ମୋଟୁ ସୀମା ଦେଇ ଫେରୁଛନ୍ତି ଶତାଧିକ ପ୍ରବାସୀ; ହାଇଦ୍ରାବାଦରୁ ମାଲକାନଗିରି ଆସି ଫସିଗଲେ ଶହ ଶହ ପ୍ରବାସୀ

ପ୍ରଶାସନର ଦେଖା ନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆନ୍ଧ୍ରକୁ ସୀମାକୁ ଲାଗି ରହିଥିବା ମୋଟୁ ରାସ୍ତା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ମାଲକାନଗିରି ସମେତ ଅନ୍ୟ ଜିଲ୍ଲା ଏବଂ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଆନ୍ଧ୍ର ପଟରୁ ମୋଟୁ ସୀମାନ୍ତରେ ପ୍ରବାସୀ ମାନଙ୍କୁ ଛାଡି ଗାଡି ଚାଲିଯାଉଥିବା ବେଳେ ମୋଟୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଅନ୍ୟ ଏକ ଗାଡିରେ ଆସି ପ୍ରବାସୀ ମାଲକାନଗିରିରେ ଫସି ରହିଥିଲେ।ହାଇଦ୍ରାବାଦରୁ ଶତାଧିକ ପ୍ରବାସୀ ରାତି ୨ଟାରେ ମୋଟୁ ସୀମାନ୍ତରେ ପହଞ୍ଚିଥିଲେ। ଏହି ପ୍ରବାସୀମାନେ ପ୍ରାୟ ତିନି ହଜାର ଟଂକା ଖର୍ଚ୍ଚ କରି ମାଲକାନଗିରି ଜିଲ୍ଲାର ମୋଟୁ ସୀମାରେ ପହଞ୍ଚିବା ପରେ ପୁଣି ସେଠାରୁ ତିନି ଶହ ଟଂକା ଦେଇ ମାଲକାନଗିରି ପହଞ୍ଚିଥିଲେ। ମାଲକାନଗିରି ପହଞ୍ଚିବା ପରେ ଏଠାରେ ସଟ୍ ଡାଉନ ଥିବାରୁ ଲୋକେ ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରିଥିଲେ। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନେ ଗରମରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଥିଲା।

ସଟ୍ଡ଼ାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ପ୍ରବାସୀମାନେ ପାଣି ଟିକିଏ ପାଇପାରିଲେ ନାହିଁ। ପ୍ରବାସୀମାନଙ୍କ କହିବା ଅନୁଯାୟୀ ସେମାନେ ମାଲକାନଗିରିରେ ସକାଳ ୭ଟାରେ ପହଞ୍ଚିଥିଲେ ମଧ୍ୟ ଦିନ ୧୧ଟା ପର୍ଯ୍ୟନ୍ତ ସେମାନେ କିଛି ଖାଇନଥିବା ପ୍ରକାଶ କରିଥିଲେ। ପ୍ରଶାସନ ତରଫରୁ ମଧ୍ୟ କେହି ପ୍ରବାସୀଙ୍କ ଦୁଃଖ ବୁଝିବାକୁ ଆସିନଥିଲେ ବୋଲି ଏମାନେ କହିଥିଲେ। କେତେବେଳ ବସ ମିଳିବ ଆଉ ଏମାନେ ନିଜ ନିଜ ଜିଲ୍ଲାକୁ ଫେରିବେ ସେମାନେ କିଛି ଜାଣିନଥିବା କହିଥିଲେ। ପ୍ରଶାସନ ତରଫରୁ ସହଯୋଗର ହାତ ନବଢାଇଲେ ସମସ୍ତେ ଏଠାରେ ମରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ଚାରୋଟି ପ୍ରବେଶ ପଥ ରହିଛି।

Sambad

ସେଗୁଡିକ ହେଲା ମୋଟୁ, ଚାଲାଣଗୁଡା, କମାରଗୁଡା ଏବଂ ଗୋବନ୍ଦପାଲ୍ଲୀ। ତେବେ ମୋଟୁ ସୀମା ଦେଇ ଆଜି ସୁଦ୍ଧା ୧୦ ହଜାର ୭୮୪ ଜଣ ବଡର ପାର କରି ଜିଲ୍ଲା ଦେଇ ଅତିକ୍ରମ କରିଛନ୍ତି। ସେଥିମଧ୍ୟରୁ ୫୪୧୯ ଜଣ ମାଲକାନଗିରି ଜିଲ୍ଲାର, ୪୬୧୩ ଅନ୍ୟ ଜିଲ୍ଲାର ଏବଂ ୭୫୨ ଅନ୍ୟ ରାଜ୍ୟର ପ୍ରବାସୀ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ପ୍ରବାସୀମାନଙ୍କର କରୋନା ପରୀକ୍ଷା କରାଯାଉଥିବା କୁହାଯାଇଛି। ତେବେ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ପ୍ରବାସୀମାନେ କେତେ ସୁରକ୍ଷିତ ଏବଂ ଜିଲ୍ଲାବାସୀ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି। ଗତବର୍ଷ ପ୍ରବାସୀମାନଙ୍କ ପାଇଁ ଟ୍ରେନ ଏବଂ ବସର ସୁବିଧା କରାଯାଇଥିବା ବେଳେ କରୋନାର ଦ୍ବିତୀୟ ଲହରିରେ ପ୍ରବାସୀଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ପ୍ରବାସୀମାନେ ମାଲକାନଗିରିରେ ପହଞ୍ଚି ନାହିଁ ନଥିହା ହଇରାଣ ହେଉଛନ୍ତି। ଦୁଇଦିନ ଧରି ଜିଲ୍ଲାରେ ସଟ୍ ଡାଉନ ରହିଥିବାରୁ ଲୋକେ ଖାଦ୍ୟ ଏବଂ ପାନୀୟ ଜଳ ଟିକିଏ ନପାଇ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ତୁରନ୍ତ ପ୍ରହାସୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର