ଶେଷ ହେଲା ମେକ୍‌ ଇନ ଓଡ଼ିଶା କନ‌‌କ୍ଲେଭ, ଆସିବ ତ ପେପ୍ସିକୋର ଆଳୁଚିପ୍ସ କାରଖାନା !

ଚୁକ୍ତିରେ ଲଟକିଛି କୋରାପୁଟ ଆଳୁ ଚାଷୀଙ୍କ ଭାଗ୍ୟ

କୋରାପୁଟ: ଶେଷ ହୋଇଛି ମେକ୍‌ ଇନ ଓଡ଼ିଶା କନକ୍ଲେଭ। ରାଜ୍ୟରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨ରୁ ମୋଟ୍‌ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି। ଏହାସହ ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି। ସେହିପରି ୭୪୧ଟି ପ୍ରସ୍ତାବ ଆସିଛି। ତେବେ କୋରାପୁଟ ଜିଲ୍ଲା ପାଇଁ ସେପରି ଆଖିଦୃଶିଆ ବିନିଯୋଗକାରୀ ମିଳିପାରିନାହାନ୍ତି। ଏହି କ୍ରମରେ କେବେ କୋରାପୁଟ ଆଳୁର ସ୍ବାଦ ଚାଖିବ ସାରା ବିଶ୍ବ। ଓଡ଼ିଶା କାହିଁକି ସାରା ବିଶ୍ବରେ କେବେ ମିଳିବ କୋରାପୁଟ ଆଳୁରୁ ଉତ୍ପାଦିତ ଆଳୁଚିପ୍ସ। କେବେ‌ ପୂରଣ ହେବ ବର୍ଷକ ଯାକ ‌କୋରାପୁଟର ବଳକା ପଡୁଥିବା ଆଳୁରୁ ଚିପ୍ସ କରି ବିକ୍ରି କରିବାର କାର୍ଯ୍ୟ। ଏହିଠାରୁ ଅନ୍ୟରାଜ୍ୟକୁ ମଧ୍ୟ ଦରକାର ସମୟରେ ରପ୍ତାନୀ କରାଯିବାକୁ ରହିଥିବା ଯୋଜନାକୁ କେବେ ଫଳବତୀ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କୋରାପୁଟର ପଟାଙ୍ଗୀରେ ସ୍ଥାପନ ହେବାକୁ ଥିବା ପେପ୍ସିକୋର ବଡ ଫ୍ୟାକ୍ଟ୍ରି କେବେ ହେବ ଏନେଇ ଜଣାପଡୁନାହିଁ।

୨୦୧୮ ମସିହା ସେପ୍ଟେମ୍ବର ମାସରେ ଉଦ୍ୟାନକୃଷି ବିଭାଗର ତତ୍କାଳୀନ ସଚିବ ବିଜୟ କେତନ ଉପାଧ୍ୟାୟ ଓ ପେପ୍ସୀକୋ କମ୍ପାନୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋବାର ଯୋଜନା ହୋଇଥିଲା। ଏହି ଚୁକ୍ତିନାମା ସ୍ବାକ୍ଷର ହେବାକୁ ପାଖାପାଖି ୪ ବର୍ଷ ବିତିଥିବା ପରେ ବି କୋରାପୁଟ ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ ଏବେ ମଉଳିବାକୁ ବସିଛି। ମିଳିଥିବା ସୂଚନା ମୁତାବକ ଆଳୁ ଉତ୍ପାଦନ ପାଇଁ କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, ପଟାଙ୍ଗୀ, ବନ୍ଧୁଗାଁ, ଦଶମନ୍ତପୁର ଓ ଲକ୍ଷ୍ମୀପୁରର ଜଳବାୟୁ ଅତ୍ୟନ୍ତ ଉପଯୋଗୀ। ଏହି ଅଞ୍ଚଳରେ ଉଭୟ ରବି ଓ ଖରିଫ ଋତୁରେ ପ୍ରାୟ ୧୨ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯାଏ। ଜିଲ୍ଲାରେ ଏବେ ୧୨୦୦ରୁ ଅଧିକ ଛୋଟବଡ ଆଳୁ ଚାଷୀ ମଧ୍ୟ ରହିଛନ୍ତି। ଶୀତଳଭଣ୍ତାରର ଅଭାବ ଓ ସରକାରୀ ପ୍ରୋତ୍ସାହନ ମିଳିବା ହେତୁ ପ୍ରତିବର୍ଷ କୋରାପୁଟରୁ ହଜାର ହଜାର କୁଇଣ୍ଟାଲ ଆଳୁ ରାଜ୍ୟ ବାହାରକୁ ଶାଗମାଛ ଦରରେ ଚୋରା ଚାଲାଣ ହୋଇଥାଏ। ତେବେ ପାହାଡ ପର୍ବତ ଘେରା କୋରାପୁଟ ଜିଲ୍ଲାରେ ବିଭିନ୍ନ କିସମର ଆଳୁ ଚାଷ ଉଭୟ ରବି ଓ ଖରିଫ ଋତୁରେ ହେଉଥିବାବେଳେ କେବଳ ଖରିଫ ଋତୁରେ ହେବ ଚିପସୋନା କିଶମର ଆଳୁ ଚାଷ। ଏବେ କୋରାପୁଟ ଜି୍ଲା ପ୍ରଶାସନ ଓ ଉଦ୍ୟାନକୃଷି ବିଭାଗ ଆଳୁ ମଞ୍ଜି ଉତ୍ପାଦନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଥିବାରୁ ଏହି ଆଳୁ ଚାଷ ଆହୁରି ବୃଦ୍ଧି ପାଇବା ଆଶା କରାଯାଉଛି। ଅନ୍ୟପକ୍ଷରେ ଚାଷୀ ଓ ଉଦ୍ୟାନକୃଷି ଚାଷୀଙ୍କ ପାଇଁ ଏହି କାରଖାନା ପ୍ରତିଷ୍ଠା କରାଯିବା ପ୍ରକ୍ରିୟା ଶେଷ ହେବା ନାଁ ଧରୁନାହିଁ।

ପଟାଙ୍ଗୀ ଓ ସେମିଳିଗୁଡା ମଝିରେ ଥିବା ୨୦ ଏକର ଜମିକୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଥିବାବେଳେ କେବେ ଜମି ଅଧିଗ୍ରହଣ ହେବା ତାହାର ସ୍ପଷ୍ଟ ସୂଚନା ମିଳୁନାହିଁ । କିନ୍ତୁ ଏହି କମ୍ପାନୀ ସେହିଠାରେ ହେବ କି ଅନ୍ୟତ୍ର କେଉଁଠି ହେବ ତାହା ବିଭାଗ ପକ୍ଷରୁ ସୂଚନା ମିଳିନାହିଁ। ପଟାଙ୍ଗୀର ଚାଷୀ ଅମର ପାଙ୍ଗୀ କହିଛନ୍ତି ଯେ ଯଦି କୋରାପୁଟ ଏପରି ଏକ କାରଖାନା ହେବାକୁ ଯାଉଛି ତେବେ ଆମ ପରି ଚାଷୀଙ୍କ ପାଇଁ ବଡ କଥା। ଗତବର୍ଷ କେଜି ପ୍ରତି ୩୩ ଟଙ୍କା ଦେଇ ଆଳୁ କିଣି ହେକ୍ଟର ହେକ୍ଟର ଜମିରେ ଲଗେଇଲୁ। ଏଥିରେ ପ୍ରଶାସନ ଢେର ସହଯୋଗରେ ଭଲ ଫଳ ମଧ୍ୟ ହୋଇଥିଲା। କିନ୍ତୁ ଶୀତଳଭଣ୍ତାରର ଅଭାବ ହେତୁ ଖରାଦିନେ ଆଳୁ ପଚିଗଲା। ଏହି କାରଖାନା ହେଲେ ଆମ କଷ୍ଟ ଦୂର ହେବ ବୋଲି ସେ କହିଛନ୍ତି। ଏନେଇ ଉଦ୍ୟାନକୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ କାରଖାନା ପାଇଁ ପ୍ରାଥମିକ ତନାଘନା ଆରମ୍ଭ ହୋଇଛି। ଖୁବଶୀଘ୍ର କାର୍ଯ୍ୟପନ୍ଥା ସ୍ଥିର କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର