ମଣ୍ଡିରେ ଅବ୍ୟବସ୍ଥା ନେଇ ଗର୍ଜିଲେ ପ୍ରଦୀପ ମାଝି; କ୍ବିଣ୍ଟାଲ ଧାନରୁ ୮ କିଲୋ ଧାନ କଟାଯାଉଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଧାନ ମଣ୍ଡିରେ ଅବ୍ୟବସ୍ଥା ରହିଥିବା ନେଇ ଆଜି ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି। ଶ୍ରୀ ମାଝି ଆଜି ମାଲକାନଗିରି ବ୍ଲକର ତଣ୍ଡାପାଲୀ ଧାନ ମଣ୍ଡିରେ ପହଞ୍ଚି ମଣ୍ଡିରେ ଧାନ କିଣା ସଂପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ। ତେବେ ଚାଷୀ କ୍ବିଣ୍ଟାଲ ପିଛା ଧାନରୁ ୮ କିଲୋ ଧାନ କାଟି ଦେଉଥିବା ଅଭିଯୋଗ କରିଥିଲେ। ଏପରିକି ଧାନକୁ ଲ୍ୟାମ୍ପସ ଖରିଦ କରୁନଥିବା ବେଳେ ମିଲରମାନେ ନିଜର ମନଇଛା ଧାନ କାଟି ଖରିଦ କରୁଛନ୍ତି। ଲ୍ୟାମ୍ପସ କର୍ମଚାରୀ କେବଳ ଦେଖଣାହାରୀ ବନିଛନ୍ତି। ସେହିପରି ବଜାର ନିୟନ୍ତ୍ରଣ କମିଟି ତରଫରୁ ପ୍ରତ୍ୟେକ ମଣ୍ଡିରେ ପାଣିର, ଶୌଚାଳୟର, ତାରପଲିନ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏଠାରେ ସେଭଳି କୌଣସି ବ୍ୟବସ୍ଥା କରାଯାଉନଥିବା ଦେଖିବାକୁ ମିଳିଛି। ମିଲର ମାନେ ମନଇଛା ଧାନ କିଣୁଥିବା ଦେଖିବାକୁ ମିଳିଥିବା ବୋଲି ଶ୍ରୀ ମାଝି ଅଭିଯୋଗ କରିଛନ୍ତି।

ସେହିପରି ଜିଲ୍ଲାପାଳ ମଣ୍ଡିରେ ସିସିଟିଭି ଲଗାଇବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଏଠାରେ ସେଭଳି କିଛି ନଥିବା ସେ କହିଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୁରରେ ଯଦି ଏଭଳି ମଣ୍ଡି ଚାଲିଛି ତେବେ ଦୁର୍ଗମ ଅଂଚଳରେ କିପରି ଚାଲିଥିବା ତାହା ସହଜରେ ଅନୁମେୟ। କୌଣସି ମୁହର୍ତ୍ତରେ ବର୍ଷା ଆସେ ତେବେ ଚାଷୀଙ୍କ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି। ଆରଏମସିର କୌଣସି କର୍ମଚାରୀ ଏଠାରେ ନଥିବା ବେଳେ ପ୍ରତିବର୍ଷ ମଣ୍ଡିରୁ ଚାରି କୋଟିରୁ ପାଞ୍ଚ କୋଟି ଟଂକା ଆଦାୟ କରୁଛି। ରାଜ୍ୟର କୌଣସି ସ୍ଥାନରେ ଧାନ କଟାଯିବା ନେଇ କୌଣସି ଯୋଜନା କିମ୍ବା ଏଭଳି ଦୃଷ୍ଟାନ୍ତ ନଥିବା ବେଳେ କେବଳ ମାଲକାନଗିରି ଜିଲ୍ଲାରେ ହିଁ ୮ କିଲୋ ଧାନ କଟାଯିବା ଘଟଣା ଆଶ୍ଚର୍ୟ୍ୟ କରିଥିବା କୁହାଯାଇଛି।

ଯଦି ଆସନ୍ତା ୭ ଦିନ ମଧ୍ୟରେ ମଣ୍ଡିରେ ଅବ୍ୟବସ୍ଥାକୁ ତୁରନ୍ତ ସୁଧାର ନଅଣାଯାଏ ତେବେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଆଜିର ଏହି ଗସ୍ତ ବେଳେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, କାର୍ୟ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସ ସଭାପତି ଅଖିଳ ଭତ୍ରା, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, କେଶୁ ରାଓ, ରବୀ ରାଜେଶ, ଲକ୍ଷ୍ମୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର