କମିଗଲାଣି ମାଟି ପାତ୍ରର ଆଦର: ବୁଡ଼ିଲାଣି କୁଳ ବେଉସା, ଛାଡ଼ିଲେଣି କୌଳିକ ବୃତ୍ତି

ନରସିଂହପୁର: କଥାରେ ଅଛି ‘କୁମ୍ଭାର ଘର ବୋହୂ ଝାଟିକି ନ ଗଲେ ମାଟିକି ଯାଉ’। ଏବେ କିନ୍ତୁ କୁମ୍ଭାର ଘର ବୋହୂ ଆଉ ଝାଟି କିମ୍ବା ମାଟି ପାଇଁ ଯାଉନି। ଦିନ ଥିଲା କୁଳବେଉସା ମାଟିପାତ୍ର ତିଆରି କରି ହସଖୁସିରେ ଚଳିଯାଉଥିଲେ କୁମ୍ଭକାର ପରିବାର। କିନ୍ତୁ, ସେକାଳ ଓ ଏକାଳ ମଧ୍ୟରେ ଆକାଶ-ପାତାଳ ତଫାତ୍‌ ହୋଇଯାଇଛି। ମାଟିପାତ୍ରର ଆଦର କମିଯିବାରୁ କୌଳିକ ବୃତ୍ତି ବୁଡ଼ିବାକୁ ବସିଛି। ବର୍ତ୍ତମାନ କୁଳ ବେଉସା କରି ପେଟ ପୋଷିବା କାଠିକର ପାଠ ହୋଇପଡ଼ୁଛି ବୋଲି କୁହନ୍ତି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କାନପୁର ପଞ୍ଚାୟତର କୁମ୍ଭକାର ପରିବାର। କାନପୁର ପଞ୍ଚାୟତର କନକପୁର କୁମ୍ଭାରସାହିରେ ବସବାସ କରନ୍ତି ୬୦ରୁ ଅଧିକ କୁମ୍ଭକାର ପରିବାର। ପ୍ରାୟ ତିନିଦଶନ୍ଧି ତଳେ ପରିବାରର ସମସ୍ତ ସଦସ୍ୟ ମାଟିପାତ୍ର ତିଆରିରେ ବ୍ୟସ୍ତ ରହୁଥିଲେ। ସେତେବେଳେ ମାଟିପାତ୍ରର ବେଶ୍‌ ଚାହିଦା ରହିଥିଲା। ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ମାଟି ହାଣ୍ଡିରେ ରୋଷେଇ କରୁଥିଲେ। ବିବାହ, ବ୍ରତ, ପୂଜା, ପାର୍ବଣରେ ମଧ୍ୟ ମାଟି ହାଣ୍ଡି, ସରା, କଳସ, ହାତୀ, ଶୁଆ, ଶାରୀ ଆଦିର ଆବଶ୍ୟକତା ପଡ଼ୁଥିଲା। ଫଳରେ କୁମ୍ଭାର ଘରର ସମସ୍ତ ସଦସ୍ୟ ବର୍ଷସାରା ମାଟିପାତ୍ର ତିଆରିରେ ବ୍ୟସ୍ତ ରହିବା ସହ ଗାଁଗାଁରେ ଏହାକୁ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଥିଲେ। ସେଥିରେ ପାଞ୍ଚପ୍ରାଣୀ କୁଟୁମ୍ବ ହସଖୁସିରେ ଚଳି ଯାଉଥିଲେ। ଏହା ସହିତ ବିବାହ, ବ୍ରତ, ପିଲାଙ୍କ ପାଠପଢ଼ା, ଯାନୀ ଯାତ୍ରା ଆଦିରେ ମଧ୍ୟ ସେମାନେ ଖର୍ଚ୍ଚ କରିପାରୁଥିଲେ। ଧୀରେ ଧୀରେ ମାଟିପାତ୍ରର ବ୍ୟବହାର କମିବା ସହିତ କୁମ୍ଭକାର ପରିବାରର ରୋଜଗାର ଆଶାତୀତ ଭାବେ କମି ଯାଇଛି। ମାଟିପାତ୍ର କ୍ଷଣସ୍ଥାୟୀ ଥିବାରୁ ଏବେ ଧାତବ ପାତ୍ରର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଫଳରେ କୁମ୍ଭକାର ପରିବାର କୌଳିକବୃତ୍ତିରୁ ମୁହଁ ଫେରାଉଛନ୍ତି ବୋଲି କୁହନ୍ତି ବୟୋଜ୍ୟେଷ୍ଠ ମାଟିପାତ୍ର କାରିଗର ଦାଶରଥି ମୁଦୁଲି ଓ ସୋମନାଥ ମୁଦୁଲି। ଏବେ ଗାଁର ବହୁ ପରିବାର କୁଳ ବେଉସା ଛାଡ଼ିବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି।

ସେମାନେ ବ୍ୟବସାୟ କିମ୍ବା ଚାଷକାର୍ଯ୍ୟକୁ ଆପଣେଇ ନେଇଛନ୍ତି। ଅନେକ ଲୋକ ଅନ୍ୟ ଉପାୟ ନ ପାଇ ଭିଟାମାଟି ଛାଡ଼ି ସହରକୁ ଚାଲି ଯାଇଛନ୍ତି ବୋଲି ସେମାନେ କହିଛନ୍ତି। ବର୍ତ୍ତମାନ ପରିଣତ ବୟସରେ ପହଞ୍ଚିଥିବା ଅଳ୍ପକିଛି ଲୋକ କୁଳବେଉସାକୁ ଆପଣାଇ ମାଟିପାତ୍ର ତିଆରି କରୁଛନ୍ତି। କିନ୍ତୁ, ଏଥିରୁ ଆଶାନୁରୂପ ରୋଜଗାର ହେଉନାହିଁ ବୋଲି ଦାଶରଥି ଓ ସୋମନାଥ ପ୍ରକାଶ କରିଛନ୍ତି। କେବଳ ବିବାହ, ପୂଜାପାର୍ବଣ କାର୍ଯ୍ୟରେ ମାଟିରେ ତିଆରି ଘଡ଼ି, ସରା, କଳସ, ଦୀପ ଏବଂ ଘର ସଜାଇବା କାର୍ଯ୍ୟରେ ଘୋଡ଼ା, ଶୁଆ, ଶାରୀ ଆଦିକୁ ଲୋକମାନେ କ୍ରୟ କରୁଛନ୍ତି। ଏଥିରୁ ହେଉଥିବା ରୋଜଗାର ସମୁଦ୍ରକୁ ଶଙ୍ଖେ ସଦୃଶ। ଏହା ସହିତ ମାଟିପାତ୍ର ତିଆରି ପାଇଁ ଆବଶ୍ୟକ ହେଉଥିବା ମାଟି, କାଠ ଆଦିର ଦର ବଢ଼ି ଯାଇଛି। ଫଳରେ ପାତ୍ର ତିଆରି କରିବାରେ ଅଧିକ ଖର୍ଚ୍ଚ ହେଉଛି। ରୋଜଗାର ନ ଥିବାରୁ ପିଲାମାନେ ଏହି କାର୍ଯ୍ୟ ପ୍ରତି ମନ ବଳାଉ ନାହାନ୍ତି ବୋଲି ଗ୍ରାମର ସୁବାସଚନ୍ଦ୍ର ମୁଦୁଲି, ପ୍ରଭାତୀ ମୁଦୁଲି, ବେଙ୍ଗଲତା ମୁଦୁଲି, ଜାନକୀ ମୁଦୁଲି, ଶୈଳବାଳା ମୁଦୁଲି, ଲଳିତା ମୁଦୁଲି, ସୋମନାଥ ମୁଦୁଲି, ଶରତ ମୁଦୁଲି, ଚକ୍ରଧର ମୁଦୁଲି, ପ୍ରଫୁଲ୍ଲ କୁମାର ମୁଦୁଲି, ସୁରେନ୍ଦ୍ର କୁମାର ମୁଦୁଲି, ପରମାନନ୍ଦ ମୁଦୁଲି, ଦାଶରଥି ମୁଦୁଲି ପ୍ରମୁଖ କହିଛନ୍ତି। ସରକାର ମାଟିପାତ୍ର କିଣାବିକା ପାଇଁ ବଜାର ବ୍ୟବସ୍ଥା କରିବା ସହ ସହାୟତା ଓ ତାଲିମ୍‌ ପ୍ରଦାନ କଲେ କୁମ୍ଭକାର କାରିଗରଙ୍କ ଆର୍ଥିକ ପରିସ୍ଥିତି ସୁଧୁରି ପାରିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର