୩ ଦଫା ଦାବିରେ ଭାରତୀୟ କିଷାନ୍ ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ସର୍ବନିମ୍ନ ସହାୟକ ମୂଲ୍ୟ ବଦଳରେ କୃଷକଙ୍କୁ ଉତ୍ପାଦନର ଲାଭ ପ୍ରଦାନ କରିବା ଆଦି ୩ ଦଫା ଦାବିରେ ଆଜି ଭାରତୀୟ କିଷାନ୍ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ସକାଳ ପ୍ରାୟ ୧୧ଟାରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଆଦି ନେଇ ପହଂଚିଥିଲେ ।

ସେଠାରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିନିଧି ଦଳ ଯାଇ ଜିଲ୍ଳାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏନେଇ ସଂଘର ଜିଲ୍ଲା ସଭାପତି ବୈକୁଣ୍ଠନାଥ ମହାପାତ୍ର କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ ପରେ ମଧ୍ୟ ଚାଷୀଙ୍କ ପ୍ରମୁଖ ସମସ୍ୟା ହେଲା ସେମାନଙ୍କ ଉତ୍ପାଦର ସଠିକ ଲାଭ ସହିତ ମୂଲ୍ୟ ମଣ୍ଡିରେ ପାଇପାରୁନାହାନ୍ତି । ଯେହେତୁ କୃଷି ଓ ଅନେକ କୃଷିଜାତ ସାମଗ୍ରୀ ଦର ସରକାରଙ୍କ ଦ୍ୱରା ନିୟନ୍ତ୍ରିତ ହୋଇଥାଏ ଫଳରେ ଚାଷୀମାନେ ସ୍ୱାଧୀନ ଭାବେ ନିଜ ଉତ୍ପାଦକୁ ଖୋଲାବଜାରରେ ନିଜର ନିର୍ଦ୍ଧାରିତ ମୂଲ୍ୟ ଦ୍ୱାରା ବିକ୍ରି କରିପାରନ୍ତି ନାହିଁ । ଏହାଦ୍ୱାରା ଦେଶର କେବଳ ଦୁଇଟି ଅଂଚଳର ଚାଷୀ ଲାଭବାନ ହେଉଥିବା ବେଳେ ଅନ୍ୟ ଅଂଚଳର ଚାଷୀମାନେ ନିଜ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ।

ଏଣୁ ମୁଦ୍ରାସ୍ପୀତିକୁ ନେଇ କୃଷି ସାମଗ୍ରୀର ଦର ନିର୍ଦ୍ଧାରଣ କରାଯାଉ । ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ବଜାରରେ କମ୍ଦରରେ କିଣିବାକୁ ଅପରାଧିକ କାର୍ଯ୍ୟଭାବେ ବିବେଚନା କରାଯାଇ ପଦକ୍ଷେପ ନିଆଯାଉ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଚିବ ଗଗନ ବିହାରୀ ପ୍ରତିହାରୀ, ଅପସରପ୍ରାପ୍ତ ସେନାଧିକାରୀ ମଧୁସୂଦନ ଦାସ, ମୀନକେତନ ମହାନ୍ତି, ସୁଦର୍ଶନ ରଥ, ମଧୁସୂଦନ ମିଶ୍ର, ଏସ୍ କେ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର