବେ ଏଠାରେ ବିତାଡିତ ହେବେ ବୋଲି ଲୋକେ କହିଥିଲେ।ଏପରିକି ମହିଳାମାନେ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଯନ୍ତ୍ରୀ ପଞ୍ଚାୟତ ସବୁଠାରୁ ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଟେ। କିନ୍ତୁ ଏଠାରେ ମଧ୍ୟ ସରପଞ୍ଚ,ସମିତିସଭ୍ୟ ଏବଂ ଵାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି।ନକ୍ସଲଙ୍କ ନାଲି ଆଖିକୁ ଭୟ ନକରି ଜୋରଦାର ପ୍ରଚାର କାର୍ଯ୍ୟ ଚାଲିବା ସହ ନକ୍ସଲଙ୍କୁ ଉସୁକାଇଲା ଭଳି ସେମାନଙ୍କର ସହିଦସ୍ତମ୍ଭରେ ହିଁ ପୋଷ୍ଟର ଏବଂ ବ୍ୟାନର ମାରିବା ସାହସର କଥା ବୋଲି ଆଲୋଚନା ଜୋର ଧରିଛି।ତେବେ ସ୍ବାଭିମାନ ଅଞ୍ଚଳରେ କିପରି ସୁରୁଖୁରୁରେ ନିର୍ବାଚନ ସରିବ ସେନେଇ ପୁଲିସ ଡିଜି ଗତ ଦୁଇଦିନ ତଳେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବିଏସଏଫ ସହ ମିଶି ପୁଲିସ ଏଥର ସୁରୁଖୁରୁରେ ନିର୍ବାଚନ ସମାପ୍ତ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର