ମାଲକାନଗିରି: ଦୀପ ତଳେ ଅନ୍ଧାର ସଦୃଶ୍ୟ ମାଲକାନଗିରି ସହରରେ ରହିଥିବା ଏକ ସାହିରେ ବିଦ୍ୟୁତ ସେବା କିମ୍ବା ମୌଳିକ ସୁବିଧା ଆଜି ବି ନାହିଁ। ଯାହାଫଳରେ ଲୋକେ ନାହିଁନଥିବା ହଇରାଣ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ମାଲକାନଗିରିର ଦ୍ବାରରେ ରହିଥିବା ତାରିଣୀ ମନ୍ଦିର ପଛ ତଳସାହିରେ ପ୍ରାୟ ୭୦ ପରିବାର ବସବାସ କରୁଛନ୍ତି। ଆଜି ଏହି ସତୁରି ପରିବାର ଅନ୍ଧାରରେ ରହୁଛନ୍ତି। ଏହି ସାହିକୁ ବିଦ୍ୟୁତ ଖୁଣ୍ଟ ପଡି ନାହିଁ। ଏହି ତଳସାହିର ପିଲାମାନେ ପ୍ରଥମରୁ କଲେଜ ପର୍ଯ୍ୟନ୍ତ ପଢୁଛନ୍ତି। କିନ୍ତୁ ପିଲା ଡିବିରିରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ରାତିରେ ସାହିଟି ସଂପୂର୍ଣ୍ଣ ଅନ୍ଧାରରେ ରହୁଛି। ବିଦ୍ୟୁତ ସେବା ନଥିବାରୁ ଏହି ସାହିକୁ ଯିବାକୁ ଲୋକେ ଭୟ କରୁଥିବା ବେଳେ ଚୋରଙ୍କ ପ୍ରାଦୁର୍ଭାବ ମଧ୍ୟ ବଢୁଛି। ଯାହାଫଳରେ ଲୋକେ ରାତିରେ ବି ଜଗିବା ଆରମ୍ଭ କଲେଣି।ବାରମ୍ବାର ବିଦ୍ୟୁତ ସେବା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସାହିବାସିନ୍ଦା କହିଛନ୍ତି।

Advertisment

ଏପରିକି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସାହି ବୁଲିବା ସହ ପନ୍ଦର ଦିନ ମଧ୍ୟରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହି ସେ ମଧ୍ୟ ଭୁଲିଯାଇଥିବା ଲୋକେ କହିଛନ୍ତି। ଏହି ତଳସାହିରେ ଯେ କେବଳ ବିଦ୍ୟୁତ ସେବା ହିଁ ନୁହେଁ ବରଂ ସାହିରେ ପାଣିର ଘୋର ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଛି। ଲୋକେ ବର୍ଷା ଏବଂ ଖରାରେ ସ୍ଥାନୀୟ ପଖୋରୀରୁ କିମ୍ବା ନିକଟସ୍ଥ ସାହିବାସିନ୍ଦାଙ୍କ ଘରୁ ପାଣି ଯୋଗାଡ କରିଥାନ୍ତି। ଲୋକେ ପାଣି ଦେଲେ ତ ଭଲ କଥା ନଚେତ ସେମାନେ ଖାଲି ହାତରେ ଫେରୁଥିବା କହିଥିଲେ। ସାହିକୁ ରାସ୍ତା ମଧ୍ୟ ନାହିଁ। କାଦୁଅରେ ହିଁ ଲୋକେ ବର୍ଷତମାମ ଯିବା ଆସିବା କରୁଛନ୍ତି। ଜିଲ୍ଲା ସଦର ମହକୁମାକୁ ଲାଗି ରହିଥିଲେ ମଧ୍ୟ ଜିଲ୍ଲା ଅଧିକାରୀଙ୍କ ପାଦ କେବେ ମଧ୍ୟ ଏହି ସାହିରେ ପଡି ନାହିଁ। ୭୦ ପରିବାର ଅତି ଦୟନୀୟ ଜୀବନଯାପନ କରୁଛନ୍ତି।ଆହା ବୋଲି କେହି ମଧ୍ୟ ପଚାରୁନଥିବାରୁ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଯଦି ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାଗୁଡିକର ସମାଧାନ କରାନଯାଏ ତେବେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।