ଜୟପୁର: ଗତ କିଛି ଦିନ ହେବ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ନିର୍ଦ୍ଧାରିତ ଅଂଚଳରେ ନିର୍ଦ୍ଧାରିତ ସମୟରେ ବିଦ୍ୟୁତକାଟ୍ ହେଉଥିଲା । ମନଇଛା ସମୟରେ ବିଦ୍ୟୁତ କାଟ୍ ହେବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତା ସହ ବିଦ୍ୟୁତ କାଟ୍ ହୋଇ ପୁଣି ଅଚାନକ ବିଦ୍ୟୁତ ସଂଯୋଗ ହାଇପାୱାର ଆସି ପୁଣି କଟିଯିବା ଫଳରେ ଲୋକଙ୍କ ବୈଦ୍ୟୁତିକ ସାମଗ୍ରୀ ବି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ତେବେ ଗତ କିଛି ଦିନ ହେବ ଇନଭରଟର , ନୂଆ ବ୍ୟାଟେରୀ, ସୋଲାର ଆଦିର ବ୍ୟବସାୟ ବଢ଼ିଥିବା କହିଛନ୍ତି ବ୍ୟବସାୟୀ ମହମ୍ମଦ ସାମି, ସୁମିତ ପ୍ରଧାନ। ଲଘୁଚାପ ବର୍ଷା ଏବଂ ମନଇଛା ବିଦ୍ୟୁତ କାଟ, ହାଇପାୱାର ଟ୍ରାନସମିସନ୍ ଫଳରେ ଇନଭରଟର ମେସିନ୍, ବ୍ୟାଟେରୀ ବି ନଷ୍ଟ ହେଉଛି। ଲୋକେ ସୋଲାର ସିଷ୍ଟମକୁ ମଧ୍ୟ ଆପଣାଉଥିବା କହିଛନ୍ତି ଜଣେ ବ୍ୟବସାୟୀ। ଗତ ବର୍ଷ ତୁଳନାରେ ସେ ଏବର୍ଷ ଅଧିକା ଲୋକେ ନିଜ ନିଜ ଘରେ ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ସୋଲାର ବ୍ୟବସ୍ଥା ଲଗାଇଥିବା କହିଛନ୍ତି।

Advertisment

ଗତକାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ କୁମ୍ଭାରସାହି ଲକ୍ଷ୍ମୀନଗର, ମାଦଳାସାହି, ବେଲରୋଡ଼, ଏମଜିରୋଡ଼, ପାରାବେଡ଼ା, ସନ୍ତୋଷୀ ମା ନଗର, ଶ୍ରୀରାମନଗର, ଝାଙ୍କରଦେଇ ମନ୍ଦିର ଲେନ, ପ୍ରସାଦରାଓପେଟା, ବିକ୍ରମନଗର, ନୂଆସାହି, ପାର୍କଲେନ୍, ଭିଆଇପି କଲୋନୀ ଆଦିରେ ବ୍ୟାପକ ଭାବେ ଅଘୋଷିତ ବିଦ୍ୟୁତ କାଟ୍ ହୋଇଛି। ଏହା ଫଳରେ ଏହି ସବୁ ଅଂଚଳରେ ଟିଭି, ଫ୍ରିଜ୍, ଇନଭରଟର ଆଦି ନଷ୍ଟ ହେବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ଏଭଳିକି ଅଚାନକ ସଂଧ୍ୟାରେ ବିଦ୍ୟୁତ କାଟ୍ ଫଳରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ବି ଲାଗୁନି। ଫଳରେ କୋଚିଂ, ଟ୍ୟୁଟରିଆଲକୁ ଯାଇ ଘରକୁ ଫେରୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ସ୍ଥାନରେ ଅସମାଜିକ ଯୁବକ ଓ ରୋମିଓମାନଙ୍କର ଉତ୍ପାତ ବଢ଼ୁଛି। ପୌରପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସଂଧ୍ୟାରେ ବିଦ୍ୟୁତ କାଟ୍ ସମୟରେ ଖାସ୍ କରି ବିଭିନ୍ନ ଅନ୍ଧାରୁଆ ସ୍ଥାନ ଅଂଚଳରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ପୁଲିସ ପକ୍ଷରୁ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ପୂର୍ବରୁ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଦୂରେଇବା ପାଇଁ ଆନୁସଙ୍ଗିକ ଓ ବୈଷୟିକ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଆଖିବୁଜା ପାଣି ଭଳି କୋଟି କୋଟି ଟଙ୍କା ଅନୁଦାନ ଦେଇଥିଲେ। ଯେଉଁ ଲକ୍ଷ୍ୟ ଦେଇ ଖର୍ଚ୍ଚ କରିଥିଲେ ତାହା ଏପର୍ଯ୍ୟନ୍ତ ସାଧିତ ହୋଇପାରିନି। ଅନ୍ୟପକ୍ଷରେ କାହିଁକି ଟାଟା ପାୱାର ପକ୍ଷରୁ ମନଇଛା ବିଦ୍ୟୁତ କାଟ ହେଉଛି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।