ଖୋର୍ଦ୍ଧା ଜିଲ୍ଲାରେ ବିଦ୍ୟୁତ୍ ସେବା : ସହରକୁ ନିଜର, ଗାଁକୁ ପର

ଖୋର୍ଦ୍ଧା : ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା । ଶିକ୍ଷିତ ହାର ସର୍ବାଧିକ, ଭିତ୍ତିଭୂମିରେ ନମ୍ବର ୧ । ଏହାର ବିକାଶ ତ୍ୱରାନ୍ୱିତ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ପୁରୀ ଜିଲ୍ଲାରୁ ଅଲଗା କରି ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କଲେ । ଏହା ମଧ୍ୟରେ ପ୍ରାୟ ୩ ଦଶନ୍ଧି ବିତିଯାଇଛି, କିନ୍ତୁ ଏହାର ଗ୍ରାମାଂଚଳରେ ଅଦ୍ୟାବଧି ଆନୁସଙ୍ଗିକ ଭିତ୍ତିଭୂମି ସଂପୂର୍ଣ୍ଣ ଭାବେ ପହଂଚିପାରିନାହିଁ । ବିଦ୍ୟୁତ୍ ସେବାକୁ ସମୀକ୍ଷା କଲେ ସହରାଂଚଳରେ ବିଦ୍ୟୁତ୍ ସେବା ପହଂଚୁଥିବା ବେଳେ ବାଣପୁର, ଚିଲିକା, ଟାଙ୍ଗୀ ବ୍ଲକର ଅନେକ ଗାଁକୁ ଅଦ୍ୟାବଧି ‘ଘରଘରକୁ ବିଜୁଳି’ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି ।
ବିଦ୍ୟୁତ୍ ବିଭାଗର ସୂଚନାନୁସାରେ, ଖୋର୍ଦ୍ଧା ଡିଭିଜନର ୧ଲକ୍ଷ ୫୫ହଜାର ଗ୍ରାହକଙ୍କ ସକାଶେ ମାସିକ ହାରାହାରି ୫୦ରୁ ୫୨ ନିୟୁତ ୟୁନିଟ୍ ବିଜୁଳି ଖର୍ଚ୍ଚ ହୁଏ । ତେବେ ଗ୍ରୀଷ୍ମ ଋତୁରେ ଏହା ୬୦ ନିୟୁତ ୟୁନିଟ୍ରୁ ଅଧିକ ଖର୍ଚ୍ଚ ହୋଇଥାଏ । ବର୍ଷକର ୭-୮ମାସ କୌଣସି ମତେ ବିଦ୍ୟୁତ ସରବରାହର ସମସ୍ୟା ନଥିବା ବେଳେ ଗ୍ରୀଷ୍ମ ଋତୁର ୪ ମାସ କିନ୍ତୁ ଲୋକଙ୍କୁ ନିଅଂଟିଆ ବିଦ୍ୟୁତ୍ ଯୋଗୁଁ ବିଦ୍ୟୁତ୍ କାଟ ଆଦିର ସମସ୍ୟା ଭୋଗିବାକୁ ପଡ଼େ ।
୨୦୧୧ରେ ବାଣପୁର ବ୍ଲକର ୪୨ ଓ ଚିଲିକା ବ୍ଲକର ୩୭ଟି ଗାଁ ସଂପୂର୍ଣ୍ଣ ଭାବେ ବିଦ୍ୟୁତ୍ ସେବାରୁ ବଂଚିତ ଥିଲା । ଏହା ସେହି ସମୟରେ ରାଜ୍ୟରେ ଏକ ପ୍ରମୁଖ ବିତର୍କର ପ୍ରସଙ୍ଗ ଥିଲା । ଏହା ମଧ୍ୟରେ ୧୦ ବର୍ଷ ବତିଯାଇଛି, କିନ୍ତୁ ଚିଲିକା, ବାଣପୁରର ଅନେକ ଅଂଚଳକୁ ଅଦ୍ୟାବଧି ସଠିକ୍ ବିଦ୍ୟୁତ୍ ସଂଯୋଗ ପହଂଚିପାରିନାହିଁ । ଭୁବନେଶ୍ୱର ନିକଟବର୍ତୀ ଖୋର୍ଦ୍ଧା, ଜଟଣୀ ଆଦି ବ୍ଲକରେ ଲୋକଙ୍କ ନିକଟରେ ବିଦ୍ୟୁତ୍ ସମସ୍ୟା ପ୍ରାୟତଃ କମ୍ ରହିଥିବା ବେଳେ ସୁଦୂର ବାଣପୁର, ଚିଲିକା, ବୋଲଗଡ଼, ଟାଙ୍ଗୀ ଆଦି ଅଂଚଳରେ ଅଦ୍ୟାବଧି ଅଘୋଷିତ ବିଦ୍ୟୁତ୍ କାଟ ସମସ୍ୟା ଏକ ନିୟମିତ ଘଟଣା ହୋଇ ରହିଛି ।

ବାଣପୁରରେ ଦୈନିକ ୨ରୁ ୩ଘଂଟା ଅଘୋଷିତ ବିଦ୍ୟୁତ୍ କାଟରେ ଲୋକ ଅସହ୍ୟ ହେଉଥିବା ବେଳେ ବୋଲଗଡ଼ରେ ସପ୍ତାହରେ ୩-୪ଥର ଏଭଳି ସମସ୍ୟା ଲୋକଙ୍କ ଦେହସୁହା ହୋଇଗଲାଣି । ବାଲୁଗାଁ ବିଜ୍ଞପିତ ଅଂଚଳ ପରିଷଦ ଓ ନିକଟବର୍ତୀ ଅଂଚଳରେ ୨ମାସ ପୂର୍ବେ ଦୈନିକ ଅଘୋଷିତ ବିଦ୍ୟୁତ୍ କାଟ ନିତିଦିନିଆ ଘଟଣା ଥିଲା, ବର୍ତମାନ ଏହି ସମସ୍ୟା ହ୍ରାସ ପାଇଥିଲେ ମଧ୍ୟ ଚିଲିକା ହ୍ରହର କୂଳରେ ରହିଥିବା ଅନେକ ଗାଁକୁ ବିଦ୍ୟୁତ୍ ଖୁଂଟ ରହିଛି କିନ୍ତୁ ବିଦ୍ୟୁତ୍ ସଂଯୋଗ ଏଯାଏଁ ବିଧିବଦ୍ଧ ଭାବେ ହୋଇପାରିନାହିଁ ।

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାର ସୂଚନାନୁସାରେ ଜିଲ୍ଲାର ୧୫୫୩ଟି ଗାଁରୁ ଅଦ୍ୟାବଧି ବାଣପୁରର ୪୬, ବେଗୁନିଆର ଗୋଟିଏ, ଭୁବନେଶ୍ବର ବ୍ଲକର ୮ଟି, ବୋଲଗଡ଼ର ୧୧ଟି, ଚିଲିକାର ୩ଟି , ଜଟଣୀର ୨ଟି ଓ ଟାଙ୍ଗୀର ୯ଟି ଗାଁକୁ ବିଦ୍ୟୁତ୍ ଖୁଂଟ ପଡ଼ିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ କରାଯାଇପାରିନାହିଁ ।

ସମ୍ବନ୍ଧିତ ଖବର