ଲକଡାଉନ ନିୟମ ମାନୁନାହାନ୍ତି ଲୋକେ: ପରିବା ବଜାର-ରାସନ ଦୋକାନରେ ଭିଡ଼, ଆଳୁ କିଲୋ ୫୦କୁ ଡାଲି ୧୫୦ ଟଙ୍କା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅପ୍ରେଲ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି । ସ୍ମାର୍ଟ ସିଟି ରାଉରକେଲାରେ ଚିତ୍ର କିନ୍ତୁ ଓଲଟା । ସହରର ବଜାରକୁ ଦେଖିଲେ ନିୟମକୁ କଡାକଡି ପାଳନ କରାଯାଉ ନ ଥିବା ମନେ ହେଉଛି । ପରିବା ବଜାର ଓ ରାସନ ଦୋକାନଗୁଡିକରେ ଆଦୌ ସାମାଜିକ ଦୂରତ୍ୱ ରହୁ ନାହିଁ ।

ଆଜି ଲକଡାଉନର ଚତୁର୍ଥ ଦିନରେ ଉଭୟ ପରିବା ଓ ରାସନ ଦୋକାନରେ ଅସମ୍ଭଵ ଭିଡ ଦେଖିବାକୁ ମିଳିଛି । ପରିବା, ରାସନ ଟିକେ ପାଇବାକୁ ଲୋକଙ୍କ ମଧ୍ୟରେ ଠେଲା ପେଲା ହେଉଛି । ଦର ନିୟନ୍ତ୍ରଣ କରିବାରେ ଯୋଗାଣ ବିଭାଗ ସଂପୂର୍ଣ ଫେଲ ମାରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଟିମ ହୋଲସେଲ ଓ ଖୁଚୁରା ବଜାରରେ ଦିନ ତମାମ ଚକ୍କର କାଟୁଛି । ବାରମ୍ବାର ବେପାରୀଙ୍କୁ ତାଗିଦ କରୁଛି । ଏହା ସତ୍ୱେ ହୋଲସେଲ ଓ ଖୁଚୁରା ବେପାରି ଅତ୍ୟାବଶକ ସାମଗ୍ରୀ ଚଢାଦରରେ ବିକ୍ରି କରୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂପୂର୍ଣ୍ଣ ଭାରତକୁ ଲକଡାଉନ ଘୋଷଣା କରିବା ପରେ ଯୋଗାଣ ବିଭାଗ ଓ ୨୦ଟି ହୋଲସେଲରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ଅତ୍ୟାଧିକ ସାମଗ୍ରୀର ଦର ନିର୍ଦ୍ଧାରଣ ହୋଇଥିଲା । ଆଳୁ କିଲୋ ପିଛା ଖୁଚୁରା ଦର ୨୭ଟଙ୍କା, ପିଆଜ ୩୦ ଟଙ୍କା, ହରଡ଼ ଡାଲି ୯୪ ଟଙ୍କା, ମୁଗଡାଲି ୧୦୪ଟଙ୍କା, ମସୁର ଡାଲି ୭୧ ଟଙ୍କା, ଚଣା ଡାଲି ୭୧ ଟଙ୍କା । କିନ୍ତୁ ଆଜି ଆଳୁ କିଲୋ ପିଛା ୫୦ଟଙ୍କା, ପିଆଜ କିଲୋ ୪୦ ଟଙ୍କା, ହରଡ ଡାଲି କିଲୋ ୧୧୫ଟଙ୍କା, ତେଲ ଲିଟର ୧୫ଟଙ୍କା ବୃଦ୍ଧି ହୋଇଛି । ସେହିପରି ଅଟା ୫କିଲୋ ପିଛା ମୂଳଦର ଠାରୁ ୨୦ ରୁ ୨୫ଟଙ୍କା ବୃଦ୍ଧି ହୋଇଛି ।

ଆଳୁ କିଲୋ ଖୁଚୁରା ବଜାରରେ ୫୦ ଟଙ୍କାରେ ବିକ୍ରି ହେଉଛି । ପିଆଜ, ଅଟା, ଚାଉଳ, ଡାଲି, ତେଲ ରେ ମଧ୍ୟ ସେଇ ସମାନ ସ୍ଥିତି । ସେପଟେ କେତକ ସ୍ଥାନରେ ଭିଡ ଏଡ଼ାଇବାକୁ ପୁଲିସ ଫ୍ଲାଗ କରୁଛି । ଲାଠି ଚାର୍ଜ କରିବାକୁ ବାଧ୍ୟ ହେଉଛି । ଉଦିନଗର ଆମ୍ବେଦକର ଛକରୁ ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ୫ କିମି ରାଉରକେଲା ପୁଲିସ ମୁଖ୍ୟ ରାସ୍ତାକୁ ଉଭୟ ପଟୁ ସିଲ କରି ଦେଇଛି । ଅତି ଜରୁରୀ କାମ ଥିବା ଲୋକଙ୍କୁ ପରିଚୟ ପତ୍ର ଦେଖାଇଲା ପରେ ଯିବାକୁ ଅନୁମତି ଦେଉଛି । ସେହିପରି ହୋଲସେଲ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଉଥିବା ଗାଡିକୁ ଏସପି ଅଫିସରୁ ସ୍ୱତନ୍ତ୍ର ପାସ ଦିଆଯାଉଛି ।

ସମ୍ବନ୍ଧିତ ଖବର